ଚୋରି ଅଭିଯୋଗରେ ସ୍ୱାମୀକୁ ବାନ୍ଧିଲା ପୁଲିସ: ଥାନା ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇଦେଲେ ପତ୍ନୀ


ମାହାଙ୍ଗା(ଏନ୍‌.ଏମ୍‌.): ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ମହିଳା। କଟକ ଜିଲ୍ଲା ମହାଙ୍ଗା ଥାନା ସମ୍ମୁଖରେ ଶୁକ୍ରବାର ଦିନ ଘଟିଛି ଏଭଳି ଅଭାବନୀୟ ଘଟଣା। ଯାହାଫଳରେ ମହିଳାଙ୍କ ଶରୀରରେ ୫୪ ପ୍ରତିଶତ ପୋଡି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ ମାହାଙ୍ଗା ଥାନା ଅନ୍ତର୍ଗତ ଖର୍ତ୍ତାଙ୍ଗ ଗାଁର ଶଙ୍କର ଦାସଙ୍କୁ ଚୋରି ଅଭିଯୋଗରେ ମାହାଙ୍ଗା ଥାନା ପୁଲିସ ଉଠାଇ ନେଇଥିଲା। ତେଣୁ ପରଦିନ(ଶୁକ୍ରବାର) ସକାଳେ ଶଙ୍କରଙ୍କ ପତ୍ନୀ ରଶ୍ମିତା ଥାନାରେ ପହଞ୍ଚିଥିଲେ। ସ୍ୱାମୀ ଶଙ୍କର ନିର୍ଦ୍ଦୋଷ। ତାଙ୍କୁ ଛାଡ଼ନ୍ତୁ ବୋଲି ପୁଲିସ୍ ବାବୁଙ୍କୁ କାକୁତି ମିନତି ହୋଇଥିଲେ ରଶ୍ମିତା। ହେଲେ ପୁଲିସ ତାଙ୍କ କଥା ଶୁଣିନଥିଲେ ବରଂ ତାଙ୍କୁ ଅଶୋଭନୀୟ ବ୍ୟବହାର କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଥାନା ସମ୍ମୁଖରେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ ରଶ୍ମିତା। ଯାହାଫଳରେ ତାଙ୍କ ଶରୀର ପୋଡ଼ି ଯାଇଥିଲା। ତାଙ୍କୁ ସଙ୍ଗେ ସଙ୍ଗେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମାହାଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ରଶ୍ମିତାଙ୍କୁ ଚିକିତ୍ସା କରିଥିବା ମାହାଙ୍ଗା ଡାକ୍ତରଖାନା ଡକ୍ଟର ଲିପ୍ସା କହିଛନ୍ତି ଯେ, ପେସେଣ୍ଟଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତାଙ୍କ ଶରୀରର ୫୪ ପ୍ରତିଶତ ପୋଡ଼ି ଯାଇଛି। ଦୁଇ ଗୋଡ଼କୁ ଛାଡ଼ିଦେଲେ ପୂରା ଶରୀର ପୋଡି ଯାଇଛି। ତେଣୁ ତାଙ୍କୁ ଏସସିବି ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର କହିଛନ୍ତି। ଏ ନେଇ ଥାନା ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Leave a Reply

Your email address will not be published. Required fields are marked *