ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି

ଚଳିତ ବର୍ଷ ବାଲିଯାତ୍ରାରେ ଚରମ ବିଭ୍ରାଟ ଅଭିଯୋଗ ଆଣିଲା ପୂଜାକମିଟି ଓ ଶାନ୍ତିକମିଟି

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଦୁଇ ବର୍ଷର ବ୍ୟବଧାନ ପରେ ଚଳିତ ବର୍ଷ କଟକର ଐତିହାସିକ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବ୍ୟାପକ ବିଭ୍ରାଟ ହୋଇଥିବା କଟକ ମହାନଗର ଶାନ୍ତିକମିଟି ଓ ପୂଜା କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ କମିଟି ପକ୍ଷରୁ ଅଭିଯୋଗ ଉଠିବା ସହ ବାଲିଯାତ୍ରା ମହୋତ୍ସବର ଦାୟିତ୍ୱ ରାଜ୍ୟସରକାରଙ୍କ ତତ୍ତ୍ୱାବଧାନରେ ହେବାକୁ ଦାବି ହୋଇଛି । ତେବେ ବାଲିଯାତ୍ରାରେ ବିଭିନ୍ନ ବିଭ୍ରାଟ ହୋଇଥିବା ଅଭିଯୋଗ କରିବା ସହ ଜିଲ୍ଲାପାଳ ଅଂହଙ୍କାର ପାହାଡ଼ ଉପରେ ଠିଆ ହୋଇଥିବା କୁହାଯାଇଛି । ସାମ୍ବାଦିକ ସମ୍ମିଳନୀରେ କଟକ ମହାନଗର ପୂଜାକମିଟି ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଧ୍ୟକ୍ଷତା କରି ରାଜ୍ୟର ଗୌରବଜ୍ୱଳ ଐତିହ୍ୟ ଓ ପରମ୍ପରାର ସ୍ମାରକୀ ଭାବେ ବିପୁଳ ବାହ୍ୟ ଆଡମ୍ବର ଓ ଲୋକ ଦେଖାଣିଆ ସାଜ୍ଜସଜ୍ଜା ସହିତ ପାଳିତ ହୋଇଛି ବୋଲି କହିଥିଲେ । ଏହି ମହୋତ୍ସବ ପାଳନର ପ୍ରାୟ ହଜାରେ ବର୍ଷର ସଂସ୍କୃତି, ଓଡ଼ିଆ ଜାତିର ସାହାସିକତା ତଥା ନୌବାଣିଜ୍ୟ କ୍ଷେତ୍ରରେ ଉତ୍କଳୀୟ ପରମ୍ପରାର ଯାହା ଉପସ୍ଥାପିତ ହେବା ଏହି ଯାତ୍ରାର ଅର୍ନ୍ତଃନିହିତ ସନ୍ଦେଶ ତାହା ସଂପୂର୍ଣ ଭାବେ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଦୀର୍ଘଦିନ ଧରି ବାଲିଯାତ୍ରା ମହୋତ୍ସବକୁ ଜାତୀୟ ଉତ୍ସବର ମାନ୍ୟତା ପାଇଁ କଟକବାସୀ ଦାବି କରିଆସୁଛନ୍ତି । ପୁନଶ୍ଚ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଦେଶରେ କଟକର ବାଲିଯାତ୍ର ଅନୁନ୍ୟ ହଜାରେ ବର୍ଷରେ ନୌବାଣିଜ୍ୟ ପରମ୍ପରାର ସ୍ମାରକୀ ଭାବରେ ଉଦ୍‌ବୋଧନ ଦେଇ ଭୂୟସୀ ପ୍ରଶଂସା କରୁଥିବା ବେଳେ, ଚଳିତ ବର୍ଷର ବାଲିଯାତ୍ରା ମହୋତ୍ସବ ପାଳନ ଦାୟିତ୍ୱରେ ଥିବା କଟକ ସଂସ୍କୃତି ସମିତି ପକ୍ଷରୁ ଓଡ଼ିଆ ଜାତିର ଏହି ମହାନ ଉତ୍ସବକୁ ଯେଉଁଭଳି ଢ଼ଙ୍ଗରେ ଉପସ୍ଥାପିତ କରାଯିବାକଥା ସେଥିରେ ବିଫଳ ହୋଇଥିବା କୁହାଯାଇଛି । ସେହିଭଳି ସିଏମସି ପକ୍ଷରୁ ଯଦିଓ ବାଲିଯାତ୍ରାର ସଫଳତା ପାଇଁ ସକ୍ରିୟ ସହଯୋଗ ଦିଆଯାଏ, ଏହି ଉତ୍ସବର ପରିଚାଳନା ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାରେ ସିଏମସିକୁ କୌଣସି କ୍ଷେତ୍ରରେ ପଚରାଯାଏ ନାହିଁ । ସେହିଭଳି କଟକ ଜିଲ୍ଲାର ନିର୍ବାଚିତ ପ୍ରତିନିଧି, କଟକ ମହାନଗର ଅର୍ନ୍ତଃଭୁକ୍ତ ତିନି ଜଣ ବିଧାୟକ ଓ ସାଂସଦମାନଙ୍କୁ ମଧ୍ୟ କେବଳ ବିଧିରକ୍ଷା ପାଇଁ ଉଦ୍‌ଘାଟନ ଦିବସରେ ମଞ୍ଚରେ ବସାଇ ଦିଆଯାଇ ସଂସ୍କୃତି ସମିତି ତା’ର କର୍ତ୍ତବ୍ୟ ସାରିଦିଏ । ଏପରିକି ସିଏମ୍‌ସିର ନିର୍ବାଚିତ ମେୟର ଓ କର୍ପୋରେଟରମାନଙ୍କୁ ମଧ୍ୟ ବାଲିଯାତ୍ରା ଉତ୍ସବରେ ପ୍ରସ୍ତୁତି, ପରିଚାଳନା ସମ୍ପର୍କରେ ଅନ୍ଧକାରରେ ରଖାଯାଏ । କେବଳ କଟକ ଜିଲ୍ଲା ସଂସ୍କୃତି ସମିତି ସଭାପତି ଜିଲ୍ଲାପାଳ ଓ କତିପୟ ହାତଗଣତି ଅଧିକାରୀଙ୍କ ନିଷ୍ପତିରେ ବାଲିଯାତ୍ରା ଭଳି ମହାନ୍ ଉତ୍ସବକୁ ପାଳନ କରିବାକୁ ଛାଡ଼ିଦିଆଯାଏ । ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତଥା କଟକ ସଂସ୍କୃତିର ସାଂସ୍କୃତିକ ଜଗତକୁ ପ୍ରତିନିଧିତ୍ୱ କରୁଥିବା ଶାନ୍ତି କମିଟିକୁ ମଧ୍ୟ ଚଳିତବର୍ଷ ଉପେକ୍ଷା କରାଯାଇଛି ବୋଲି ଉଭୟ କମିଟି ପକ୍ଷରୁ ଅଭିଯୋଗ ହୋଇଛି । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବାଞ୍ଚଳ ଶାନ୍ତିକମିଟି ସଭାପତି ବିଜୟ କୁମାର ସାହୁ, କଟକ ମହାନଗର ଶାନ୍ତିକମିଟି ସଭାପତି ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ଭିକାରୀ ଦାସ, ଧର୍ମେଶ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଏ ନେଇ ଜିଲ୍ଲପାଳ ଭବାନୀଶଙ୍କର ଚୟନୀଙ୍କୁ ଯୋଗାଯୋଗ କରିବାରେ ସେ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ ବାଲିଯାତ୍ରାରେ କୌଣସି ବିଭ୍ରାଟ ହୋଇନାହିଁ; ବରଂ ସଫଳ ଆୟୋଜନ ହୋଇଛି । ପ୍ରସ୍ତୁତି ବୈଠକରେ ସବୁ ବର୍ଗର ପ୍ରତିନିଧିକୁ ଡାକିବାକୁ ପ୍ରଶାସନ ବାଧ୍ୟ ନୁହେଁ ବୋଲି ରୋକ୍‌ଠୋକ୍ କହିଛନ୍ତି । ଏଥି ସହିତ ଆର୍ଥିକ ହେରଫେର ଅଭିଯୋଗ ଆସିଲେ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେବ । ଏବଂ ଅଡ଼ିଟକୁ ଜିଲ୍ଲାପାଳ ସ୍ୱାଗତ କରିବା ସହ ସମସ୍ତ ରେକର୍ଡ଼ ଅଛି ବୋଲି କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *