News by Dillip Kumar Muduli (BBSR)

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ସତର୍କତାମୂଳକ ପଦକ୍ଷେପ ଜନିତ ସମୀକ୍ଷା ବୈଠକ
ଅଶୁଂଘାତ ମୃତକଙ୍କ ନିକଟତମ ସମ୍ପର୍କୀୟଙ୍କୁ ମିଳିବ ୫୦ହଜାର ଟଙ୍କା

News by Dillip Kumar Muduli (BBSR)
Advertisement

#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ରାଜ୍ୟରେ ଅନୁଭୂତ ହେଉଥିବା ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବିଭିନ୍ନ ବିଭାଗମାନଙ୍କ ସହ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ କ୍ଷେତ୍ରୀୟସ୍ତରରେ ବ୍ୟାପକ ବ୍ୟବସ୍ଥା କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଅଂଶୁଘାତଜନିତ ମୃତ୍ୟୁକୁ ରୋକିବା ପାଇଁ ଜନସାଧାରଣମାନେ ଆବଶ୍ୟକୀୟ ସତର୍କତାମୂଳକ ପଦକ୍ଷେପ ଗ୍ରହଣ ପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ବୈଠକର ନିଷ୍ପତ୍ତି ଅନୁଯାୟୀ ବିଭିନ୍ନ ପଦକ୍ଷେପମାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଗ୍ରାମଞ୍ଚଳ ଏବଂ ସହରାଞ୍ଚଳର ସମସ୍ତ ବଜାର, ବସ୍‌ଷ୍ଟାଣ୍ଡ ଓ ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କରେ ପାନୀୟଜଳ ସେବାକେନ୍ଦ୍ରର ବ୍ୟବସ୍ଥା କରାଯାଇଛି । ଏତଦ୍‌ବ୍ୟତୀତ ଜଳକ୍ଳିଷ୍ଟ ଅଞ୍ଚଳମାନଙ୍କରେ ଟ୍ୟାଙ୍କର ମାଧ୍ୟମରେ ପାନୀୟଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ନଳକୂପ ଏବଂ ପାଇପ୍ ଯୋଗେ ଜଳ ଯୋଗାଣ ବ୍ୟବସ୍ଥାଗୁଡ଼ିକର ତୁରନ୍ତ ମରାମତି କରି ସେଗୁଡ଼ିକୁ ଶତ ପ୍ରତିଶତ କାର୍ଯ୍ୟକ୍ଷମ କରିବା ପାଇଁ ପଞ୍ଚାୟତିରାଜ ଓ ପାନୀୟଜଳ ଯୋଗଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଓ ଚିକିତ୍ସାଳୟରେ ଯଥେଷ୍ଟ ପରିମାଣର ଜୀବନରକ୍ଷକ ଔଷଧ, ସାଲାଇନ୍ ଓ ଓଆରଏସ୍ ମହଜୁଦ ରଖିବା ସଙ୍ଗେ ସଙ୍ଗେ ଅଂଶୁଘାତରେ ଶିକାର ହୋଇଥିବା ରୋଗୀମାନଙ୍କର ଚିକିତ୍ସା ପାଇଁ ସ୍ୱତନ୍ତ୍ର ବେଡ୍‌ର ବ୍ୟବସ୍ଥା କରାଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ସମୟରେ ବସ୍ ଓ ଅନ୍ୟାନ୍ୟ ଯାତ୍ରୀବାହୀ ଯାନଗୁଡ଼ିକର ଯାତାୟତ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ ପୂର୍ବକ ଖରାବେଳେ ଯାତ୍ରୀବାହୀ ଯାନ ଚଳାଚଳ ନିୟନ୍ତ୍ରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମ୍ପ୍ରତି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରମାନଙ୍କୁ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଶ୍ରମିକମାନଙ୍କର କାର୍ଯ୍ୟ ସମୟ ନିର୍ଘଣ୍ଟରେ ପରିବର୍ତ୍ତନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ଯୋଗୁଁ ସର୍ବାଧିକ ଉତ୍ତାପ ଥିବା ସମୟରେ ଶ୍ରମିକମାନଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ ନ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏତଦ୍ ବ୍ୟତୀତ କାର୍ଯ୍ୟସ୍ଥଳୀମାନଙ୍କରେ ବିଶ୍ରାମ ନେବା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳୀ ସହିତ ଯଥେଷ୍ଟ ପରିମାଣର ଥଣ୍ଡା ପାନୀୟ ଜଳ ଏବଂ ଓଆରଏସ୍ ପ୍ୟାକେଟ୍ ମହଜୁଦ ରଖିବା ପାଇଁ ସଂପୃକ୍ତ ଠିକାଦାରମାନଙ୍କୁ ନିର୍ଦ୍ଦେଶ ଦେବା ନିମନ୍ତେ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗୃହପାଳିତ ପଶୁପକ୍ଷୀ ଓ ବନ୍ୟଜନ୍ତୁମାନଙ୍କ ପାଇଁ ସ୍ୱତନ୍ତ୍ର ଜଳପୂର୍ଣ୍ଣ ପାତ୍ର ବା କୁଣ୍ଡର ବ୍ୟବସ୍ଥା ନିମନ୍ତେ ସଂପୃକ୍ତ ବିଭାଗମାନଙ୍କୁ ଆବଶ୍ୟକୀୟ ନିର୍ଦ୍ଦେଶ ଦିଆଯାଇଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ସରବରାହ ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର କୌଣସି ଅଞ୍ଚଳରୁ ଅଂଶୁଘାତଜନିତ ମୃତ୍ୟୁର ଅଭିଯୋଗ ଆସିଲେ ଏହାର ଯୁଗ୍ମ ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ ଆସିଲେ ତାହା ଜିଲ୍ଲା ପ୍ରଶାସନ ସ୍ତରରେ ତୁରନ୍ତ ତଦନ୍ତ କରାଯାଇ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ଅନୁକମ୍ପାମୂଳକ ସହାୟତା ରାଶି ୫୦ହଜାର ଟଙ୍କା ମୃତ ବ୍ୟକ୍ତିଙ୍କ ନିକଟତମ ସମ୍ପର୍କୀୟଙ୍କୁ ଦେବା ପାଇଁ ବ୍ୟବସ୍ଥା କରାଯାଇଛି । ରାଜ୍ୟରେ ଗ୍ରୀଷ୍ମର ପ୍ରକୋପକୁ ଦୃଷ୍ଟିରେ ରଖି ଏହାର ନିରାକରଣ ନିମନ୍ତେ ରାଜ୍ୟ ଓ ଜିଲ୍ଲାସ୍ତରରେ ହିଟ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ଜନସାଧାରଣଙ୍କ ସଚେତନତା ପାଇଁ ଗ୍ରୀଷ୍ମ ପ୍ରବାହ ଜନିତ ସୁରକ୍ଷା ସମ୍ବନ୍ଧୀୟ ପୋଷ୍ଟରମାନ ପ୍ରସ୍ତୁତ କରାଯାଇ ଜିଲ୍ଲା ସ୍ତରରେ ବଣ୍ଟନ କରାଯାଉଛି । ଏହା ବ୍ୟତୀତ ଚଳିତ ବର୍ଷ ବିଭିନ୍ନ ଇଲେକ୍‌ଟ୍ରୋନିକ ଗଣମାଧ୍ୟମ ଓ ସମ୍ବାଦପତ୍ର ମାଧ୍ୟମରେ ଗ୍ରୀଷ୍ମପ୍ରବାହରୁ ସୁରକ୍ଷା ସମ୍ବନ୍ଧୀୟ ସୂଚନା ଲୋକମାନଙ୍କ ନିକଟରେ ପହଞ୍ଚାଇବାର କାର୍ଯ୍ୟକ୍ରମ କରାଯାଉଛି । ଏତଦ୍‌ବ୍ୟତୀତ ଆଗାମୀ ଦିନରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ସମସ୍ତ ଜିଲ୍ଲାପାଳ ଏବଂ ବିଭାଗମାନଙ୍କୁ ଆବଶ୍ୟକୀୟ ପଦକ୍ଷେପମାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯାଇଛି ।

By admin

Leave a Reply

Your email address will not be published. Required fields are marked *