ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ

ଖବରକାଗଜ ବିକ୍ରେତାମାନଙ୍କୁ ପରିଚୟପତ୍ର ବଣ୍ଟନ


ଆଠଗଡ଼ (ଏନ୍‍.ଏମ୍‍.): ସାମାଜିକ ନିରାପତ୍ତା କାର୍ଯ୍ୟକ୍ରମ ଅନୁଯାୟୀ ଓଡିଶା ସରକାର ସମ୍ବାଦପତ୍ର ବିକ୍ରେତା (ହକର)ମାନଙ୍କୁ ସ୍ୱୀକୃତି ଦେଇଛନ୍ତି । ତଦନୁଯାୟୀ ଆଠଗଡ ଉପଖଣ୍ଡର ପ୍ରଥମ ପର୍ଯ୍ୟାୟରେ ୫୯ଜଣ ସମ୍ବାଦପତ୍ର ବିକ୍ରେତାଙ୍କୁ ଚିହ୍ନଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମାନଙ୍କ ମଧ୍ୟରୁ ୬ଜଣଙ୍କୁ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭରେ କଟକରେ ଏକ ଭବ୍ୟ ସମାରୋହରେ ପରିଚୟ ପତ୍ର ପ୍ରଦାନ ସହ କିଛି ଅନୁଦାନ ରାଶି ବଣ୍ଟନ କରିଥିଲେ । ସେହିଭଳି ଆଜି ଏକ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ତଥା ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଉ ୨୨ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନବୀନ ପଟ୍ଟନାୟକ ସରକାରଙ୍କ ଏହି ସାମାଜିକ ସୁରକ୍ଷା ଯୋଜନାକୁ ପ୍ରଶଂସା କରିଥିଲେ । ଅନ୍ୟ ଯେଉଁ ହକରମାନେ ପରିଚୟ ପତ୍ର ନେଇପାରିନାହାନ୍ତି ସେମାନେ ଆଠଗଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରି ପାଇପାରିବେ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । କାର୍ଯ୍ୟକ୍ରମରେ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ, ଆଠଗଡ଼ ବିଜ୍ଞପିତ ଅଞ୍ଚଳ ଅଧ୍ୟକ୍ଷା ସସ୍ମିତା ରାଉତ, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ ପ୍ରମୁଖ ଉପସ୍ଥିତ ରହିଥିଲେ । ଆଠଗଡ଼ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଲେଖ ଚନ୍ଦ୍ର ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *