News by Smruti Ranjan Tripathy (Choudwar)

କୟଳପଡ଼ା ଠାରେ ଦ୍ୱିଦିବସୀୟ ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା

News by Smruti Ranjan Tripathy (Choudwar)

#ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ଠାରେ ଦୁଇ ଦିନ ଧରି ପଞ୍ଚାୟତସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ଦୁଇ ଦିନରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ନିଜର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି କୃତକାର୍ଯ୍ୟ ହୋଇ ବେଶ ଆନନ୍ଦିତ ହୋଇଛନ୍ତି । ଏହି ପ୍ରତିଯୋଗିତାର ଉଦ୍‌ଘାଟନୀ ଉତ୍ସବରେ ଚୌଦ୍ୱାର ଥାନା ଆରକ୍ଷୀ ନିରୀକ୍ଷକ ବିରଞ୍ଚି ନାରାୟଣ ପତି ଉଦ୍‌ଘାଟନ କରିଥିବାବେଳେ ମୁଖ୍ୟଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର ମଣ୍ଡଳ ଶିକ୍ଷାଧିକାରୀ ସରୋଜିନୀ ସାହୁ ଯୋଗଦେଇ କ୍ରୀଡ଼ାର ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟବକ୍ତା ଭାବେ ଲକ୍ଷ୍ମୀଧର ପଣ୍ଡା, ସମ୍ମାନିତ ଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର ବ୍ଲକ ସହ ଶିକ୍ଷାଧିକାରୀ କଳ୍ପନା ନାୟକ, ଅରୁନ୍ଧତୀ କୁମାରୀ ମିଶ୍ର, ସମିତି ସଭ୍ୟା ବନ୍ଦନା ସ୍ୱାଇଁ, ମାତୃସେବା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଜ୍ଞାନ ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମଦିନ ପଞ୍ଚାୟତର ୬ଗୋଟି ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଥମ, ଦ୍ୱିତୀୟ, ତୃତୀୟସ୍ଥାନ ଅଧିକାର କରିଥିଲେ । ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତା ମଧ୍ୟରେ ଦୌଡ଼, ମ୍ୟୁଜିକ ଚେୟାର, ଉଚ୍ଚଡିଆଁ, ଲମ୍ବଡିଆଁ, ଅଙ୍କକଷା, ଆଳୁଚାମଚ, ପୁଚି, ଦୌଡ଼ିଡିଆଁ, ବେଙ୍ଗଡିଆଁ, ଅଖାଡିଆଁ, ଜିଲିପି ଡିଆଁ, ଅନ୍ଧପୁଟୁଳି, ଛୁଞ୍ଚିସୂତା ଆଦି ବେଶ ଚିତ୍ତାକର୍ଷକ ହୋଇ ପାରିଥିଲା । ସେହିଭଳି ଉଦ୍‌ଯାପନୀ ଉତ୍ସବରେ ଉଦ୍‌ଯାପକ ଭାବେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ଯୋଗଦେଇ କ୍ରୀଡ଼ା କ୍ଷେତ୍ରରେ କିଭଳି ଓଡ଼ିଶା ଆଗୁଆ ରହିବ ସେ ନେଇ ମୁଖ୍ୟମନ୍ତ୍ରୀ ଯେଉଁ ଦୂରଦୃଷ୍ଟି ରଖିଛନ୍ତି ତାହା ଆମ ରାଜ୍ୟକୁ ବିଶ୍ୱଦରବାରରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି କହିବା ସହ ଏବେ ଠାରୁ ପିଲାମାନେ ପାଠପଢ଼ା ସହ ବିଭିନ୍ନ କ୍ରୀଡ଼ାରେ ମନୋନିବେଶ କରିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟଅତିଥି ଭାବେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନୀତିଶିକ୍ଷା ଉପରେ ବୁଝାଇଥିଲେ । ମୁଖ୍ୟବକ୍ତା ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଟାଙ୍ଗୀ-ଚୌଦ୍ୱାର ବିଡିଓ ଆଶୁତୋଷ ମିଶ୍ର, ମଣ୍ଡଳ ଶିକ୍ଷାଧିକାରୀ ସରୋଜିନୀ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନାକ୍ଷୀ ଦାସ, ଉପାଧ୍ୟକ୍ଷା ସୁପ୍ରିୟା ଜେଠୀ, ୧୧ନମ୍ବର ଜୋନ ଜିଲ୍ଲାପରିଷଦ ସଦସ୍ୟା ଜ୍ୟୋତ୍ସ୍ନାରାଣୀ ସୁବୁଦ୍ଧିରାୟ, ସମାଜସେବୀ ସୁଧାକର ନାୟକ, ଅଶୋକ କୁମାର ସାହୁ, ଲକ୍ଷ୍ମୀଧର ପଣ୍ଡା, କଳିଙ୍ଗ ନୋଡ଼ାଲ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ରାଜେଶ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ହେମନ୍ତ ସାହୁ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକଙ୍କୁ ଚୌଦ୍ୱାର ପ୍ରବେଶ ପରେ ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ନୂଆପାଟଣା ବ୍ରିଜ ନିକଟରେ କଟକ ଜିଲ୍ଲା ଛାତ୍ର ବିଜେଡି ସଭାପତି ସିଦ୍ଧାର୍ଥ କୁମାର ନାୟକଙ୍କ ନେତୃତ୍ୱରେ ଚୌଦ୍ୱାର-କଟକ ଛାତ୍ର ବିଜେଡି ସଭାପତି ଅଚ୍ୟୁତ ଘୋଷ, ଉପସଭାପତି ଅଜୁ ପାତ୍ର, ବିଶ୍ୱଜିତ ସାମଲ ପ୍ରମୁଖ ମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଏହି କ୍ରୀଡ଼ା ପ୍ରତିଯୋଗିତାକୁ କ୍ରୀଡ଼ା ଶିକ୍ଷକ ଶଙ୍କର୍ଷଣ ସାହୁ, ସଞ୍ଜୟ ମହାନ୍ତି, ପ୍ରଶାନ୍ତ ସାହୁ, ପଦ୍ମଲୋଚନ ଦାସ, ଯୋଗେଶ୍ୱର ବିରୁଆ, ସଂଘମିତ୍ରା ବେହେରା, ରାଜେଶ ନାୟକ, ଚାରୁଲତା ବେହେରା, ଗଙ୍ଗାଧର ପୃଷ୍ଟି, ଅନନ୍ତ ପ୍ରସାଦ ମିଶ୍ର, ଦୁଷ୍ମିତା ସୂତାର ପ୍ରମୁଖ ପରିଚାଳନା କରିଥିଲେ ।

By admin

Leave a Reply

Your email address will not be published. Required fields are marked *