କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କ୍ଷତିପୂରଣ ଦାବିରେ ଏସୟୁସିଆଇ(ସି) ପକ୍ଷରୁ ସ୍ମାରକପତ୍ର ପ୍ରଦାନ


ବାରଙ୍ଗ (ଏନ୍‌.ଏମ୍‌.): ଡିସେମ୍ବର ମାସରେ ଅଦିନିଆ ଲଘୁଚାପ ଜନିତ ଲଗାଣ ବର୍ଷାରେ ଉଜୁଡ଼ି ଯାଇଛି ଚାଷୀ ପାଇଁ ବର୍ଷକର ଆହାର। ପାଚିଲା ଧାନରେ ଅଦିନିଆ ବର୍ଷା କଣ୍ଟା ସାଜିଛି। ରାଜ୍ୟର ବିଭିନ୍ନ ଅଞ୍ଚଳ ସମେତ ବାରଙ୍ଗ ବ୍ଲକର ବିଭିନ୍ନ ଅଞ୍ଚଳରେ ପାଚିଲା ଧାନ ବିଲରେ ଗଜା ହୋଇଛି ଏବଂ ନଷ୍ଟ ହୋଇଛି। ସେହିଭଳି ପନିପରିବା ଚାଷ, ଫୁଲ ଚାଷ ମଧ୍ୟ ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଛି। ଏହିଭଳି ପରିସ୍ଥିତିରେ ଧାନ ଫସଲ କ୍ଷତି ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୨୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରିବା, ପନିପରିବା ଓ ଫୁଲ ଚାଷ କ୍ଷତିର ଉପଯୁକ୍ତ କ୍ଷତିପୂରଣ ଦେବା, ଚାଷୀମାନଙ୍କର ସମସ୍ତ ପ୍ରକାରର କୃଷିଋଣ ଛାଡ଼ କରିବାକୁ ଏସୟୁସିଆଇସି ପକ୍ଷରୁ ଦାବି ହୋଇଛି। ଏଥିସହ ସ୍ୱାମୀନାଥନ କମିଶନ୍ ରିପୋର୍ଟ ଅନୁଯାୟୀ ଏମ୍‌.ଏସ.ପି ନିର୍ଦ୍ଧାରଣ କରିବା ଦାବିରେ ଆଜି ଏସୟୁସିଆଇ(ସି) ବାରଙ୍ଗ ଆଂଚଳିକ କମିଟିରଏକ ପ୍ରତିନିଧି ମଣ୍ଡଳୀ ବାରଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏସୟୁସିଆଇ(ସି) ବାରଙ୍ଗ ଆଞ୍ଚଳିକ କମିଟିର ସମ୍ପାଦିକା ମାଳବିକା ସାମଲ, ଅଶୋକ କୁମାର ବେହେରା, ଭାଗ୍ୟଶ୍ରୀ ପ୍ରଧାନ, ରାଜେଶ କୁମାର ରାଉତ, ସିଦ୍ଧାର୍ଥ ରଥ ପ୍ରମୂଖ ଆଜିର ପ୍ରତିନିଧି ମଣ୍ଡଳୀରେ ସାମିଲ ଥିଲେ। ଆଗାମୀ ଦିନରେ ଏହି ଦାବି ଗୁଡିକ ନେଇ ଗଣ ଆନ୍ଦୋଳନକୁ ଶକ୍ତିଶାଳୀ କରିବାକୁ ଏସୟୁସିଆଇ(ସି) ପକ୍ଷରୁ ଆହ୍ୱାନ ଦିଆଯାଇଛି।

Leave a Reply

Your email address will not be published. Required fields are marked *