News by Ajit Kumar Mallick (Konark)

କୋଣାର୍କ ଉତ୍ସବ ଓ ଆନ୍ତର୍ଜାତିକ ବାଳୁକା କଳା ଉତ୍ସବ ନିମନ୍ତେ ଦ୍ୱିତୀୟ ସମନ୍ୱୟ ବୈଠକ

News by Ajit Kumar Mallick (Konark)

କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଉତ୍ସବ ଓ ବାଲୁକା କଳା ଉତ୍ସବ ନିମନ୍ତେ ସ୍ଥାନୀୟ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ଦିତୀୟ ସମନ୍ୱୟ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମୁକ୍ତାକାଶ ରଙ୍ଗମଞ୍ଚରେ ପାଞ୍ଚ ଦିନ ବ୍ୟାପି ଶାସ୍ତ୍ରୀୟ ନୃତ୍ୟ ସଙ୍ଗୀତ ଓ ଚନ୍ଦ୍ରଭାଗା ବେଳାଭୂମିରେ ବାଲୁକା କଳା ଉତ୍ସବ ଆୟୋଜିତ ହେବ । ଏଥିସହ ହେଲିପ୍ୟାଡରେ ମୀନାବଜାର, ଯାତ୍ରା, ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ । ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଆଜି ଜିଲ୍ଲପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ ମହାପାତ୍ର, ଜିଲ୍ଲା ପ୍ରକଲ୍ପ ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତିଶଙ୍କ ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, କୋଣାର୍କ ଏନଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ସରୋଜକାନ୍ତ ପ୍ରଧାନ, ଗୋପ ତହସିଲଦାର ଏସ.କେ. ଶାଗିର ପ୍ରମୁଖ ଯୋଗ ଦେଇଥିଲେ ।
ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତି ସନ୍ଧ୍ୟା ୬ଟାରୁ ଓଡ଼ିଶୀ, କଥକ, ମଣିପୁରୀ, ମୋହିନୀଆଟମ, ଭାରତନାଟ୍ୟମ କୁଚିପୁଡି ନୃତ୍ୟ ପ୍ରଦର୍ଶନ ସହିତ ଚନ୍ଦ୍ରଭାଗା ବେଳାଭୂମିରେ ଦେଶ ବିଦେଶର ବାଲୁକା ଶିଳ୍ପୀମାନଙ୍କୁ ନେଇ ବାଲୁକା କଳା ପ୍ରଦର୍ଶନ ହେବ । ଏତଦବ୍ୟତୀତ ହେଲିପ୍ୟାଡ଼ରେ ଅପେରା, ମୀନବଜାର ହସ୍ତତନ୍ତ ଓ ହସ୍ତଶିଳ୍ପ ପ୍ରଦର୍ଶନୀ ପାଇଁ ଆଲୋଚନା ହୋଇଥିଲା । ମହାମାରି କରୋନା ପାଇଁ ଚଳିତ ବର୍ଷ କୌଣସି କଟକଣା ନଥିବାରୁ ଭିଡ଼କୁ ଦୃଷ୍ଟିରେ ରଖି ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯିବ । କୋଣାର୍କରେ ଟ୍ରାଫିକ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଉତ୍ସବ ପାଞ୍ଚ ଦିନ କୋଣାର୍କ, ହେଲିପ୍ୟାଡ ଓ ଚନ୍ଦ୍ରଭାଗା ବଜାରର ମୁଖ୍ୟ ଛକରେ ସିସିଟିଭି ଲଗାଯିବ । ଉତ୍ସବ ସମୟରେ ସୁରକ୍ଷା, ପାର୍କିଂ, ଆଲୋକ ବ୍ୟବସ୍ଥା ସହିତ କୋଣାର୍କ ଏନଏସି ଓ ଉତ୍ସବ ସହ ଜଡିତ ସମସ୍ତ ବିଭାଗକୁ ସୁଚାରୁରୂପେ କାର୍ଯ୍ୟ ତୁଲାଇବା ପାଇଁ ନିର୍ଦେଶ ଦିଆଯାଇଛି । କୋଣାର୍କରୁ ଜୁଣେଇ ରାସ୍ତା ମରାମତି, ନୃତ୍ୟ ସମୟରେ ସନ୍ଧ୍ୟା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ଡାକବାଜି ଯନ୍ତ୍ର ସାହାଯ୍ୟ ପ୍ରଚାର କଟକଣା, ପ୍ରବେଶ ଓ ପ୍ରସ୍ଥାନ ପଥ ନିର୍ମାଣ ପୂର୍ତ୍ତ ବିଭାଗ ଛକରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଆଲୋକ ବ୍ୟବସ୍ଥା ନିମନ୍ତେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମୀୟ କୁମାର ସେଠୀ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର, ଉତ୍ସବ ସହ ଜଡିତ ସମସ୍ତ ବିଭାଗର ଅଧିକାରୀ ଓ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *