News by Ajit Kumar Mallick (Konark)

କୋଣାର୍କରେ ମା’ ଭଗବତୀଙ୍କ ପୀଠରେ କିନ୍ନର ପାଳିଲେ ସାବିତ୍ରୀ ବ୍ରତ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ରାଜ୍ୟର କୋଣ ଅନୁକୋଣରେ କିନ୍ନରମାନେ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଛି । ନିଜ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ରଖିବା ସହ ନବ ବସ୍ତ୍ର ପରିଧାନ ପୂର୍ବକ ବିଭିନ୍ନ ଫଳମୂଳ ଧରି ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ରୌପ୍ୟନଗରୀ କଟକ ଓ ଅର୍କ କ୍ଷେତ୍ର କୋଣାର୍କରେ ବିଭିନ୍ନ କିନ୍ନର ସଂଗଠନ ପକ୍ଷରୁ ସାମୁହିକ ସାବିତ୍ରୀ ଓଷା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ କୋଣାର୍କର ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ପୀଠରେ ସାବିତ୍ରୀ ବ୍ରତ ପାଳନ କରାଯାଇଛି । ଆଜିର ପବିତ୍ର ଦିନରେ କିନ୍ନରମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ମା’ଙ୍କ ନିକଟରେ ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥିଲେ । କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସାବିତ୍ରୀବ୍ରତକୁ ଭକ୍ତିମୟ ପରିବେସ ମଧ୍ୟରେ ପାଳନ କରାଯାଇଥିଲା । ହିନ୍ଦୁ ଧର୍ମର ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା କରିବା ସହ ପରିବାରର ମଙ୍ଗଳକାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି । ସେହିପରି କିନ୍ନର ମାନେ ନିଜ ଗୁରୁଙ୍କ ଦୀର୍ଘଜୀବନ କାମନା କରି ଏହି ପର୍ବକୁ ପାଳନ କରିଥାନ୍ତି । ଯେତେ ବେଳେ କିନ୍ନରମାନେ ସମାଜରୁ ଅବହେଳିତ ହୋଇ ନିଜ ପରିବାରରୁ ବାହାରି ଆସିଥାନ୍ତି ସେତେବେଳେ ଏହି କିନ୍ନର ସମାଜର କେହିନା କେହି ଆପଣାର କରି ନେଇଥାନ୍ତି । ଆପଣାର କରିଥିବା ସେହି ବ୍ୟକ୍ତି ହିଁ ସେମାନଙ୍କର ଗୁରୁ ଅଟନ୍ତି । ନିଜ ଗୁରୁଙ୍କ ଦୀର୍ଘ ଜୀବନ ସହ ମଙ୍ଗଳକାମନା କରି କିନ୍ନରମାନେ ସାବିତ୍ରୀ ବ୍ରତକୁ ଧୁମଧାମରେ ପାଳନ କରିଥାନ୍ତି । ସଧବା ନାରୀ ପରି କିନ୍ନର ମାନେ ଫଳମୁଳ ସହିତ ସିନ୍ଦୁର, ଚୁଡ଼ି ଓ ବ୍ରତ ନେଇ ମା’ଙ୍କ ପାଖରେ ସମର୍ପଣ କରିବାପର ପରିଧାନ କରି ଉପବାସ ବ୍ରତ ପାଳନ କରିଥାନ୍ତି । ଗୁରୁଙ୍କ ମଙ୍ଗଳ କାମନା କରିବା ସହ ନିଜେ ପାଇଥିବା ଜନ୍ମରୁ ମୁକ୍ତି ପାଇବାପାଇଁ ଗୁହାରୀ ମଧ୍ୟ କରିଥାନ୍ତି । ସାବିତ୍ରୀବ୍ରତ ଅବସରରେ କୋଣାର୍କ କିନ୍ନର ସଙ୍ଘର ମୁଖ୍ୟ ଦୀପା କିନ୍ନରଙ୍କ ନେତୃତ୍ୱରେ ପାୟଲ, ଶ୍ରଦ୍ଧା, ଶାନ୍ତି, ସୁକାନ୍ତି, ମୁସ୍କାନ, ସନ୍ଧ୍ୟା, ପ୍ରଶାନ୍ତି, ଗାୟତ୍ରୀ, ରଶ୍ମୀ, ଜୁଲି, ରୁବି ଓ ଶିବାନୀ କିନ୍ନର ମାନେ ମା’ଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *