କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

କୋଣାର୍କରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମିପୂଜା

News by Ajit Kumar Mallick (Konark)

#କୋଣାର୍କ (ଏନ୍‌.ଏମ୍‌.): ଦିବା ୧ଘଟିକା ସମୟରେ କୋଣାର୍କ ଏନଏସି ଅନ୍ତର୍ଗତ ୧ନମ୍ବର ୱାର୍ଡର ବେଠିଆଗଦା ଠାରେ ସୂର୍ଯ୍ୟ ନିର୍ମାଣ ଓ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଖବରରୁ ପ୍ରକାଶ ଯେ ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ଠାରେ ନିଜ ମା’ଙ୍କ ସୂର୍ଯ୍ୟ ପୂଜା ନିମନ୍ତେ ରାଜା ଲାଙ୍ଗୁଳା ନରସିଂହ ଦେବ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିଥିଲେ । କାଳକ୍ରମେ ବ୍ରିଟିଶ ଶାସନ ସମୟରେ ଏଠାରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ବନ୍ଦ ରହିଛି । କୋଣାର୍କ ସୂର୍ଯ୍ୟ ଉପାସନାର ଏକ ଧାର୍ମିକ ସ୍ଥଳୀ ଭାବେ ସୁପ୍ରସିଦ୍ଧ । ଦୀର୍ଘବର୍ଷ ଧରି ସୌର କ୍ଷେତ୍ର କୋଣାର୍କ ଠାରେ ସୂର୍ଯ୍ୟ ପୂଜା ପୁନଃ ପ୍ରଚଳନ କରିବା ପାଇଁ କୋଣାର୍କ ସମେତ ଭାରତ ବାହାରର ସୂର୍ଯ୍ୟ ଉପାସକ, ସଂସ୍କୃତି ଓ ଧାର୍ମିକ ବିଶାରଦମାନଙ୍କ ମହଲରେ ଦାବି ହୋଇ ଆସୁଥିଲା । ଏହି ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱର୍ଗତ ଓଃମ ବାବାଙ୍କ ପଟ୍ଟ ଶିକ୍ଷ୍ୟ ଧାର୍ମିକ ବିଶାରଦ ତଥା ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ଅଧ୍ୟକ୍ଷ ମୁକେଶ ଜୈନ କୋଣାର୍କ ଠାରେ ଏହାର ବୀଜ ରୋପଣ କରିଛନ୍ତି । ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ନିମନ୍ତେ ଏକ ନୂତନ ମନ୍ଦିର ନିର୍ମାଣ କରି ଏଠାରେ ପୁନଃ ସୂର୍ଯ୍ୟ ପୂଜାର୍ଚ୍ଚନା କରିବା ପାଇଁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ଦୀର୍ଘ ଚାରି ବର୍ଷ ଧରି ପ୍ରୟାସ ଜାରି ରହିଛି । ମାତ୍ର ପ୍ରଶାସନର ସହଯୋଗ ଓ ଧାର୍ମିକ ପରମ୍ପରାକୁ ବଜାୟ ରଖିବା ସହ ପୁନଃ ସୂର୍ଯ୍ୟ ପୂଜା ପ୍ରଚଳନ କରିବା ପାଇଁ କୋଣାର୍କ ଏନଏସି ସ୍ଥିତ ଜଣେଇ ରଣପଡା ମୌଜାର ବେଠିଆଗଦା ଠାରେ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ଶାଳା କମିଟି ପକ୍ଷରୁ ନୂତନ ସୂର୍ଯ୍ୟ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଭାରତୀୟ ସଂସ୍କୃତିର ମହାନ ପରମ୍ପରାକୁ ବଜାୟ ରଖିବା ପାଇଁ ଅର୍କକ୍ଷେତ୍ର କୋଣାର୍କରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା ପୁନଃ ପ୍ରଚଳନ ପାଇଁ ମନ୍ଦିର ନିର୍ମାଣ ନିମନ୍ତେ ଭୂମି ପୂଜନ ଉତ୍ସବ ସଂପାଦନ କରାଯାଇଛି । ଧାର୍ମିକ ରୀତିନୀତି ଅନୁଯାୟୀ ଖୁବ ଶୀଘ୍ର ସୂର୍ଯ୍ୟ ନାରାୟଣଙ୍କ ମୂର୍ତ୍ତି ସ୍ଥାପନ ସହ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହେଲା ପରେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ଜୈନ ମତବ୍ୟକ୍ତ କରିଛନ୍ତି । ଏହି ଭୂମି ପୂଜନ ଉତ୍ସବରେ କମିଟିର ପରିଚାଳକ ଯୁଧିଷ୍ଠିର ସ୍ୱାଇଁ, ଗଣେଶ ଚନ୍ଦ୍ର ସ୍ୱାଇଁ, ସୁରେଶ ଚନ୍ଦ୍ର ସାହୁ, ସଂଜୀବ ତିୱାରୀ, ମନ୍ଦିର ପୂଜକ ବାପି ପଣ୍ଡାଙ୍କ ସମେତ କୋଣାର୍କ ଅଞ୍ଚଳର ୧୦୦ରୁ ଉର୍ଦ୍ଧ୍ୱ ସଂସ୍କୃତି ଓ ଧାର୍ମିକ ବ୍ୟକ୍ତି ମାନେ ଯୋଗଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *