କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ

ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନାକୁ ରାଜ୍ୟ ସରକାରଙ୍କ ବାଟମାରଣାକୁ ପ୍ରତିବାଦ

News by saroj Kumar Muduli (Khordha)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କୃଷି ଯନ୍ତ୍ରପାତି ଓ ଧାନକିଣା କାରବାରରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ଦାବି ଓ ସାର କାରବାରରେ ବ୍ୟାପକ କଳାବଜାର ପ୍ରତିବାଦରେ ଆଜି ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ନେତୃତ୍ୱରେ ଶତାଧିକ କାର୍ଯ୍ୟକର୍ତ୍ତା ପାୱାରହାଉସ ଛକରୁ ଏକ ଶୋଭାଯାତ୍ରାରେ ଆସି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥି ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ୭ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାର ଚାଷୀମାନଙ୍କର ଆୟକୁ ଦ୍ୱିଗୁଣିତ କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନାମାନ ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ପ୍ରତିଶତ ରିହାତିରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷିଯନ୍ତ୍ରପାତି କିଣା କାରବାରରେ ଓଡ଼ିଶାରେ ବ୍ୟାପକଭାବେ ଦୁର୍ନୀତି ହୋଇଛି । ପ୍ରକାଶଥାଉ କି, ଶାସକ ବିଜେଡି ବିଧାୟକ କୃଷିଯନ୍ତ୍ରପାତି କିଣାରେ ତାଙ୍କ କମ୍ପାନୀ କୋଟି କୋଟି ଟଙ୍କା ଦୁର୍ନୀତି କରୁଥିବାର ଭିଜିଲାନ୍ସ ବିଭାଗ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ମଧ୍ୟ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁ ଏହା ନିନ୍ଦା କରିବା ସହିତ ସିବିଆଇ ତଦନ୍ତ ଦାବି କରିଛନ୍ତି । କେନ୍ଦ୍ର ସରକାର ଧାନ କ୍ୱିଣ୍ଟାଲ ୨୧୮୩ ଟଙ୍କା ଚାଷୀମାନଙ୍କୁ ଦେବାକୁ ଘୋଷଣା କରିଥିବାବେଳେ ଓଡ଼ିଶାର ଚାଷୀ ତାର ଉତ୍ପାଦିତ ଧାନକୁ ମଣ୍ଡିରେ ବିକ୍ରି ନକରିପାରି ଶାଗ ମାଛ ଦରରେ ୧୨ଶହ/୧୩ଶହ ଟଙ୍କାରେ ଦଲାଲକୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛି । ଏହି ଧାନକିଣା କାରବାରରେ ସରକାରୀ ଦଳର ନେତା, ମନ୍ତ୍ରୀ, ପ୍ରଶାସନିକ କଳ, ମିଲରମାନଙ୍କ ମଧୁଚନ୍ଦ୍ରିକାରେ ହଜାର ହଜାର କୋଟି ଟଙ୍କାର ଦୁର୍ନୀତି ହେଉଛି । ତେଣୁ ଏହାର ସିବିଆଇ ତଦନ୍ତ କରିବାକୁ ଶ୍ରୀ ସାହୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପିଏମ୍ କିଷାନ ସମ୍ମାନନିଧି ଯୋଜନା ମାଧ୍ୟମରେ ୨ହଜାର କରି ତିନୋଟି କିସ୍ତିରେ ବର୍ଷକୁ ୬ହଜାର ଟଙ୍କା କୃଷକମାନଙ୍କୁ ସହାୟତା ଯୋଗାଇ ଦେଉଛନ୍ତି । କିନ୍ତୁ ଓଡ଼ିଶା ସରକାର ପୂର୍ଣ୍ଣାଙ୍ଗ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ଦେଇନଥିବା କାରଣରୁ ୩୦ଲକ୍ଷରୁ ଅଧିକ ଚାଷୀ ଉକ୍ତ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପୂର୍ଣ୍ଣାଙ୍ଗ ତାଲିକା ତୁରନ୍ତ ପ୍ରଦାନ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସାହୁ ଦାବି କରିଛନ୍ତି । କେନ୍ଦ୍ର ସରକାର ରିହାତି ମୂଲ୍ୟରେ ଚାଷୀମାନଙ୍କୁ ସାର ଓ କୀଟନାଶକ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେଉଛନ୍ତି । ଗୋଟିଏ ୟୁରିଆ ସାର ବସ୍ତା ଉତ୍ପାଦିତ ମୂଲ୍ୟ ୨୭ଶହ ଟଙ୍କା ହୋଇଥିବାବେଳେ ତାକୁ ମାତ୍ର ୨୬୮ଟଙ୍କା ମୂଲ୍ୟରେ କେନ୍ଦ୍ର ସରକାର ଚାଷୀମାନଙ୍କୁ ଯୋଗାଇ ଦେଉଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାର ଚାଷୀ ରାଜ୍ୟ ସରକାର ସୀକୃତିପ୍ରାପ୍ତ ଡିଲର ପାଖକୁ ଯାଇ ସାର ନପାଇ ଖୋଲା ବଜାରରୁ ୫ଶହ ରୁ ୭ଶହ ଟଙ୍କାରେ ୟୁରିଆ ସାର କିଣିବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାର ତୁରନ୍ତ ସାରର ଏ କଳାବଜାର କାରବାରକୁ ବନ୍ଦ କରିବା ପାଇଁ ଶ୍ରୀ ସାହୁ ଦାବି କରିଛନ୍ତି । ଏହି ବିକ୍ଷୋଭରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, କୃଷକମୋର୍ଚ୍ଚାର କୋଷାଧ୍ୟକ୍ଷ ବିଶ୍ୱଜିତ୍ ସ୍ୱାଇଁ, ଭୁବନେଶ୍ୱର ଜିଲ୍ଲାର କୃଷକ ସଭାପତି ବିକ୍ରମ ପ୍ରଧାନ, ରାଜ୍ୟ ସଂଯୋଜକ ବିକ୍ରମ କେଶରୀ ରାଉତରାୟ, ଉପେନ୍ଦ୍ର ଭଞ୍ଜ, ପ୍ରଦୀପ ପତ୍ରି, ଅଜୟ ପ୍ରଧାନ, ଶିବପ୍ରସାଦ ଶ୍ରୀଚନ୍ଦନ, ଅଜୟ ପ୍ରଧାନ, ଜାମିନ ଦାସ, କୈଳାଶ ରାୟ, କୈଳାଶ ରଥ, ଡ.ଜଗନ୍ନାଥ ମହାପାତ୍ର, ସୁବଳ ବେହେରା, ଦୀପ୍ତି ଜେନା, ରବିନ୍ଦ୍ର କୁମାର ମହାରଣା, ପାଣ୍ଡବ ଚନ୍ଦ୍ର ଧଳ, ପୂର୍ଣ୍ଣିମା ଦାଶ, ରୋଜାଲିନ ପଟ୍ଟନାୟକ, ପବିତ୍ର ପରିଡା ଏବଂ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *