କେନ୍ଦ୍ରାପଡ଼ାରେ ଆତଙ୍କ: କୁମ୍ଭୀର ଆଁରେ ମଇଁଷି ଚରାଳି

#କେନ୍ଦ୍ରାପଡ଼ା(ଏନ୍.ଏମ୍.): କେନ୍ଦ୍ରାପଡ଼ା ଅଞ୍ଚଳରେ ଏବେ କୁମ୍ଭୀର ଆତଙ୍କ ବୃଦ୍ଧି ପାଇଛି । କେବଳ କେନ୍ଦ୍ରାପଡ଼ାରେ କାହିଁକି ଯାଜପୁର ଓ କଟକରେ ମଧ୍ୟ କୁମ୍ଭୀର ମାନେ ନଦୀରେ ବିଚରଣ କରୁଥିବା ଦେଖିବାକୁ ମିଳିଛି । ଏପରିକି ନଦୀ ଓ କେନାଲରେ ମଧ୍ୟ କୁମ୍ଭୀର ବୁଲୁଥିବା ଫଟୋ ଭିଡିଓ ଭାଇରାଲ ହେଉଛି । ତେବେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଅନ୍ତର୍ଗତ ରାଜପୁର ଗାଁରେ ଜଣେ ମଇଁଷି ଚରାଳିଙ୍କୁ କୁମ୍ଭୀର ଟାଣିନେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମଇଁଷି ଚରାଳି ଜଣଙ୍କ ଭାସ୍କର ରାଉତ (୫୦)ବୋଲି ଜଣାପଡ଼ିଛି । ଆଜି ସକାଳେ ଭାସ୍କର ମଇଁଷି ଗୁଡ଼ିକୁ ଛାଡ଼ି ବ୍ରାହ୍ମଣୀ ନଦୀ ନିକଟରେ ଠିଆ ହୋଇଥିଲେ । ଏହି ସମୟରେ ଏକ କୁମ୍ଭୀର ଆସି ଭାସ୍କରଙ୍କୁ ଟାଣି ନେଇଥିଲା । ପ୍ରତ୍ୟେକ୍ଷଦର୍ଶୀ ପାଟି ଶୁଣି ଦୌଡ଼ି ଆସିଥିଲେ । କୁମ୍ଭୀରଟି ସେହି ସମୟରେ ଭାସ୍କରଙ୍କୁ ନଈ ଭିତରକୁ ଟାଣି ନେଇଥିଲା । ଏନେଇ ସ୍ଥାନୀୟ ଲୋକେ ବନ ବିଭାଗ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ଭାସ୍କରଙ୍କୁ ଖୋଜାଖୋଜି କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ । ବନ ବିଭାଗ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି । ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ କେନ୍ଦ୍ରାପଡ଼ା ରାଜନଗର ବ୍ଲକ ଖଣ୍ଡମାରା ପେଣ୍ଠ ମୁଖ୍ୟରାସ୍ତାରେ ବଉଳା କୁମ୍ଭୀରଟି ବୁଲୁଥିବା ସ୍ଥାନୀୟ ଲୋକେ ଦେଖି ଚିତ୍କାର କରିବାରୁ ସେ ନିକଟସ୍ଥ କେନାଲକୁ ପଳାଇଥିଲା । ତେବେ କୁମ୍ଭୀର ଆଁରେ ମଇଁଷି ଚରାଳିଙ୍କୁ ଦେଖିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇ ଯାଇଛନ୍ତି ।
