କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ

କିମ୍ବଦନ୍ତୀ ସ୍ୱର ସାଧକ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଉତ୍ସବ
ସିକନ୍ଦର ଆଲାମଙ୍କ ସ୍ମୃତିରେ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକଙ୍କୁ ଅନୁପ୍ରାଣିତ କରିବ-ମୁଖ୍ୟମନ୍ତ୍ରୀ

News by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଏବଂ ସିକନ୍ଦର ଆଲାମ ଫାଉଣ୍ଡେସନର ମିଳିତ ସହଯୋଗରେ ଓଡିଆ ସଂଗୀତ ଜଗତର ସାଲବେଗ ଭାବେ କଥିତ ମହମ୍ମଦ ସିକନ୍ଦର ଆଲାମଙ୍କର ୮୩ତମ ଜୟନ୍ତୀ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ଓ ମନୋଜ୍ଞ ପରିବେଶ ମଧ୍ୟରେ ଏହି ଦିବଙ୍ଗତ କଳାକାରଙ୍କ ସ୍ମୃତି ଉଦ୍ଦେଶ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଆୟୋଜିତ ଉତ୍ସବରେ ସ୍ୱନାମଧନ୍ୟ ସ୍ୱର ସାଧକ ଶେଖର ଘୋଷଙ୍କୁ ତୃତୀୟ ସିକନ୍ଦର ଆଲାମ ସ୍ମୃତି ସମ୍ମାନ-୨୦୨୨ ରେ ସମ୍ମାନିତ କରାଯାଇଛି । ଏଥି ସହିତ ବିଶିଷ୍ଟ ବାଦକ ଅବନୀକାନ୍ତ ଦାସଙ୍କୁ ମଧ୍ୟ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ-୨୦୨୨ରେ ସମ୍ମାନିତ କରାଯାଇଛି । ଏକ ସଂକ୍ଷିପ୍ତ ଆଭାସୀ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ସ୍ମାରକୀ ପ୍ରଦାନ ପୂର୍ବକ ସମ୍ମାନିତ କରିଛନ୍ତି । ସଭାର ପ୍ରାରମ୍ଭରେ ନୂତନ ଭାବେ ଶପଥ ନେଇଥିବା ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଉଦ୍ଦେଶ୍ୟରେ ସିକନ୍ଦର ଆଲାମ ଫାଉଣ୍ଡେସନ ତରଫରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା । ଦିବଙ୍ଗତ ସଂଗୀତ ସାଧକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଓ ବିଶିଷ୍ଟ ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରକାଶ ଥାଉକି, କିମ୍ବଦନ୍ତୀ ସଂଗୀତଜ୍ଞ ସ୍ୱର୍ଗତ ମହମ୍ମଦ ସିକନ୍ଦର ଆଲାମଙ୍କ ସ୍ମୃତିରେ ସିକନ୍ଦର ଆଲାମଙ୍କ ୮୩ ତମ ଜୟନ୍ତୀ ଅବସରରେ ସିକନ୍ଦର ଆଲାମ ଫାଉଣ୍ଡେସନ ପକ୍ଷରୁ ଉକ୍ତ ପୁରସ୍କାର ପ୍ରଦାନ କରାଯାଇଛି । ସଂଗୀତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ବିଶିଷ୍ଟ ସଂଗୀତ ସାଧକମାନଙ୍କୁ ପ୍ରତିବର୍ଷ ସିକନ୍ଦର ଆଲାମ ସ୍ମୃତି ପୁରସ୍କାରରେ ସମ୍ମାନିତ କରାଯାଉଛି । ଆଭାସୀ ବକ୍ତବ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ ସିକନ୍ଦର ଆଲାମଙ୍କ ସ୍ମୃତି ଓ କୃତି ପ୍ରତି ସଶ୍ରଦ୍ଧ ପ୍ରଣତି ଜଣାଇଥିଲେ । ପୂର୍ବରୁ ସଂଗୀତଜ୍ଞ ପ୍ରଣବ ପଟ୍ଟନାୟକ ଓ ପଦ୍ମଶ୍ରୀ ପ୍ରଫୁଲ୍ଲ କରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ଚଳିତ ବର୍ଷ ଏହି କିମ୍ବଦନ୍ତୀ ସଂଗୀତଜ୍ଞ ସିକନ୍ଦର ଆଲାମଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ସିକନ୍ଦର ଆଲାମ ସ୍ମୃତି ସମ୍ମାନ ଓ ସିକନ୍ଦର ଆଲାମ ବାଦ୍ୟ ରତ୍ନ ସମ୍ମାନ ଲକ୍ଷ ଲକ୍ଷ ସଂଗୀତ ସାଧକ ଓ ସଂଗୀତପ୍ରେମୀଙ୍କୁ ଅନୁପ୍ରାଣିତ କରିବ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଆଭାସୀ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ରୂପେ ରାଜ୍ୟ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ତଥା ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇଥିଲେ । ମନ୍ତ୍ରୀ ତାଙ୍କ ଅଭିଭାଷଣରେ ସ୍ୱର୍ଗତ ସିକନ୍ଦର ଆଲାମଙ୍କର କାଳଜୟୀ ସଂଗୀତ ସାଧନାର ସ୍ମୃତି ଚାରଣ କରିଥିଲେ । ସ୍ୱର୍ଗତ୍ ଆଲାମଙ୍କର ରେଡିଓରେ ପରିବେଷିତ ସୁଲଳିତ ଭଜନ ଏବେବି ଲକ୍ଷ ଲକ୍ଷ ଓଡିଶାବାସୀ ଓ ଜଗନ୍ନାଥ ପ୍ରେମୀଙ୍କୁ ବାନ୍ଧି ରଖିଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ପ୍ରଫୁଲ୍ଲ ସାମଲ, ବିଧାୟକ ଅନନ୍ତନାରାୟଣ ଜେନା, ପୂର୍ବତନ ସାଂସଦ ତଥା କବି ଡକ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ, ପୁଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଆୟକର ଆୟୁକ୍ତ ତଥା ପୂର୍ବତନ ସଂସ୍କୃତି ବିଭାଗ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ସିକନ୍ଦର ଆଲାମ ଫାଉଣ୍ଡେସନର ଅଧ୍ୟକ୍ଷା ନଇମା ଆଲାମ, ସମ୍ପାଦିକା ନାଜିଆ ଆଲାମ, ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସମ୍ପାଦକ ଡକ୍ଟର ଲେନିନ୍ ମହାନ୍ତି ଏବଂ କଳିଙ୍ଗ ହସ୍ପିଟାଲର ନିର୍ଦ୍ଦେଶକ ଶୀତିକଣ୍ଠ ଦାସ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ ସିକନ୍ଦର ଆଲାମଙ୍କ ଅବଦାନ ପ୍ରତି ବକ୍ତବ୍ୟ ରଖିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓଡିଶାର ବହୁ ପ୍ରତିଷ୍ଠିତ ଶିଳ୍ପୀମାନଙ୍କ ଦ୍ୱାରା ଆଲାମ ସଂଗୀତ ପରିବେଷଣ କରାଯାଇଥିଲା । ଏଥିରେ ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଶେଖର ଘୋଷ, ମହାପ୍ରସାଦ କର, ନାଜିଆ ଆଲାମ, ସୁଶାନ୍ତ ପଣ୍ଡା, ରଣଦୀପ ପାଲିତ, ବନ୍ଦିଶ ପାଲିତ, ଦେବାଶିଷ ମହାପାତ୍ର, ଆଦ୍ୟାଶା ଦାସ, ରଶ୍ମିତା, ୟସ୍ ମହାନ୍ତି ଓ ସୁକାନ୍ତ ରଥ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଉପସ୍ଥିତ ବହୁ ସଂଗୀତ ଅନୁରାଗୀ ଉକ୍ତ କାର୍ଯ୍ୟକ୍ରମରେ ଭରପୁର ଆନନ୍ଦ ନେଇଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସୁନାମଧନ୍ୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କ ସମେତ ସଂଗୀତ ଗାନ କରିଥିବା ସମସ୍ତ ଶିଳ୍ପୀମାନଙ୍କୁ ଏହି ଅବସରରେ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *