କାଲି ଓଡ଼ିଶା ଆସୁଛନ୍ତି ମହାମହିମ, ୨୬ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

କାଲି ଓଡ଼ିଶା ଆସୁଛନ୍ତି ମହାମହିମ, ୨୬ରେ କଟକର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି
ବ୍ଲୁ ବୁକ୍ ଏସଓପି ଅନୁସାରେ ଦିଆଯିବ ସୁରକ୍ଷା

News by Smruti ranjan Tripathy (Cuttack)

#ଭୁବନେଶ୍ୱର/କଟକ(ଏନ୍‌.ଏମ୍‌.): ମହାମହିମ ରାଷ୍ଟ୍ରପତିଙ୍କ ତିନିଦିନିଆ ଓଡ଼ିଶା ଗ୍ରସ୍ତ ନେଇ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି ରାଷ୍ଟ୍ରପତି ଭବନରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଆସିବେ । ସେ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ପରେ ସେଠାରୁ ରାଜଭବନ ଯିବେ । ଉକ୍ତଦିନ ରାଜଭବନ ଠାରେ ରାଜ୍ୟର ଆଦିମ ଜନଜାତି ସମୁଦାୟର ପ୍ରତିନିଧିମାନଙ୍କୁ ଭେଟିବେ ଓ ସେଠାରେ ରାତ୍ରୀ ଯାପନ କରିବେ । ୨୬ତାରିଖ ଦିନ ରାଷ୍ଟ୍ରପତି କଟକ ଚଣ୍ଡିମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ବାସଭବନ ଓ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ସେହିଦିନ କଟକରେ ଓଡ଼ିଶା ହାଇକୋର୍ଟର ୭୫ତମ ପ୍ରତିଷ୍ଠା ଦିବସ ସମାରୋହ, କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ଏବଂ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ସେହିଭଳି ୨୭ତାରିଖରେ ଭୁବନେଶ୍ୱରର ତମାଣ୍ଡୋର ଦଶବାଟିଆ ଠାରେ ବ୍ରହ୍ମକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍ କମ୍ପେ୍ଲକ୍ସର ଶିଳାନ୍ୟାସ କରିବା ସହ ଭଦ୍ରକ ଯାଇ ଭଦ୍ରକ ସ୍ୱୟଂଶାସିତ କଲେଜର ହୀରକ ଜୟନ୍ତୀ ସମାରୋହରେ ଯୋଗ ଦେଇ ନୂଆଦିଲ୍ଲୀ ଫେରିଯିବେ । ତିନିଦିନିଆ ମହାମହିଙ୍କ ଓଡ଼ିଶା ଗ୍ରସ୍ତ ନେଇ କଟକ-ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ବ୍ଲୁ ବୁକ୍ ଗାଇଡଲାଇନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୪୦ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ । ରାଷ୍ଟ୍ରପତିଙ୍କ କାରକେଡ ଦାୟିତ୍ୱରେ ଏସପି ରାଙ୍କ ଅଧିକାରୀ ରହିବେ ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି । ସେହିଭଳି ଆଜି ପୂର୍ବାହ୍ନରେ କଟକରେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଆଜି ଫାଇନାଲ ମକଡ୍ରିଲ କରାଯାଇଛି । ବିମାନବନ୍ଦରରୁ ରାଜଭବନ ପରେ ରାଜଭବନରୁ କାର୍ଯ୍ୟକ୍ରମ ସ୍ଥାନକୁ ଫୁଲ କାରକେଡ ରିହରସିଆଲ କରାଯାଇଛି । ତେବେ ରାଷ୍ଟ୍ରପତି ନରାଜ ଠାରେ ହେଲିକପ୍ଟରରୁ ଓହ୍ଲାଇ ଚଣ୍ଡିମନ୍ଦିର ଆସିବା ଏବଂ ବିଭିନ୍ନ କାର୍ଯ୍ୟକ୍ରମ ସ୍ଥାନକୁ କିଭଳି ଯିବେ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କଟକ ଡିସିପି ପିନାକ ମିଶ୍ର ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *