News by Padmalochan Mishra (Cuttack)

କଲିକତା ବ୍ରିଗେଡ଼ ପଡିଆରେ ଏସୟୁସିଆଇ(ସି) ଜନ ସମାବେଶ ଅଗଷ୍ଟ ୫ରେ

News by Padmalochan Mishra (Cuttack)

#କଟକ (ଏନ୍‌.ଏମ୍‌.): ଏ ଯୁଗର ବିଶିଷ୍ଟ ମାର୍କ୍ସବାଦୀ ଦାର୍ଶନିକ, ସର୍ବହରା ଶ୍ରେଣୀର ମହାନ ନେତା ତଥା ଏସ୍‌.ୟୁ.ସି.ଆଇ(ସି)ର ପ୍ରତିଷ୍ଠାତା ସାଧାରଣ ସମ୍ପାଦକ ଶିବଦାସ ଘୋଷଙ୍କର ଜନ୍ମ ଶତବର୍ଷ ଦେଶ ବ୍ୟାପୀ ଏକ ବର୍ଷ ଧରି ପାଳନ କରାଯାଉଛି । କମ୍ରେଡ ଶିବଦାସ ଘୋଷଙ୍କ ଶିକ୍ଷା ଓ ସଂଗ୍ରାମକୁ ଜନଗଣଙ୍କ ମଧ୍ୟକୁ ନେଇଯିବା ପାଇଁ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି । ତାଙ୍କର ଜନ୍ମ ଶତବର୍ଷ ଉଦ୍‌ଯାପନ ଉପଲକ୍ଷେ କଲିକତା ବ୍ରିଗେଡ଼ ପଡିଆରେ ଏକ ସର୍ବଭାରତୀୟ ବିଶାଳ ଜନ ସମାବେଶ ୫ ଅଗଷ୍ଟରେ ଅନୁଷ୍ଠିତ ହେବ । ଏହି ସମାବେଶରେ ଓଡ଼ିଶାରୁ ୨୦ ହଜାର ରୁ ଉର୍ଦ୍ଧ୍ୱ ଲୋକ ଯୋଗ ଦେବେ ବୋଲି ପାର୍ଟିର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ତଥା କଟକ ଜିଲ୍ଲା କମିଟି ସମ୍ପାଦକ ବିଶ୍ୱାବସୁ ଦାସ ସ୍ଥାନୀୟ ଗାନ୍ଧୀଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । କୋଟି କୋଟି ଶୋଷିତ ଓ ନିର୍ଯ୍ୟାତିତ ଲୋକମାନଙ୍କ ପ୍ରତି ଥିବା ଗଭୀର ଆବେଗ ଓ ଭଲପାଇବା ଯୋଗୁଁ ସେମାନଙ୍କୁ ପୁଞ୍ଜିବାଦୀ ଶୋଷଣରୁ ମୁକ୍ତ କରିବା ତଥା ଆନ୍ତର୍ଜାତିକ କମ୍ୟୁନିଷ୍ଟ ଆନ୍ଦୋଳନକୁ ଶକ୍ତିଶାଳୀ କରିବା ପାଇଁ କମ୍ରେଡ ଶିବଦାସ ଘୋଷ ଆମ ଦେଶର ମାଟିରେ ମାର୍କ୍ସବାଦକୁ ବିଶେଷୀକୃତ ଓ ବିକଶିତ କରିଥିଲେ । ଏହା ସଂଗେସଂଗେ ଶୋଷିତ ଜନସାଧାରଣଙ୍କର ମୁକ୍ତିର ହତିଆର ଭାବରେ ଦେଶର ଏକମାତ୍ର ସଠିକ କମ୍ୟୁନିଷ୍ଟ ପାର୍ଟି, ଏସ୍‌.ୟୁ.ସି.ଆଇ.(ସି)କୁ ଗଢି ତୋଳିଥିଲେ । ସଂପ୍ରତି ଦେଖାଦେଇଥିବା ଜାତୀୟ ଓ ଆନ୍ତର୍ଜାତୀୟ ସଙ୍କଟ ସମୟରେ ତାଙ୍କ ଶିକ୍ଷାକୁ ପାଥେୟ କରି ଦରଦାମ ବୃଦ୍ଧି, ବେକାରୀ, ଶିକ୍ଷା ଓ ସ୍ୱାସ୍ଥ୍ୟର ବ୍ୟବସାୟୀକରଣ, ସାମ୍ପ୍ରଦାୟିକ ହିଂସା, ନାରୀ ନିର୍ଯାତନା ଇତ୍ୟାଦିରୁ ମୁକ୍ତି ତଥା କୃଷକ ଓ ଶ୍ରମିକମାନଙ୍କ ଅଧିକାରର ସୁରକ୍ଷା ପାଇଁ ସାମାଜିକ ପରିବର୍ତ୍ତନର ଧାରାକୁ ତ୍ୱରାନ୍ୱିତ କରିବା ହିଁ ସମୟର ଆହ୍ୱାନ ବୋଲି ଶ୍ରୀ ଦାସ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍ ୟୁ ସି ଆଇ (ସି) ଜିଲ୍ଲା ଅଫିସ୍ ସଂପାଦକ ଖଗେଶ୍ୱର ସେଠୀ, ଜିଲ୍ଲା କମିଟି ସଭ୍‌ଯ ରାଜକିଶୋର ମଲ୍ଲିକ, ମାଳବିକା ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *