କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ

କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ବିକ୍ଷୋଭ


କଟକ (ଏନ୍‌.ଏମ୍‌.): କରୋନା ଜନିତ ଆର୍ଥିକ ସମସ୍ୟାର ସମାଧାନ ଦାବିରେ ଏସୟୁସିଆଇସି ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସୁପ୍ରିମକୋର୍ଟଙ୍କର ରାୟ ଅନୁଯାୟୀ କରୋନାରେ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପରିବାରକୁ ତୁରନ୍ତ ପର୍ଯ୍ୟାପ୍ତ ପାରିମାଣର ଆର୍ଥିକ ସହାୟତା ଯୋଗାଇଦେବା, କରୋନାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ତାଲିକା ତୁରନ୍ତ ସଂଶୋଧନ କରି ଏଥିରେ ସମସ୍ତ ମୃତକଙ୍କ ନାମ ପଞ୍ଜିକୃତ କରିବା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପରିସରଭୁକ୍ତ ହୋଇନଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା, ସମସ୍ତ ଅଣସଂଗଠିତ ଶ୍ରମିକଙ୍କୁ ତୁରନ୍ତ ପଞ୍ଜିକୃତ କରି ସେମାନଙ୍କୁ ପର୍ଯ୍ୟାପ୍ତ ଆର୍ଥିକ ସାହାଯ୍ୟ ସମେତ ଆବଶ୍ୟକ ପରିମାଣର ଖାଦ୍ୟ ସାମଗ୍ରୀ ଯୋଗାଇଦେବା ଏବଂ ସମସ୍ତ ପ୍ରବାସୀ ଶ୍ରମିକଙ୍କର ପଞ୍ଜିକରଣ କାରିବା ସହିତ ଲକ ଡାଉନ ଓ ସଟ ଡାଉନ ସମୟରେ ସେମାନଙ୍କୁ ଆବଶ୍ୟକ ପାରିମାଣରେ ଆର୍ଥିକ ସହାୟତା ଏବଂ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବା ଦାବିରେ ଏସ୍‌.ୟୁ.ସି.ଆଇ(ସି) ପକ୍ଷରୁ ଆଜି ସାରା ଓଡିଶା ଦାବି ଦିବସ ପାଳନ କାରାଯାଉଛି । ଏହାର ଏକ ଅଂଶ ଭାବେ ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲା କମିଟି ସଂପାଦକ ବିଶ୍ୱାବସୁ ଦାସଙ୍କ ସଭାପତିତ୍ୱରେ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିକ୍ଷୋଭକାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏସ୍‌.ୟୁ.ସି.ଆଇ(ସି) କଟକ ଜିଲ୍ଲା କମିଟିର ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସୌଭାଗ୍ୟକେତନ ସାମଲ, ଶିବାଶିଷ ପ୍ରହରାଜ, ସସ୍ମିତା ମହାନ୍ତି, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ବିନୋଦ ସେଠୀ, ମାଳବିକା ସାମଲ, ଶୋଭାରାଣୀ ଦେହୁରୀ, ଇଶା ଧର, ସିପ୍ରା ମହାନ୍ତି, ପାଭେଲ ପ୍ରିୟଦର୍ଶନ, ସ୍ୱାଧିନୀ ବେହେରା, ଶିବାନୀ ସାହୁ, ଜ୍ୟୋସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ସରୋଜ ମାନସିଂ ପ୍ରମୁଖ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଦେଶରେ ପ୍ରାୟ ଦେଢବର୍ଷ ଧରି ଲାଗି ରହିଥିବା ଭୟାବହ କରୋନା ମହାମାରୀ ଫଳରେ ଇତି ମଧ୍ୟରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡିଛନ୍ତି । କରୋନା ଆକ୍ରାନ୍ତମାନଙ୍କର ଚିକିତ୍ସା କ୍ଷେତ୍ରରେ ଚରମ ଅବ୍ୟବସ୍ଥା ଦେଖିବାକୁ ମିଳୁଛି । ଉତ୍ତମ ଚିକିତ୍ସା ତ ଦୂରର କଥା, ଅକ୍ସିଜେନ ଅଭାବରୁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଆହୁରି ମଧ୍ୟ କରୋନାରେ ମୃତ୍ୟୁବରଣ କରୁଥିବା ଲୋକମାନଙ୍କର ପ୍ରକୃତ ସଂଖ୍ୟା ଗୋପନ ରଖାଯାଉଛି । ଏହା ବ୍ୟତୀତ ସମସ୍ତ ବର୍ଗର ସାଧାରଣ ଲୋକ ଭୟଙ୍କର ଆର୍ଥିକ ଦୁରାବସ୍ଥାର ଶିକାର ହୋଇଛନ୍ତି । କୋଟି କୋଟି ଲୋକ ଜୀବିକା ହରାଇଛନ୍ତି । ଅସଂଗଠିତ କ୍ଷେତ୍ରରେ କାମକରୁଥିବା ଶ୍ରମିକ ଓ ପ୍ରବାସୀ ଶ୍ରମିକମାନେ ଅବର୍ଣ୍ଣନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି । ଏହିଭଳି ଏକ ଦୁର୍ଭାଗ୍ୟଜନକ ପରିସ୍ଥିତିରେ ଦେଶର ସର୍ବୋଚ୍ଚ ଅଦାଲତ ଗତ ଜୁନ ୩୦ ତାରିଖରେ ପ୍ରଦାନ କରିଥିବା ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବା ସହ ଉପରୋକ୍ତ ଦାବିଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ପୂରଣ କରିବା ପାଇଁ ସଂଗଠନ ପକ୍ଷରୁ ଦାବି କରାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *