କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ

କଟକ ଦୁର୍ଗାପୂଜା ନେଇ ମହାନଗର ଶାନ୍ତି କମିଟିର ଚୁଡ଼ାନ୍ତ ସମୀକ୍ଷା ବୈଠକ

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): କଟକ ମହାନଗର ଶାନ୍ତି କମିଟି ପକ୍ଷରୁ ସ୍ଥାନୀୟ ବିଡାନାସୀସ୍ଥିତ ଚହଟା ମନ୍ଦିରରେ କଟକର ଐତିହାସିକ ଦୁର୍ଗାପୂଜାର ସଫଳତା ନେଇ ଶେଷ ପର୍ଯ୍ୟାୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶାନ୍ତି କମିଟି ସଭାପତି ଦେବେନ୍ଦ୍ରନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଦୁର୍ଗାପୂଜା ପ୍ରସ୍ତୁତି ସଭାରେ କଟକ ସହରର ୧୭୫ ପୂଜା ମଣ୍ଡପର ସଭାପତି ଓ ସମ୍ପାଦକ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଉଚ୍ଚପଦସ୍ଥ ଅଧିକାରୀ, ନିର୍ବାଚିତ ଜନ-ପ୍ରତିନିଧି, ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଏବଂ ସମ୍ବାଦପାତ୍ର ଓ ଗଣମାଧ୍ୟମ ପ୍ରତିନଧିଙ୍କ ସମେତ ପ୍ରାୟ ୫ଠଠ ରୁ ଅଧିକ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ବିଶେଷ କରି ଚଳିତ ବର୍ଷ ସହରରେ ସମସ୍ତ ପୂଜା ପର୍ବକୁ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା ।
ଉକ୍ତ ସଭାରେ ବରେଣ୍ୟ ଅତିଥି ଭାବେ ଭୁବନେଶ୍ୱର-କଟକ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶି, କଟକ ମହାନଗର ପୂଜା କମିଟି ସମ୍ପାଦକ ତଥା ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, କଟକ ସଦର ବିଧାୟକ ଚନ୍ଦ୍ରସାରଥୀ ବେହେରା, କଟକ ମହାନଗର ନିଗମ ମେୟର ସୁବାସ ସିଂହ, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀ, କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି, କଟକ ଡି.ସି.ପି. ପିନାକ ମିଶ୍ର, କଟକ ନଗର ବି.ଜେ.ଡ଼ି. ସଭାପତି ମଧୁସୂଦନ ସାହୁ, କଟକ ନଗର କଂଗ୍ରେସ କମିଟି ସଭାପତି ସୁରେଶ ମହାପାତ୍ର, କଟକ ନଗର ବି.ଜେ.ପି. ସଭାପତି ଲଲାଟେନ୍ଦୁ ବଡ଼ୁ, ସି.ପି.ଆଇ. କଟକ ଜିଲ୍ଲା ସଂପାଦକ ଅମରେନ୍ଦୁ ମହାନ୍ତି ଏବଂ ସି.ପି.ଆଇ. (ଏମ୍‌) କଟକ ଜିଲ୍ଲା ସମ୍ପାଦକ ବଦ୍ରିନାରାୟଣ ଦାସ ପ୍ରମୁଖ ଉପସ୍ଥିତ ରହି କଟକର ପାର୍ବଣକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରି ସହରର ଗରିମା ବଜାୟ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ଶାନ୍ତି କମିଟିର ଉପସଭାପତି-ଧର୍ମେଶ ନାୟକ ଓ ଦେବେନ୍ଦ୍ର କାହାଳୀ, ସାଧାରଣ ସମ୍ପାଦକ-ଭିକାରୀ ଦାସ, ସଂଗଠନ ସମ୍ପାଦକ-ନରେଶ ସାହୁ, ସହସମ୍ପାଦକ-ରବୀନ୍ଦ୍ର ବେହେରା ଓ ଡକ୍ଟର ଦ୍ୱିପାୟନ ପଟ୍ଟନାୟକ, କାର୍ଯ୍ୟାଳୟ ସମ୍ପାଦକ-କେଦାର ବେହେରା ଓ ସହସମ୍ପାଦକ-ସୁଦୀପ୍ତ ସ୍ୱାଇଁଙ୍କ ସମେତ ବିଡାନାସୀ ଦୁର୍ଗାପୂଜା କମିଟିର ସଭାପତି-ଭଗବାନ ଚାନ୍ଦ, ଉପସଭାପତି-ସୁବାଷ ସାହୁ, ସମ୍ପାଦକ-ଟୁକୁନା ସେନାପତି କର୍ମକର୍ତ୍ତା ସର୍ବଶ୍ରୀ- ଅଜୟ ସେନାପତି, ଉମେଶ ବେହେରା, ସୁବାଶିଷ ନାୟକ, ଦାମୋଦର ବେହେରା, ନାରାୟଣ ମୁଦୁଲି, ଜଟାଧାରୀ ସାମଲ, ବିଜୟ ସେଠୀ, ସତ୍ୟଶ୍ରୀ ବେହେରା ଓ ଶରତ ସିଂହଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟର ବିଶିଷ୍ଟ କଣ୍ଠଶିଳ୍ପୀ ଟି. ସୌରୀ ଯୋଗଦେଇ ପୂଜା ହେଉ ବା ଭସାଣି ପାର୍ବଣ ସମୟରେ ଦ୍ୱିଅର୍ଥ ବୋଧକ ସଂଗୀତ ପରିବେଷଣ ଉପରେ କଟକଣା ଲଗାଇବାଗୁ ପ୍ରସ୍ତାବ ଦେଇଥିଲେ । କଟକର ପ୍ରତ୍ୟେକ ପର୍ବପର୍ବାଣୀ ରାଜ୍ୟ ତଥା ଦେଶ ପାଇଁ ଏକ ଉଦାହରଣ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳ କଟକର ପର୍ବପର୍ବାଣୀକୁ ଅନୁକରଣ କରିଥାନ୍ତି । ତେବେ ଏ ସମୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ତଥା ଭସାଣି ସମୟରେ ଦ୍ୱିଅର୍ଥ ବୋଧକ ସଂଗୀତ ପରିବେଷଣ ଦ୍ୱାରା ଉପସ୍ଥିତ ମହିଳା, ବୁଦ୍ଧିଜୀବୀ ତଥା ବରିଷ୍ଠ ନାଗରିକମାନଙ୍କ ମନକୁ କଷ୍ଟ ଦେଇଥାଏ । ସମ୍ପ୍ରତି ନାଚକୁଦ କରିବା ତଥା ଯୁବଗୋଷ୍ଠୀ ମଜା ନେବା ନିମନ୍ତେ ବହୁ ଗୀତ, ଡିଜେ ସଂଗୀତ ମଧ୍ୟ ରହିଛି ସେଗୁଡ଼ିକ ବ୍ୟବହାର କଲେ ମଧ୍ୟ କୌଣସି ସମସ୍ୟା ନାହିଁ । ତେଣୁ କଟକ ସହରରେ ପାର୍ବଣ ସମୟରେ ଦ୍ୱିଅର୍ଥ ବୋଧକ ସଂଗୀତ ପରିବେଷଣ ନକରିବାକୁ କଣ୍ଠଶିଳ୍ପୀ ଟି. ସୌରୀ ନିବେଦନ କରିଥିଲେ । ତେବେ ଏହାକୁ ନେଇ ଶାନ୍ତି କମିଟି ବିଚାର କରିବ ବୋଲି ବୈଠକରେ କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *