କଟକରେ ଅଘଟଣ: ରାସ୍ତା ଉପରେ ଭୁଶୁଡିଲା ଖାନନଗର ତୋରଣ

#କଟକ(ଏନ୍.ଏମ୍.): କଟକରେ ଆଜି ଏକ ବିରାଟ ଅଘଟଣ ଘଟିଯାଇଛି। ରାସ୍ତା ଉପରେ ଭୁଶୁଡି ପଡ଼ିଛି ଆଲୋକ ତୋରଣ। ସ୍ଥାନୀୟ ସିଏନବିଟି (କଟକ ନେତାଜୀ ବସ ଟର୍ମିନାଲ) ନିକଟରେ ଦଶହରା ପାଇଁ ଖାନନଗର ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ସୁଉଚ୍ଚ ତୋରଣ ଆଜି ଅଚାନକ ରାସ୍ତା ଉପରେ ଭୁଶୁଡ଼ି ପଡ଼ିଥିଲା। ରାସ୍ତା ଉପକୁ ଏହା ଭୁଶୁଡ଼ି ପଡ଼ିଥିବାବେଳେ ଏହା ତଳେ ଗୋଟିଏ କାର୍ ଓ ୩ଟି ବାଇକ୍ ଚାପି ହୋଇ ରହିଥିବା ଜଣାପଡ଼ିଛି। ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। କଟକର ସର୍ବ ଉଚ୍ଚତା ବିଶିଷ୍ଟ ତୋରଣ ହେଉଛି ଖାନନଗର ପୂଜା ମଣ୍ଡପ ତୋରଣ।
ସୂଚନାନୁଯାୟୀ, ଦୁର୍ଗା ପୂଜା ପାଇଁ ଖପୁରିଆ ଖାନନଗର ଶିଳ୍ପାଞ୍ଚଳ ପୂଜା କମିଟିର ନେତାଜୀ ବସ ଟର୍ମିନାଲ ସମ୍ମୁଖରେ ହୋଇଥିବା ଲାଇଟଗେଟ ତୋରଣ ହଠାତ ଆଜି ଭୁଶୁଡିପଡିଥିଲା। ଅଚାନକ ଜୋରରେ ପବନ ହେବା ଯୋଗୁଁ ତୋରଣ ଭୁଶୁଡ଼ି ପଡ଼ିଥିଲା। ତେବେ ଏହା ତଳେ ବହୁ ଯାନବାହାନ ଚାପି ହୋଇ ରହିଛି । ଏଥିରେ ଅନେକ କ୍ଷତି ଘଟିଛି। ତୋରଣ ତଳେ ଚାପି ହୋଇ ରହିଥିବା ଗାଡି ଗୁଡିକୁ ସ୍ଥାନୀୟଲୋକେ ବାହାର କରିଛନ୍ତି। ଅନ୍ୟପଟେ ତୋରଣ ଯୋଗୁ ରାସ୍ତା ଜାମ୍ ହୋଇ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା । ଦୁଇଟି କ୍ରେନ ସାହାଯ୍ୟରେ ତୋରଣକୁ ହଟାଯାଇ ଚପିଥିବା ଗାଡିକୁ କଢ଼ାଯାଇଛି। ତେବେ ଏହି ଦୁର୍ଘଟଣାରେ କାର ଚାଳକ ସମେତ ଅନ୍ୟକିଛି ଲୋକ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ ସାହୁ କହିଛନ୍ତି, କୌଣସି ଏକ ଭାରି ଯାନ ତୋରଣକୁ ଧକ୍କା ଦେବାରୁ ଏଭଳି ଅଘଟଣ ଘଟିଛି।
