କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ

କଂଗ୍ରେସରୁ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ନିଲମ୍ବିତ
ମୋକିମ ହେବେ କି ବିଜେପି ମୁହାଁ !

News by Smruti Ranjan Tripathy (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଦୀର୍ଘ ବର୍ଷ ଧରି ରାଜନୈତିକ ପଶାପାଲିରେ ବିଫଳ ହେଉଥିବା କଂଗ୍ରେସ ଆଜି ନିଜ ଦଳର ବଳିଷ୍ଟ ନେତାଙ୍କୁ ନିଲମ୍ବନ କରିଥିବା ନେଇ କଂଗ୍ରେସ ସହିତ ଅନ୍ୟ ରାଜନୈତିକ ଦଳରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ପୂର୍ବରୁ ରାଷ୍ଟ୍ରପତି ନିର୍ବାଚନ ନେଇ ନୋଟିସ ହୋଇଥିବାବେଳେ ଏବେ ଦଳରୁ ନିଲମ୍ବନ କରାଯାଇଛି । ତେବେ ଇଂ. ମୋକିମ ବିଜେପି ଆଡକୁ ମୁହାଁଉଥିବା ଚର୍ଚ୍ଚା ଚାଲିଥିବାବେଳେ ନିଲମ୍ବନ ପରେ ସେ କେଉଁ ଦଳରେ ସାମିଲ ହେବେ ତାହାକୁ ନେଇ ରାଜ୍ୟବାସୀ ନଜର ରଖିଛନ୍ତି । ତେବେ ଇଂ. ମୋକିମଙ୍କ ଜଣେ ସହଯୋଗୀଙ୍କ ସମ୍ପର୍କୀୟ ଆରଏସଏସରେ ବରିଷ୍ଠ କର୍ମକର୍ତ୍ତା ଥିବାରୁ ସେ ଆସନ୍ତା ନିର୍ବାଚନରେ ବିଜେପିରୁ ଟିକେଟ ନେବେ ବୋଲି ବହୁ ରାଜନୈତିକ ସମୀକ୍ଷକ ଆଲୋଚନା ପ୍ରସଙ୍ଗରେ କହିଛନ୍ତି । ଅନ୍ୟପକ୍ଷରେ ଇଂ. ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କୁ ଦଳରୁ ନିଲମ୍ବନ କରି କଂଗ୍ରେସ ନିଜର ଅବନତିକୁ ଆମନ୍ତ୍ରଣ କରୁଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି । ତେବେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ଏଆଇସିସି ଉଭୟଙ୍କୁ ଆଜି ନିଲମ୍ବନ କରିଛି ।
କଟକ-ବାରବାଟୀ ବିଧାୟକ ଇଂ. ମହମ୍ମଦ ମୋକିମ୍ ଓ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଆଜି କଂଗ୍ରେସରୁ ନିଲମ୍ବନ କରାଯାଇଛି । ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ୍ ଅନୱାର ଏକ ପ୍ରେସ୍ ରିଲିଜ୍ ଜାରି କରି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ତେବେ ୨୦୧୯ ସାଧାରଣ ନିର୍ବାଚନ ପରଠୁ ଚିରଞ୍ଜିବୀ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବାବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତିକୁ ପାଳନ କରୁନଥିଲେ । ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନ ରାଜ୍ୟ କଂଗ୍ରେସରେ ଚର୍ଚ୍ଚା ଓ ଆଲୋଡ଼ନର ବିଷୟ ହୋଇଛି । ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ଏବେ ଉକ୍ତ ଦୁଇ ନେତାଙ୍କୁ ନିଲମ୍ବିତ ଅବସ୍ଥାରେ ବିଜେଡି ନିଜ ସହ ସାମିଲ କରିବା ସମ୍ଭାବନା କ୍ଷୀଣ ବୋଲି ବିଜେଡିର କିଛି ନେତା ପ୍ରକାଶ କରିଛନ୍ତି । ଏଭଳି କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କଂଗ୍ରେସର ସଂଗଠନକୁ ଓଡ଼ିଶାରେ ଅଧିକ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବ ବୋଲି ଚର୍ଚ୍ଚା ହେଉଥିବାବେଳେ ଦଳ ଏ ନେଇ ଲାଭରେ ରହିବ ନା କ୍ଷତିରେ ତାହା ସମୟକୁ ଅପେକ୍ଷା ବୋଲି କୁହାଯାଉଛି ।
ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟି ସଦସ୍ୟ ସଚିବ ତାରିକ୍ ଅନୱାର କହିଛନ୍ତି ଯେ, ଚିରଞ୍ଜିବୀ ଓ ମୋକିମ୍ ଦଳବିରୋଧୀ ଗତିବିଧିରେ ଲିପ୍ତ ଥିବା ନେଇ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଅଭିଯୋଗ କରିଥିଲେ । ତାଙ୍କର ଏହି ଅଭିଯୋଗ ଉପରେ ଶୃଙ୍ଖଳାଗତ କମିଟିରେ ଆଲୋଚନା ହୋଇଥିଲା ଓ ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଉଭୟ ନେତାଙ୍କଠୁ ଯେଉଁ ଉତ୍ତର ମିଳିଥିଲା ତାହା ସନ୍ତୋଷଜନକ ନଥିଲା । ତେଣୁ ଉଭୟ ନେତାଙ୍କୁ ଦଳ ବିରୋଧୀ କାର୍ଯ୍ୟକ୍ରମରେ ଲିପ୍ତ ରହିବା କାରଣରୁ ତତ୍କାଳ ପ୍ରଭାବରୁ କଂଗ୍ରେସ ଦଳରୁ ନିଲମ୍ବନ କରାଗଲା ବୋଲି ଅନୱାର ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *