ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ

ଓଡ଼ିଶା ରାଜ୍ୟ ସ୍କାଉଟ୍ସ ଓ ଗାଇଡ୍‌ସର ରାଜ୍ୟ ପୁରସ୍କାର ଉତ୍ସବ
ପ୍ରେମ ଓ ଶୃଙ୍ଖଳା ସ୍କାଉଟ୍ସ ଓ ଗାଇଡ୍ସର ମୂଳାଦର୍ଶ-ରାଜ୍ୟପାଳ

News by I&PR Odisha

ଭୁବନେଶ୍ୱର(ଏନ୍‌.ଏମ୍‌.): ଆମ ସ୍ଥିତିର ଅନ୍ତିମ ସତ୍ୟ ହେଉଛି ପ୍ରେମ । ପ୍ରେମର ଆଧାରରେ ସାରା ବ୍ରହ୍ମାଣ୍ଡ ପ୍ରତିଷ୍ଠିତ ଏବଂ ଏହା ଏକ ଶୃଙ୍ଖଳାରେ ପରିଚାଳିତ । ଏହି ପ୍ରେମ ଓ ଶୃଙ୍ଖଳା ହେଉଛି ସ୍କାଉଟ୍ସ ଓ ଗାଇଡ୍‌ସର ମୂଳାଦର୍ଶ ବୋଲି ରାଜ୍ୟପାଳ ତଥା ଓଡ଼ିଶା ରାଜ୍ୟ ଭାରତ ସ୍କାଉଟ୍ସ ଓ ଗାଇଡ୍‌ସର ମୁଖ୍ୟ ପୃଷ୍ଠପୋଷକ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଭୁବନେଶ୍ୱରରେ ଅନୁଷ୍ଠିତ ରାଜ୍ୟ ପୁରସ୍କାର ଉତ୍ସବରେ ଯୋଗଦେଇ ପ୍ରଫେସର ଲାଲ କହିଲେ ଯେ ଜନ୍ମ, ମୃତ୍ୟୁ ଓ ଜୀବନ ରହସ୍ୟମୟ । ରହସ୍ୟର ଉନ୍ମୋଚନରେ ସତ୍ୟ ପ୍ରକାଶିତ । ଏବଂ ଏଥିପାଇଁ ଲୋଡ଼ା କରୁଣା, ପ୍ରେମ ଓ ମାନବିକତା । ଏହି ଆଦର୍ଶରେ ଉଦ୍‌ବୁଦ୍ଧ ହୋଇ ଜୀବନକୁ ସାର୍ଥକ କରିବା ପାଇଁ ସ୍କାଉଟ୍ସ ଓ ଗାଇଡ୍‌ସ ପ୍ରେରଣା ଦେଇଥାଏ ବୋଲି ରାଜ୍ୟପାଳ କହିଥିଲେ । ରାଜ୍ୟ ମୁଖ୍ୟ କମିଶନର କାଳୀପ୍ରସାଦ ମିଶ୍ର ସ୍କାଉଟ୍ସ ଓ ଗାଇଡ୍‌ସର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ମନ୍ତ୍ରୀ ତଥା ସଭାପତି ଅତନୁ ସବ୍ୟସାଚୀ ନାୟକ, ଉପସଭାପତି ବିଧାୟକ ଅନନ୍ତ ନାରାୟଣ ଜେନା, ଉପସଭାପତି ତଥା ମହିଳା କମିଶନର ଅଧ୍ୟକ୍ଷା ମିନତୀ ବେହେରା, ଲୋକସେବକ ମଣ୍ଡଳ ଉପସଭାପତି ତଥା ଓଡ଼ିଶା ଶାଖା ଅଧ୍ୟକ୍ଷ ନିରଞ୍ଜନ ରଥ, ଉପସଭାପତି ମନୋରଞ୍ଜନ ମହାନ୍ତି, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସ୍କାଉଟ୍ସ ଓ ଗାଇଡ୍‌ସମାନେ ଉତ୍ସବରେ ଯୋଗଦେଇଥିଲେ ।

Leave a Reply

Your email address will not be published. Required fields are marked *