News by I&PR (Odisha)

ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ ‘ଅକ୍ଷର’ ଉଦଯାପିତ
୪ର୍ଥ ରାଜ୍ୟ ପୁସ୍ତକ ମହୋତ୍ସବ ସଫଳ ହୋଇଛି : ସଂସ୍କୃତି ମନ୍ତ୍ରୀ

News by I&PR (Odisha)

ଭୁବନେଶ୍ୱର(ଏନ୍‌.ଏମ୍‌.): ଡିସେମ୍ବର ୯ତାରିଖରୁ ଭୁବନେଶ୍ୱର ୟୁନିଟ୍‌-୩ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ହୋଇଥିବାରାଜ୍ୟ ପୁସ୍ତକ ମହୋତ୍ସବ -୨୦୨୨ ଅକ୍ଷର ଉଦଯାପିତ ହୋଇଯାଇଛି । ଉଦଯାପନୀ ସଭାରେ ରାଜ୍ୟ ପର୍ଯ୍ୟଟନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ତଥା ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଓଡିଆ ଭାଷା, ସାହିତ୍ୟ ,ସଂସ୍କୃତି ବିଭାଗ ଆନୁକୁଲ୍ୟରେ ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ ଏବଂ ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ପୁସ୍ତକ ମହୋତ୍ସବରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ, ପୁସ୍ତକ ଜରିଆରେ ବିଶ୍ୱକୁ ଦେଖିବାରେ ଏକ ପରିବ୍ୟାପ୍ତ ଜୀବନକୁ ଲମ୍ଫ ପ୍ରଦାନ କରିବାକୁ ହୋଇଥାଏ । ପୁସ୍ତକ, ପାଠକମାନଙ୍କୁ ସୁବିଚାର ସହ ସେମାନଙ୍କର ଜୀବନକୁ ନିଖୁଣ କରି ଗଢିବାରେ ସହାୟକ ହୋଇଥାଏ । ପାଠକପାଠିକାମାନଙ୍କର ପାଠକୀୟ ଅନୁରାଗ ବା କ୍ରେତାଙ୍କ ଆବେଗକୁ ନେଇ ଲେଖକମାନଙ୍କର ଲେଖା ଦ୍ୱାରା ପ୍ରକାଶକମାନେ ପୁସ୍ତକ ପ୍ରକାଶନ ପାଇଁ ଉତ୍ସାହିତ ହୁଅନ୍ତି । ଅନୁଷ୍ଠିତ ୪ର୍ଥ ପୁସ୍ତକ ମହୋତ୍ସବ ସଫଳ ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହିତ ଆସନ୍ତା ବର୍ଷ ୫ମ ପୁସ୍ତକ ମେଳାକୁ ଆହୁରି ନୂଆ କରି ଅଧିକ ଭଲ ଭାବରେ ଆୟୋଜନ କରିବାକୁ ଏବେଠାରୁ ମାନସିକସ୍ତରରେ ପ୍ରସ୍ତୁତ ହେବାକୁ ମନ୍ତ୍ରୀ ଶ୍ରୀ ପାତ୍ର ସମସ୍ତଙ୍କର ସହଯୋଗ କାମନା କରିଥିଲେ । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଂଜନ କୁମାର ଦାସ ଯୋଗଦେଇ କହିଲେ ଯେ, ୧୦ ଦିନ ଧରି ଚାଲିଥିବା ଏହି ପୁସ୍ତକ ମହୋତ୍ସବ ସବୁ ଦିଗରୁ ସଫଳ ହୋଇଛି । ୨ ବର୍ଷ କରୋନା ସଂକ୍ରମଣ କଟକଣା ଫଳରେ ସାହିତ୍ୟିକଙ୍କ ପାଇଁ ନିରାଶା ସୃଷ୍ଟି ହୋଇଥିଲା । ଚଳିତ ବର୍ଷ ପୁସ୍ତକମେଳା ନେଇ ସମସ୍ତଙ୍କ ମନରେ ଉତ୍ସାହ, ଉଦ୍ଦୀପନା ସୃଷ୍ଟି ହୋଇଥିଲା । ପୁସ୍ତକ ମେଳା ସହିତ ଯୋଡି ହୋଇ ରହିଥିବା ସାହିତ୍ୟିକ, ଲେଖକ, ପାଠକ, ପାଠିକା, ପ୍ରକାଶକଙ୍କ ସହିତ ମେଳାରେ ବହୁ ଜନସମାଗମ ସମସ୍ତଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି ବୋଲି ଶ୍ରୀ ଦାସ ପ୍ରକାଶ କରିଥିଲେ । ସମସ୍ତ ସହଯୋଗୀ ଆୟୋଜକ ଅନୁଷ୍ଠାନ ଓ ପୁସ୍ତକ ପ୍ରକାଶକମାନଙ୍କର ସହଯୋଗ ଯୋଗୁଁ ପୁସ୍ତକମେଳା ସଫଳ ହୋଇଥିବାରୁ ନିର୍ଦ୍ଦେଶକ ଶ୍ରୀ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ପୁସ୍ତକ ମେଳାର ସଫଳ ଆୟୋଜନ ପାଇଁ ରାଜଧାନୀ ପୁସ୍ତକ ମେଳାର ସଭାପତି ଡକ୍ଟର ଉପେନ୍ଦ୍ର କୁମାର ଜେନା, ସମ୍ପାଦକ ବିଧୁଭୂଷଣ ପଟ୍ଟନାୟକ, ଆବାହକ ରମେଶ ଚନ୍ଦ୍ର ସ୍ୱାଇଁ, ଏକାମ୍ର ପୁସ୍ତକ ମହୋତ୍ସବ କମିଟିର ସଭାପତି ଡଃ. ପୀତବାସ ରାଉତରାୟ ଓ ସଂପାଦକ ଭାସ୍କର ଜେନା, ଓଡିଶା ପୁସ୍ତକ ପ୍ରକାଶନ ଓ ବିକ୍ରେତା ସଂଘର କାର୍ଯ୍ୟକାରୀ ସଭାପତ ଗଙ୍ଗାଧର ତ୍ରିପାଠୀ ଓ ସାଧାରଣ ସଂପାଦକ ଶୁଭେନ୍ଦୁ ଶେଖର ରଥଙ୍କୁ ମନ୍ତ୍ରୀ ଶ୍ରୀ ପାତ୍ର ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ । ଆୟୋଜକ ଅନୁଷ୍ଠାନର କର୍ମକର୍ତ୍ତାମାନେ ସେମାନଙ୍କର ଅନୁଭୂତି ପ୍ରକାଶ କରିବା ସହିତ ରାଜ୍ୟ ସରକାରଙ୍କୁ ପୁସ୍ତକ ମହୋତ୍ସବ ଆୟୋଜନରେ ସହଯୋଗ ପାଇଁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ୧୦ ଦିନ ମଧ୍ୟରେ ଶତାଧିକ ପୁସ୍ତକ ଉନ୍ମୋଚିତ ହୋଇଥିବାରୁ ଆୟୋଜକ ଓ ପ୍ରକାଶକମାନେ ସନ୍ତୋଷ ବ୍ୟକ୍ତ କରିଥିଲେ । ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଶାସନ ସଚିବ ତଥା କବି ଏବଂ ଗାଳ୍ପିକ ମଧୁସୂଦନ ଦାଶ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଭାଗର ଅନ୍ୟତମ ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ମନସ୍ୱିନୀ ସାହୁ, ଉପ ନିର୍ଦ୍ଦେଶକ ସନ୍ତୋଷ ଚାଟ୍ଟାର୍ଜୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଓଡିଆ ଭାଷା ପ୍ରତିଷ୍ଠାନର ସଂଯୋଜକ- ଡଃ. ଫଣୀନ୍ଦ୍ର ଭୂଷଣ ନନ୍ଦ ଧନ୍ୟବାଦ ଅର୍ପଣ ଦେଇଥିଲେ । ବିଶିଷ୍ଟ ଉପସ୍ଥାପକ ଡକ୍ଟର ମୃତ୍ୟୁଞ୍ଜୟ ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *