ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ

ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ସମାରୋହ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜ୍ଞାନ ଓ କାରିଗରୀ ବିଭାଗ ଉଦ୍‌ଭାବନ, ଷ୍ଟାର୍ଟ ଅପ୍‌, ବାୟୋ-ଟେକ୍‌ନୋଲୋଜି ଇକୋ-ସିଷ୍ଟମର ବିକାଶ କ୍ଷେତ୍ରରେ ବିଜ୍ଞାନ ଓ କାରିଗରୀ ବିଭାଗ ସଫଳ ପଦକ୍ଷେପ ନେଇଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି । ଜୟଦେବ ଭବନଠାରେ ବିଭାଗ ଆନୁକୂଲ୍ୟରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ, ଗବେଷଣା ଓ ବିକାଶ, ଶିକ୍ଷକମାନଙ୍କ ତାଲିମ ଏବଂ ଛାତ୍ରଛାତ୍ରୀମାନଙ୍କ ବିଜ୍ଞାନ ଶିକ୍ଷା ନିମନ୍ତେ ଅଧିକ କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ଓଡ଼ିଶା ବିଜ୍ଞାନ ଏକାଡେମୀ କାର୍ଯ୍ୟ କରିବ । ଖୁବ୍‌ଶୀଘ୍ର ସରକାର ରାଜ୍ୟ ବାୟୋ-ଟେକନୋଲୋଜି ନୀତି ଘୋଷଣା କରିବେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଲ୍ଲେଖ କରିଛନ୍ତି ।
ବିଭାଗର ପ୍ରମୁଖ ଶାସନ ସଚିବ ସୁଶ୍ରୀ ଚିତ୍ରା ଅରୁମୁଗମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାଡେମୀ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ଏକାଡେମୀ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଅନୁଷ୍ଠାନ ପକ୍ଷରୁ ପ୍ରକାଶିତ ପତ୍ରିକାର ଅଡିଓ ସଂସ୍କରଣ ଜାରି କରିବା ନିମନ୍ତେ ପ୍ରସ୍ତାବ ଦେଇଥିଲେ । କାର୍ଯ୍ୟକ୍ରମରେ ଜଟଣୀସ୍ଥିତ ‘ନାଇଜର’ର ନିର୍ଦ୍ଦେଶକ ପ୍ରଫେସର ସୁଧାକର ପଣ୍ଡାଙ୍କୁ ବୈଜ୍ଞାନିକ ଉତ୍କର୍ଷ ପାଇଁ ‘ବିଜୁ ପଟ୍ଟନାୟକ ପୁରସ୍କାର’ ସ୍ୱରୂପ ୨ଲକ୍ଷ ଟଙ୍କା ମାନରାଶି ସମେତ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା ।
ରେଭେନ୍ସା ବିଶ୍ୱବିଦ୍ୟାଳୟର ଜୀବବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ଭୁବନେଶ୍ୱରସ୍ଥିତ ଆଇଏମଏମଟିର ଭୌତିକ ବିଜ୍ଞାନ ମୁଖ୍ୟ ଡ. ଦଣ୍ଡ ଶ୍ରୀନିବାସ ରାଓ, ରାଉରକେଲାସ୍ଥିତ ଏନଆଇଟିର ପ୍ରଫେସର ଅନୁପ କୁମାର ପଣ୍ଡାଙ୍କ ସମେତ ଲକ୍ଷ୍ନୌସ୍ଥିତ ଜାତୀୟ ଉଦ୍ଭିଦ ବିଜ୍ଞାନ ଗବେଷଣା ସଂସ୍ଥାର ବୈଜ୍ଞାନିକ ଡ. ସରୋଜକାନ୍ତ ବାରିକଙ୍କୁ ‘ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର’ ପ୍ରଦାନ କରାଯାଇଥିଲା । ଉପରୋକ୍ତ ଚାରିଜଣଙ୍କୁ ଏକ ଲକ୍ଷ ଟଙ୍କା ମାନରାଶି ସାଙ୍ଗକୁ ପ୍ରଶସ୍ତିପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ରର ଜୀବବିଜ୍ଞାନ ବିଭାଗର ପୋଷ୍ଟ ଡକଫରାଲ ଫେଲୋ ଡ. ଶଶାଙ୍କ ଶେଖର ସ୍ୱାଇଁ, ନାଇଜରର ଭୌତିକ ବିଜ୍ଞାନ ବିଭାଗର ଡ. ନିବେଦିତା ଦାଶ, ଏନଆଇଟି ରାଉରକେଲାର ସହକାରୀ ପ୍ରଫେସର ଡ. ଜ୍ଞାନରଞ୍ଜନ ସେନାପତି ଓ ନାଇଜରର ଆସିଷ୍ଟାଣ୍ଟ ପ୍ରଫେସର ଡ. ସତ୍ୟପ୍ରସାଦ ପି. ସେନାନାୟକଙ୍କୁ କୃତୀ ଯୁବବୈଜ୍ଞାନିକ ଭାବରେ ପୁରସ୍କୃତ କରାଯାଇଥିବାବେଳେ ପ୍ରଫେସର ସଂଗୀତା ରଥ ଓ ହିମାଂଶୁ ଶେଖର ଫତେସିଂହଙ୍କୁ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ପାଇଥିଲେ । ଯୁବବୈଜ୍ଞାନିକ ପୁରସ୍କାର ଓ ‘ପ୍ରାଣକୃଷ୍ଣ ପରିଜା ବିଜ୍ଞାନ ପୁସ୍ତକ ପୁରସ୍କାର’ ବାବଦରେ ପ୍ରତ୍ୟେକଙ୍କୁ ୨୫ ହଜାର ଟଙ୍କାର ମାନରାଶି ସାଙ୍ଗକୁ ଉପଢ଼ୌକନ ଓ ପ୍ରଶସ୍ତିପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରଫେସର ଭାସ୍କର ଚନ୍ଦ୍ର ଦାଶ, ପ୍ରଫେସର ସତ୍ୟାନନ୍ଦ ସ୍ୱାଇଁ ଓ ପ୍ରଫେସର ଅଜୟ କୁମାର ପାତ୍ରଙ୍କୁ ବରିଷ୍ଠ ବୈଜ୍ଞାନିକ ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏକାଡେମୀ ସଭାପତି ପ୍ରଫେସର ବିଭୂତି ଭୂଷଣ ମିଶ୍ର ପୌରୋହିତ୍ୟ କରି ସ୍ୱାଗତ ଭାଷଣ ଦେଇଥିବାବେଳେ ସୁଶ୍ରୀ ଅନୁଜା ତାରିଣୀ ମିଶ୍ର କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ସଚିବ ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *