ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି

ଏଯାଏ ସୁରଧୁରିଲାନି ଡେପୁଟ୍ଟି ମେୟରଙ୍କ ୱାର୍ଡ: ଆବର୍ଜନା ବୋହିବାକୁ ଭଙ୍ଗା ଅଳିଆ ବୁହା ଗାଡି

News by Kanhu charan Panda (Jagatpur)

ଜଗତପୁର (ଏନ୍‌.ଏମ୍‌.): ଯେତେ ଯାହା କଲେ ମଧ୍ୟ ଜଗତପୁରପ୍ରତି ସିଏମସିର ବୈମାତୃକ ମନୋଭାବ ହ୍ରାସ ପାଇ ନାହିଁ । ବର୍ଷ ବର୍ଷ ଧରି ସିଏମସିର ୪୮ ଓ ୪୯ ନମ୍ବର ୱାର୍ଡ଼ରେ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସିଏମସି କର୍ତ୍ତୃପକ୍ଷ କୁଣ୍ଠାବୋଧ କରିଆସିଛନ୍ତି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଚଳିତ ପୌର ନିର୍ବାଚନରେ ଜଗତପୁର ଅଞ୍ଚଳ ଡେପୁଟ୍ଟିମେୟରଙ୍କୁ ପାଇଥିଲେ ମଧ୍ୟ ସିଏମସି ଅଣଦେଖାରୁ ବର୍ତ୍ତି ପାରିନଥିବା ଅଭିଯୋଗ ହୋଇଛି । ସମ୍ପ୍ରତି କଟକ ସହରର ସମସ୍ତ ୱାର୍ଡ଼କୁ ଆବର୍ଜନା ମୁକ୍ତ କରିବା ଏବଂ ନାଳନର୍ଦ୍ଦମା ସଫେଇ କରିବା ପାଇଁ ଜୋର ଦାର ଉଦ୍ୟମ ଚାଳିଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ବହୁ ୱାର୍ଡ଼ରେ ଯୁଦ୍ଧକାଳୀନ ଭିତ୍ତିରେ ସଫେଇ ଚାଲିଛି । ମାତ୍ର ଖୋଦ ଡେପୁଟି ମେୟରଙ୍କ ୪୯ନମ୍ବର ୱାର୍ଡରେ ସଫେଇ ବ୍ୟବସ୍ଥା ଦିଗହରା ବୋଲି ଅଭିଯୋଗ ଉଠିଛି । ଏପରିକି ବର୍ଷା ପୂର୍ବରୁ ସଫେଇ କରିବାକୁ କୁହାଯାଇଥିଲା ହେଲେ ରଜ ପୂର୍ବରୁ ତ ବର୍ଷା ହେବନି ବୋଲି ପାଣିପାଗ ବିଭାଗ କହିସାରିଲାଣି ସଫେଇ ପାଇଁ ଏତେ ବ୍ୟସ୍ତ କାହିଁକି ଭଳି ଜଣେ ଶାସକ ଦଳର କର୍ମୀ କହିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି । ଅନ୍ୟପକ୍ଷରେ ଡେପୁଟ୍ଟି ମେୟରଙ୍କ ୱାର୍ଡ଼ ଅନ୍ତର୍ଗତ ତରୋଳ ଗ୍ରାମରେ କୁଢ କୁଢ ଆବର୍ଜନା ଗଦା ହେବା ଦେଖି ଜନ ଅସନ୍ତୋଷ ସୃଷ୍ଟି ହୋଇଛି । ସିଏମସି ଅନ୍ତର୍ଗତ ୫୯ ଗୋଟି ୱାର୍ଡର ଦାୟିତ୍ୱ ତୁଲାଉ ଥିବା ଡେପୁଟ୍ଟିମେୟରଙ୍କ ନିଜ ୱାର୍ଡରେ ରାସ୍ତା ଘାଟରୁ ଅଳିଆ ଆବର୍ଜନା ଉଠାଯିବା ପାଇଁ ବ୍ୟବହୃତ ହେଉଥିବା ଦୁଇ ଗୋଟି ଭଙ୍ଗା ଦଦରା ଅଳିଆ ବୁହା ଗାଡି ହିଁ ସାହା ଭରସା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି କାମଚଳା ଢଙ୍ଗରେ ଗଳି କନ୍ଦିରୁ ଅଳିଆ ଉଠାଯାଇ ରାସ୍ତା କଡରେ ଗଦା ହେଉଥିବା ଦେଖିବାକୁ ମିଳିଛି । ତେବେ ଏହି ଅଞ୍ଚଳପ୍ରତି ସିଏମସି କର୍ତ୍ତୃପକ୍ଷ ସବୁବେଳେ ବୈମାତୃକ ମନୋଭାବ ଦେଖାଇ ଆସିଥିବାବେଳେ ଏବେ ଏହି ୱାର୍ଡ଼ର କର୍ପୋରେଟର ଦମୟନ୍ତୀ ମାଝୀ ଡେପୁଟ୍ଟିମେୟର ହେବାପରେ ମଧ୍ୟ ଏହି ୱାର୍ଡ଼ ପ୍ରତି ଅଣଦେଖା କରାଯାଉଥିବା ଦୁର୍ଭାଗ୍ୟଜନକ ବୋଲି ଗ୍ରାମ ମୁରବୀ ଅଲେଖ ଚନ୍ଦ୍ର ବେହେରା ଅଭିଯୋଗ କରିବା ସହ ତୁରନ୍ତ ଏହାର ସ୍ଥାୟୀ ପ୍ରତିକାର କରିବାକୁ ଦାବି କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *