ଆସୁଛି ସାମୁଦ୍ରିକ ଝଡ଼ ଦାନା : ମୁକାବିଲା ପାଇଁ ଅଣ୍ଟା ଭିଡିଛି ପ୍ରଶାସନ


କଟକ(ଏନ୍‌.ଏମ୍‌.): ଐତିହାସିକ ସହରରେ ବାତ୍ୟା ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ, କଟକ ମହାନଗର ନିଗମ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସଜାଗ ହୋଇ ରହିଛନ୍ତି। ସମସ୍ତ ବିଭାଗର ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। ବାତ୍ୟା ସମୟରେ କର୍ମଚାରୀ ମାନେ କଟକ ଛାଡି ନଯିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ସହରରେ ଥିବା ବିଭିନ୍ନ ଆଶ୍ରୟ ସ୍ଥଳୀ, ପାଣି ନିଷ୍କାସନ ଲାଗି ପମ୍ପ ସେଟ, ମହମବତୀ, ଚୂଡା, ଗୁଡ, ଡିଆସିଲ ଇତ୍ୟାଦି ମହଜୁଦ କରି ରଖାଯାଇଛି। ଯଦି କୌଣସି ଦୁର୍ଘଟଣା ଘଟେ ଚିକିତ୍ସା ଲାଗି ଏସସିବିରେ ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ରହିଛି। ଚିକିତ୍ସା ସମୟରେ ବିଦ୍ୟୁତ କାଟ ଯେପରି ନହେବ ସେଥିପ୍ରତି ଧ୍ୟାନ ଦେବାକୁ ଜିଇଡି ବିଭାଗକୁ କୁହାଯାଇଛି। ଖାଦ୍ୟର ପେଣ୍ଠସ୍ଥଳୀ କୁହାଯାଉଥିବା ମାଲଗୋଦମା ମଧ୍ୟ ସହଯୋଗର ହାତ ବଢାଇବ। ଗରାଖିଙ୍କ ସୁବିଧା ଲାଗି ୨୪ ଘଣ୍ଟିଆ ଦୋକାନ ଖୋଲିବା ଲାଗି ବଣିକ ସଂଘ ବ୍ୟବସାୟୀଙ୍କୁ ନିର୍ଦ୍ଦେଶ ଦେଇଛି। ସାଧାରଣ ଜନତା ଯେପରି ଅସୁବିଧାର ସମ୍ମୁଖୀନ ନହେବେ ସେଥିପ୍ରତି କଳାବଜାରୀ ଉପରେ ମଧ୍ୟ ନଜର ରଖାଯାଇଛି। କଳାବଜାରୀ ହେଲେ ବଣିକ ସଂଘକୁ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଜରୁରୀ ପରିସ୍ଥିତିରେ ଓଡ୍ରାଫ, ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *