ଆମ୍ବ ଟାକୁଆ କୋଇଲି ଜାଉ ଖାଇ କନ୍ଧମାଳ ଜିଲ୍ଲାରେ ଲୋକ ମୃତ୍ୟୁ ବରଣ କରିବା ଘଟଣା ପ୍ରତିବାଦରେ ଏସ୍ ୟୁ ସି ଆଇ (ସି)ର ବିକ୍ଷୋଭ


କଟକ(ଏନ୍‌.ଏମ୍‌.): କନ୍ଧମାଳ ଜିଲାରେ ଆମ୍ବ ଟାକୁଆ କୋଇଲି ଜାଉ ଖାଇ ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ପରିବାରକୁ ୫୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବା, ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ ପଡ଼ିଥିବା ସମସ୍ତ ଦରିଦ୍ର ପରିବାରକୁ ଏଥିରେ ସାମିଲ କରାଯାଉ ଏବଂ ବିଭିନ୍ନ ଆଳରେ ରାସନ୍ କାର୍ଡ କାଟିବା ବନ୍ଦ କରାଯାଉ। ଏଥିପାଇଁ ତୁରନ୍ତ ସରକାରୀ ନିର୍ଦ୍ଦେଶନାମା ଜାରି କରିବା, ପ୍ରତି ହିତାଧିକାରୀ ପରିବାରକୁ ମୁଣ୍ଡପିଛା ମାସକୁ ଅତି କମରେ ୧୫ କିଲୋ ଖାଦ୍ୟଶସ୍ୟ ଯୋଗାଇ ଦେବା ପ୍ରମୁଖ ଦାବିରେ ଏସ୍ ୟୁ ସି ଆଇ(ସି) ପକ୍ଷରୁ ଜିଲାପାଳଙ୍କ ଅଫିସ୍ ସମ୍ମଖରେ ବିକ୍ଷୋଭ କରାଯାଇଛି। ଏହି ବିକ୍ଷୋଭରେ ଏସ୍ ୟୁ ସି ଆଇ (ସି) ଦଳର ଜିଲ୍ଲା କମିଟି ସଦସ୍‌ଯ ଖଗେଶ୍ୱର ସେଠୀ, ବସନ୍ତ ନାୟକ, ରାଜକିଶୋର ମଲ୍ଲିକ, ସିଦ୍ଧାର୍ଥ ରଥ, ଟିକା ସାମଲ, ଆଇନଜୀବୀ ସୁକାନ୍ତ ନାୟକ, ଦିପକ ଦାସ, ସୋଭା ଦେହୁରୀ, ସିପ୍ରା ମହାନ୍ତି, ଅକ୍ଷୟ ରାଉଳ, ଝରଣା ଦାସ ପ୍ରମୁଖ ବିକ୍ଷୋଭ ନେତୃତ୍ୱ ନେଇଥିଲେ। ଏଠାରେ ସ୍ମରଣ ଯୋଗ୍ୟ ଯେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ୍‌?ର ମାଣ୍ଡିପଙ୍କା ଗ୍ରାମରେ ଗତ ୩୦ତାରିଖ ଦିନ ଆମ୍ବ ଟାକୁଆର ଶୁଖିଲା କୋଇଲି ଜାଉ ଖାଇ ୨ଜଣଙ୍କର ମୃତ୍ୟୁ ଘଟିଥିଲାବେଳ ଆହୁରି ଅନେକ ଲୋକ ଅସୁସ୍ଥ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହିଭଳି ଦୁଃଖଦ ଓ ଲଜ୍ଜାଜନକ ଘଟଣା ଆମ ରାଜ୍ୟରେ ବାରମ୍ବାର ଘଟିଚାଲିଛି। ବିଭିନ୍ନ ଜିଲ୍ଲାର ଗ୍ରାମାଂଚଳର ଗରିବ ଲୋକ ଖାଦ୍ୟାଭାବ ଯୋଗୁ ବିଭିନ୍ନ ଅଖାଦ୍ୟ ଖାଇ ଜୀବନ ବଞ୍ଚାଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ରାଜ୍ୟର ଲକ୍ଷ ଲକ୍ଷ ଶିଶୁ ପୃଷ୍ଟିହୀନତାର ଶିକାର ହେବା ସହିତ ବହୁଲୋକ ରୋଗଗ୍ରସ୍ତ ହେଉଛନ୍ତି ଏବଂ ମୃତ୍ୟୁ ମୁଖରେ ପଡ଼ୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନା ପାଇଁ କେନ୍ଦ୍ର ସରକାର ଗତବର୍ଷ ତୁଳନାରେ ଚଳିତବର୍ଷ ବଜେଟରେ ୭୦୦୦ କୋଟି ଟଙ୍କା ବ୍ୟୟ ହ୍ରାସ କରିଛନ୍ତି। ଦରିଦ୍ର ଲୋକଙ୍କର ଖାଦ୍ୟ ସୁରକ୍ଷା ବାବଦରେ ବ୍ୟୟ ବରାଦ ହ୍ରାସ କରାଯିବା ଫଳରେ ସେହି ଅନୁଯାୟୀ ଲୋକଙ୍କ ରାସନ୍ କାର୍ଡ କାଟିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସେଥିପାଇଁ ଜାଲ ହିତାଧିକାରୀ ଯାଞ୍ଚ କରିବା ଆଳରେ ଇ-କେୱାଇସି ବ୍ୟବସ୍ଥା ସମେତ ବିଭିନ୍ନ ପଦକ୍ଷେପ ରାଜ୍ୟ ସରକାର ଗ୍ରହଣ କରୁଛନ୍ତି ଏବଂ ହିତାଧିକାରୀଙ୍କ ସଂଖ୍ୟା ହ୍ରାସ କରାଯାଉଛି। ଏହି ପ୍ରକ୍ରିୟାରେ ହିଁ ମୃତ ବ୍ୟକ୍ତିଙ୍କ ରାସନ୍ କାର୍ଡ କଟା ଯାଇଚି ଏବଂ ଏହା ଫଳରେ ଖାଦ୍ୟାଭାବ ଯୋଗୁ ସଂପୃକ୍ତ ପରିବାର ଲୋକ ଜୀବନ ବିକଳରେ ଅଖାଦ୍ୟ ଖାଇ ମୃତ୍ୟୁ ମୁଖରେ ପଡିଛନ୍ତି। ସୁତରାଂ ଏହି ବେଦନା ଦାୟକ ମୃତ୍ୟୁ ପାଇଁ ସରକାର ସମ୍ପୂର୍ଣ୍ଣ ଦାୟୀ। ଏହିଭଳି ଦୁଃଖଦାୟକ ଘଟଣା ଆଗାମୀ ଦିନରେ ଯେପରି ନଘଟେ ତାହା ସୁନିଶ୍ଚିତ କରିବା ସଂଗେ ସଂଗେ ନିମ୍ନଲିଖିତ ଦାବି ଗୁଡ଼ିକୁ ପୁରଣ କରିବାପାଇଁ ଏସ୍ ୟୁ ସି ଆଇ (ସି) ଦଳ ପକ୍ଷରୁ ଦୃଢ଼ ଦାବି କରି ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠା ଯାଇଛି।

Leave a Reply

Your email address will not be published. Required fields are marked *