ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ

ଆଠଗଡ଼ ତିଗିରିଆରେ କାଳୀ ମେଳଣ: ରଙ୍ଗିନ ଆଲୋକରେ ଝଲସିଲା ଅଞ୍ଚଳ

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ଼ ତିଗିରିଆ ଅଞ୍ଚଳରେ ଶ୍ୟାମା କାଳୀ ମେଳଣ ପାଇଁ ବେଶ ଧୁମଧାମରେ ପାଳିତ ହୋଇଯାଇଛି । ତିଗିରିଆ ବ୍ଲକର ନିଜିଗଡ଼ ଗ୍ରାମ ଦୀପାବଳି ଠାରୁ ଉତ୍ସବମୟ ହୋଇ ଉଠିଥିବା ଦେଖିବାକୁ ମିଳିଛି । ଦୀପାବଳି ଠାରୁ ଗ୍ରାମରେ ୧୭ ଗୋଟି ପୂଜା ମଣ୍ଡପରେ ମୃଣ୍ମୟୀ ପ୍ରତିମାଙ୍କ ପୂଜାର୍ଚ୍ଚନା ଚାଲିଛି । ୯ ଦିନ ବ୍ୟାପୀ ଏହି ମେଳଣ ହେବା ପରେ ଆସନ୍ତା ୨ତାରିଖରେ ସାମୁହିକ ଭସାରି ପର୍ବ ଅନୁଷ୍ଠିତ ହେବ ବୋଲି ଶାନ୍ତି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଗ୍ରାମର କାଳୀ ପୂଜା କମିଟି, ଉପର ଗଡ଼, ବଡ଼ଦାଣ୍ଡ ସାହି, ବ୍ରାହ୍ମଣ ସାହି, ନୂଆସାହି, ପାଖ ଲୋକ ସାହି, ମଝୀ ସାହି, ମହାରାଜା କ୍ଲବ, ଗାନ୍ଧୀ ସାହି, ପନ୍ଥେଇ ସାହି, ମହାବୀର ବଜାର ପୂଜା କମିଟି ପକ୍ଷରୁ ମୃଣ୍ମୟୀ ପ୍ରତିମାଙ୍କ ମାଧ୍ୟମରେ ବିଭିନ୍ନ ପୌରାଣିକ ଦୃଶ୍ୟପଟ୍ଟକୁ ପ୍ରତିଫଳନ କରାଯାଇଛି । ସୁସଜ୍ଜିତ ମଣ୍ଡପ ଓ ସାହିଗଳିରେ ରଙ୍ଗିନ ଆଲୋକମାଳା ଓ ୧୨ଗୋଟି ଆଲୋକ ତୋରଣରେ ସନ୍ଧ୍ୟା ପରେ ସମ୍ପୂର୍ଣ୍ଣ ଅଞ୍ଚଳ ଝଲସି ଉଠୁଛି । ତିଗିରିଆ ଓ ବାଙ୍କୀ ଉତ୍ତର କୁଲାଟ, ବଡ଼ମ୍ବା, ଆଠଗଡ଼ ସହିତ ଢେଙ୍କାନାଳ ଅଞ୍ଚଳରୁ ଗ୍ରାମରେ ହଜାର ହଜାର ଲୋକଙ୍କ ସମାଗମ ପ୍ରତି ସନ୍ଧ୍ୟାରେ ଲକ୍ଷଗି ରହିବା ଫଳରେ ନିଜିଗଡ଼ର ପ୍ରସିଦ୍ଧ କାଳୀପୂଜା ଦୁଲୁକୁଛି । ଗାନ୍ଧୀ ସାହିରେ ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅସ୍ଥାୟୀ ଆଧ୍ୟତ୍ମିକ ଶିବିରରେ ଆଧ୍ୟାତ୍ମିକ ବାର୍ତ୍ତା ପ୍ରଦାନ କରାଯାଉଛି । ଏଥି ସହିତ ଲୋକେ ଗାନ୍ଧୀ ମଇଦାନ ଓ ରାଜବାଟିରେ ପଡିଥିବା ମୀନା ବଜାର ଓ ବିଭିନ୍ନ ପ୍ରକାର ଦୋଳିର ମଜା ଉଠାଇବା ସହିତ ବହୁ ଚଟପଟି ଖାଦ୍ୟର ମଜା ମଧ୍ୟ ନେଉଛନ୍ତି । ୨ ତାରିଖ ଦିନ ଗ୍ରାମରେ ସାମୁହିକ ଭସାଣ ପର୍ବ ଅନୁଷ୍ଠିତ ହେବାକୁ ଥିବା ବେଳେ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବାରେ ଶାନ୍ତି କମିଟି ଓ ପ୍ରଶାସନ ପକ୍ଷରୁ ନିଜିଗଡ଼ ବାସୀ ଓ ସମସ୍ତ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ଶାନ୍ତି କମିଟି ପକ୍ଷରୁ ପ୍ରତି ପୂଜା କମିଟିରେ ସ୍ୱେଚ୍ଛାସେବୀ ସହ ତିଗିରିଆ ପୁଲିସ ପକ୍ଷରୁ ଅଧିକ ଏକ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଥାନା ଅଧିକାରୀ ସୁଚିତ୍ରା ଜେନା ସୂଚନା ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *