News by Maheswar Behera (Athagarh)

ଆଠଗଡ଼ରେ ଜିଲ୍ଲାସ୍ତରୀୟ କୃଷିମେଳା ଓ କୃଷକ କର୍ମଶାଳା

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): ସ୍ଥାନୀୟ ମହୋତ୍ସବ ପଡ଼ିଆରେ କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ମିଳିତ ଆନୁକୁଲ୍ୟରେ ଦୁଇଦିନିଆ କୃଷି ଜିଲ୍ଲାସ୍ତରୀୟ କୃଷି ମେଳା ଓ କୃଷକ କର୍ମଶାଳା ଉଦଘାଟିତ ହୋଇଯାଇଛି । ଆଠଗଡ ବିଧାୟକ ତଥା କୃଷି, କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ମେଳା ଉଦ୍ଘାଟନ କରିଥିବାବେଳେ ଆଠଗଡ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ । କଟକ ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, କଟକ ଜିଲ୍ଲା ମତ୍ସ୍ୟ ଅଧିକାରୀ ଇତିଶ୍ରୀ ରଥ, ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀ ମଧୁସୂଦନ ସୁବୁଦ୍ଧି, ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାସ, ଆଠଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସସ୍ମିତା ରାଉତ, ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷା ମିନତି ଆଚାର୍ଯ୍ୟ, ଆଠଗଡ ଆତ୍ମା ଅଧ୍ୟକ୍ଷ ରବୀନ୍ଦ୍ର ରାଉତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି କୃଷି ମେଳାରେ ଉପସ୍ଥିତ କୃଷକ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ଉଦବୋଧନ ଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ, କୃଷି ଓ କୃଷକର ବିକାଶ ପାଇଁ ଓଡ଼ିଶା ସରକାର ଅନେକ ଯୋଜନା ଓ କାର୍ଯ୍ୟକ୍ରମ ପ୍ରଣୟନ କରୁଛନ୍ତି । କୃଷି ଯନ୍ତ୍ରପାତି ବ୍ୟବହାର ଦ୍ୱାରା ଉନ୍ନତମାନର କୃଷି କାର୍ଯ୍ୟ ହୋଇପାରିବା ସହ ସମୟ ମଧ୍ୟ ସଞ୍ଚୟ ହୋଇ ପାରିବ । କେବଳ ଧାନ ଚାଷ ଉପରେ ନିର୍ଭର ନକରି ପନିପରିବା ଚାଷ, ମତ୍ସ୍ୟ ଚାଷ, କୁକୁଡ଼ା ଚାଷ, ଡାଲି ଜାତୀୟ ଚାଷ ଓ ଗୋପାଳନ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଏହାଦ୍ୱାରା ଧାନ ଠାରୁ ଚାଷୀମାନଙ୍କର ଅଧିକ ଲାଭ ହେବ । ଧାନ ଅଧିକ ଅମଳ ହେବାରୁ ଓଡ଼ିଶା ୬ଗୋଟି ରାଜ୍ୟକୁ ଚାଉଳ ଯୋଗାଇ ପାରୁଛି । ଚାଷୀମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ବିଶେଷ କରି ମହିଳାମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ସରକାର କୃଷି ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ୱ ଦେଉଛନ୍ତି । କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଭିନବ ପ୍ରୟାସ ଓ ଯୁଗାନ୍ତକାରୀ ପଦକ୍ଷେପ ନେବା ଫଳରେ କୃଷି ଓ କୃଷକର ଉନ୍ନତି ହେଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ଏତଦ୍ ବ୍ୟତୀତ କୃଷି କ୍ଷେତ୍ରରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ବିନା ସୁଧରେ ସରକାର ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଛନ୍ତି । ଏଣୁ ମହିଳାମାନେ ଏହାର ସୁଯୋଗ ନେବାକୁ ମନ୍ତ୍ରୀ କହିଥିଲେ । ଚଳିତ ବର୍ଷ ରାଜ୍ୟ ସରକାର ମାଛ ଚାଷ କରିବାକୁ ୧୦ହଜାର ଟଙ୍କା ଋଣ ପ୍ରଦାନ କରାଯାଉଛି; ମହିଳାମାନେ ଏହାର ସୁଯୋଗ ନେବାକୁ ମନ୍ତ୍ରୀ କହିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ମତ୍ସ୍ୟ ଚାଷୀ ଗୋଷ୍ଠୀର ୨୯ଜଣ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ଉଚ୍ଚ ଶିକ୍ଷା ପାଇଁ ୧ଲକ୍ଷ ୭୯ ହଜାର ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଥିଲେ । ମତ୍ସ୍ୟ ଚାଷ କରିଥିବା ୨୩ ଗୋଟି ମହିଳା ଗୋଷ୍ଠୀଙ୍କୁ ୧୦ଲକ୍ଷ ୪୪ ହଜାର ୫୬୩ ଟଙ୍କା ରିହାତି ବାବଦରେ ପ୍ରଦାନ କରିଥିଲେ ମନ୍ତ୍ରୀ ଶ୍ରୀ ସ୍ୱାଇଁ । ଏତଦ ବ୍ୟତୀତ ସରକାରଙ୍କ ଘରେଘରେ ପୃଷ୍ଟି ପହଞ୍ଚାଇବା କାର୍ଯ୍ୟକ୍ରମ ଅନୁଯାୟୀ ୨୦ ଜଣ ମହିଳାଙ୍କୁ ପନିପରିବା ଗଛ ଥିବା କିଟ୍ ପ୍ରଦାନ କରିଥିଲେ । ଆଠଗଡ ବ୍ଲକ ଆତ୍ମାର ଅଧ୍ୟକ୍ଷ ରବିନ୍ଦ୍ର ରାଉତ ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା କୃଷି ଅଧିକାରୀ ନିରଞ୍ଜନ ଦାସ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ସମରେନ୍ଦ୍ର ପାଣିଗ୍ରାହୀ, ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ମଧୁସୂଦନ ସୁବୁଦ୍ଧି, ଜିଲ୍ଲା ମତ୍ସ୍ୟ ଅଧିକାରୀ ଇତିଶ୍ରୀ ରଥ ପ୍ରମୁଖ ଚାଷୀମାନଙ୍କ ପାଇଁ ସେମାନଙ୍କ ବିଭାଗ ଦ୍ୱାରା ଦିଆଯାଉଥିବା ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ ।

By admin

Leave a Reply

Your email address will not be published. Required fields are marked *