‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ

‘ଆଜାଦୀ କା ଅମୃତ ମହୋତ୍ସବ’ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ


ଭୁବନେଶ୍ୱର(ଏନ୍‌.ଏମ୍‌.): ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପାଳିତ ହେଉଥିବା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଭୁକ୍ତ ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ ସାରା ଦେଶର ୭୫ଟି ସ୍ଥାନରେ ପାଳିତ ହେଉଥିବା ପରିପ୍ରେକ୍ଷୀରେ ମନ୍ଦିର ନଗରୀ ଭୁବନେଶ୍ୱରରେ ମଧ୍ୟ ଚଳିତ ମାସ ୨୨ରୁ ୨୮ ତାରିଖ ପର୍ଯ୍ୟନ୍ତ ପାଳିତ ହେବ । ରାଜ୍ୟରେ ବିଜ୍ଞାନ ଓ କାରିଗରୀ ବିଭାଗ ନେତୃତ୍ୱରେ ଏପରି ଅଭିଯାନ ଆରମ୍ଭ ହେବ । ଏହି ଅବସରରେ ବିଜ୍ଞାନ ଓ କାରିଗରୀ ବିଭାଗ, ଓଡ଼ିଶା ବିଜ୍ଞାନ ଏକାଡେମୀ, ଭୁବନେଶ୍ୱର ସିଟି ନଲେଜ୍ ଇନୋଭେସନ୍ କ୍ଲଷ୍ଟର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ଓ ‘କିଟ୍‌’ର ମିଳିତ ଆନୁକୂଲ୍ୟରେ ବହୁବିଧ କାର୍ଯ୍ୟକ୍ରମର ସଂରଚନା ଆୟୋଜିତ ହୋଇଛି । କାର୍ଯ୍ୟକ୍ରମମାନଙ୍କରେ ବିଶ୍ୱ ପ୍ରସିଦ୍ଧ ଗବେଷକ, ବିଜ୍ଞାନୀ, ଉଦ୍ୟୋଗୀ ଓ ଚିନ୍ତାନାୟକମାନେ ଯୋଗଦେଇ ବିଭିନ୍ନ ପ୍ରସଙ୍ଗରେ ବକ୍ତୃତା, ଦଳଗତ ଆଲୋଚନା, ପ୍ରଦର୍ଶନ ଇତ୍ୟାଦିରେ ଅଂଶଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଓ କାରିଗରୀ ଶିକ୍ଷଣ ବାବଦରେ ସାମାଜିକ ଓ ଶୈଳ୍ପିକ ବିକାଶକୁ ଦୃଷ୍ଟିରେ ରଖି ମତବିନିମୟ, ପ୍ରକଳ୍ପ ପ୍ରଦର୍ଶନ ଓ ଅଭିନବ ଚିନ୍ତାଧାରା ସଂପର୍କିତ କାର୍ଯ୍ୟକ୍ରମଗୁଡ଼ିକରେ ଯୋଗଦେବା ପାଇଁ ବୃହତ୍ତର ସୁଯୋଗ ପ୍ରଦାନର ବ୍ୟବସ୍ଥା ରହିଛି । ବିଶେଷ କରି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପର୍ଯ୍ୟାୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।
ରାଜ୍ୟରେ ସପ୍ତାହବ୍ୟାପୀ ପାଳିତ ହେବାକୁ ଯାଉଥିବା ‘ବିଜ୍ଞାନ ସର୍ବତ୍ର ପୂଜ୍ୟତେ’ ଅଭିଯାନ କ୍ରମରେ ଆଇଟିଆର, ଡିଆରଡିଓ, ଇସ୍‌ରୋ ଓ ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ ସେଣ୍ଟର ତଥା ନ୍ୟାସନାଲ୍ ଇନୋଭେସନ୍ ଫାଉଣ୍ଡେସନ୍ ଆନୁକୂଲ୍ୟରେ ବିଭିନ୍ନ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ୨୭ ଓ ୨୮ତାରିଖ ଦୁଇଦିନ ଧରି ଭାରତୀୟ ମହାକାଣ ଗବେଷଣା ପ୍ରତିଷ୍ଠାନ (ଇସ୍‌ରୋ) ଆନୁକୂଲ୍ୟରେ ଏକ ଭ୍ରାମ୍ୟମାଣ ବସ୍‌ରେ ପ୍ରଦର୍ଶନୀ ‘ସ୍ପେସ୍ ଅନ୍ ହୁଇଲସ୍‌’ମାଧ୍ୟମରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ମହାକାଶ ଗବେଷଣା ଉପରେ ସଫଳ କାହାଣୀ ଉପସ୍ଥାପିତ ହେବ । ଏଥିରେ ଇସ୍‌ରୋ ଦ୍ୱାରା ଉତ୍‌କ୍ଷେପିତ ବିଭିନ୍ନ ଯାନ, ମହାକାଶଯାନ ତଥା ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ, ଫଳରେ ଛାତ୍ରଛାତ୍ରୀମାନେ ନୂତନ ଜ୍ଞାନକୌଶଳ ଏବଂ ବୈଜ୍ଞାନିକ ଭାବଧାରାର ସୁଯୋଗ ଆହରଣ କରିପାରିବେ । ଏହା ବ୍ୟତୀତ ବାୟୋମଲିକୁଲାର ଓ ଏମ୍ବ୍ରିଓ ଉପରେ ପରୀକ୍ଷାମୂଳକ ଶିକ୍ଷଣ କେନ୍ଦ୍ରର ଯୋଜନା ରହିଛି । ଏହିସବୁ କାର୍ଯ୍ୟକ୍ରମ ଚଳିତ ମାସ ୨୨ ତାରିଖ ଅପରାହଅରୁ ୨୮ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ‘କିଟ୍ ଇଣ୍ଟରନ୍ୟାସନାଲ୍ ସ୍କୁଲ’ ପରିସରରେ ଅନୁଷ୍ଠିତ ହେବ । ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରମାନଙ୍କ ପାଇଁ ଏହି ଅଭିଯାନ ଅତ୍ୟନ୍ତ ଫଳପ୍ରଦ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସପ୍ତାହବ୍ୟାପୀ ଅଭିଯାନରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କର ବିଜ୍ଞାନ ଓ କାରିଗରୀ ସଂପର୍କିତ ବକ୍ତବ୍ୟ ଶୁଣିବା ସହିତ ପ୍ରଦର୍ଶନୀ ଉପଭୋଗ କରିବା ନିମନ୍ତେ ବିଦ୍ୟାର୍ଥୀମାନଙ୍କୁ ସୁଯୋଗ ମିଳିବ । ରାଜ୍ୟରେ ବିଜ୍ଞାନ ଶିକ୍ଷାର ଲୋକପ୍ରିୟତା ଓ ମହତ୍ତ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନେ ଏସବୁ କାର୍ଯ୍ୟକ୍ରମରେ ବ୍ୟାପକ ଭାବରେ ଅଂଶଗ୍ରହଣ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି । ଏହା ଫଳରେ ବିଜ୍ଞାନ ଓ କାରିଗରୀ ବିଭାଗରେ ସଂଘଟିତ ବ୍ୟାପକ ସମୃଦ୍ଧିର ଚିତ୍ର ଉପଲବ୍ଧ ହୋଇପାରିବ ବୋଲି କୁହାଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *