News by Padmalochan Mishra (Cuttack)

ଆକ୍ୱାଗାର୍ଡ଼ର ନକଲି ଯନ୍ତ୍ରାଂଶ ବିକ୍ରି ନେଇ ପୁଲିସର ଚଢାଉ: ୨ଗିରଫ
କଟକରୁ ସାରା ରାଜ୍ୟକୁ ଲମ୍ବିଛି ଚେର

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ପ୍ରତିଷ୍ଠିତ ୟୁରେକା ଫୋର୍ବ୍ସ କମ୍ପାନୀର ଉତ୍ପାଦ ଆକ୍ୱାଗାର୍ଡର ନକଲି ସରଞ୍ଜାମ ବିକ୍ରି କରୁଥିବା ଏକ ଗୋଦାମରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ସାମଗ୍ରୀ ଜବତ କରାଯାଇଛି । ସ୍ଥାନୀୟ ବାଦାମବାଡି ଅଞ୍ଚଳରେ ଥିବା ଉକ୍ତ ଗୋଦାମରେ ଚଢାଉ କରାଯିବା ସହ ପୁଲିସ ଉକ୍ତ ଗୋଦାମ ମାଲିକ ଗଞ୍ଜାମ ଗୁଣ୍ଡୁରିଗୁଡ଼ା ଅଞ୍ଚଳ କାହ୍ନୁ ଓରଫ କାହ୍ନୁଚରଣ ପ୍ରଧାନ (୩୦) ସେ ସ୍ଥାନୀୟ ଶଙ୍କରପୁର ଅଞ୍ଚଳରେ ରୁହନ୍ତି ଏବଂ ଅନ୍ୟଜଣେ ଜଗତସିଂହପୁର ମାର୍କଣ୍ଡପୁର ଅଞ୍ଚଳର ସଞ୍ଜୟ ଦତ୍ତ(୪୫)ଙ୍କୁ ଅଟକ ରଖାଯାଇଥିବାବେଳେ ଆଜି ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ମାର୍ସାଘାଇ ଥାନା ପୁଲିସର ସୂଚନା ଆଧାରରେ କଟକରେ ଏହି ଧରପଗଡ ହୋଇଥିଲା । ମାର୍ଶାଘାଇ ଥାନା ଅନ୍ତର୍ଗତ ଟିଙ୍କରପାଙ୍ଗି ଅଞ୍ଚଳର ଲୋକନାଥ ଚୌଧୁରୀ କେନ୍ଦ୍ରାପଡା ଜିଲ୍ଲା ପାଇଁ ଆକ୍ୱାଗାର୍ଡର ଡିଷ୍ଟ୍ରିବ୍ୟୁଟର ନେଇଛନ୍ତି । ଗଲା କିଛି ଦିନ ହେବ ଖରାପ ଆକ୍ୱାଗାର୍ଡ ମରାମତି ପରବର୍ତ୍ତୀ ଅସୁବିଧା ନେଇ ମାଳମାଳ ଅଭିଯୋଗ ହୋଇଥିଲା । ଆକ୍ୱାଗାର୍ଡ ଖରାପ ହେବା ପରେ ସେଥିରେ ଲଗାଯାଉଥିବା କ୍ୟାଣ୍ଡେଲ ଏବଂ କାର୍ବନ ନିମ୍ନମାନର ବୋଲି ଗ୍ରାହକ ଅଭିଯୋଗ କରୁଥିଲେ । ଏନେଇ ଲୋକନାଥ କମ୍ପାନୀର ଏରିଆ ସେଲ୍ସମ୍ୟାନେଜର ଅନୁଗୁଳର ମନୋଜ କୁମାର ନାଥଙ୍କୁ ଜଣାଇଲେ । ମନୋଜ ନିଜେ ଗ୍ରାଉଣ୍ଡଜିରୋରେ ସ୍ଥିତି ପରଖିବା ପରେ ନକଲି ସରଞ୍ଜାମ ବ୍ୟବହୃତ ହୋଇଥିବା ସ୍ପଷ୍ଟ ହୋଇଥିଲେ । ତେଣୁ ଗତ ୧୬ ତାରିଖରେ ଘଟଣା ସଂକ୍ରାନ୍ତରେ କମ୍ପାନୀ ପକ୍ଷରୁ ମାର୍ଶାଘାଇ ଥାନାରେ ଏତଲା ଦିଆଯାଇଥିଲା । ତଦନ୍ତକ୍ରମେ ମାର୍ଶାଘାଇ ପୁଲିସ ଶନିବାର ସ୍ଥାନୀୟ ଅଞ୍ଚଳର ମୁନିନ୍ଦ୍ର ଦାସ ନାମକ ଜଣେ ମେକାନିକକୁ ଧରିଥିଲା । ମୁନିନ୍ଦ୍ରକୁ ଜେରା କରିବାରୁ କଟକ ବାଦାମବାଡିର ପ୍ରତାପ ମଲ୍ଲିକ ନାମକ ଜଣେ ସେଲ୍ସମ୍ୟାନ ଏହି ସରଞ୍ଜାମ ଦେଉଥିବା ଜଣାପଡିଲା । ଏହାପରେ ମାର୍ଶାଘାଇ ପୁଲିସ ଘଟଣା ସଂକ୍ରାନ୍ତରେ ବାଦାମବାଡି ଥାନାକୁ ଅବଗତ କଲା । ବାଦାମବାଡି ପୁଲିସ ତୁରନ୍ତ ପ୍ରତାପକୁ ଚିହ୍ନଟ କରି ଧରିଆଣି ଜେରା କରିବାରୁ ସେ ଗୋଦାମର ଠିକଣା ଜଣାପଡ଼ିଥିଲା । ତାର ସୂଚନା ଆଧାରରେ ପୁଲିସ ଶନିବାର ସନ୍ଧ୍ୟାରେ ହାଇକୋର୍ଟ କଲୋନୀ ସ୍ଥିତ ଏକ ଗୋଦାମରେ ଚଢଉ କରିଥିଲା । ଯାଞ୍ଚ ବେଳେ ସେଠାରୁ ବିପୁଳ ପରିମାଣର ଆକ୍ୱାଗାର୍ଡରେ ଲାଗୁଥିବା ନିମ୍ନମାନର ସରଞ୍ଜାମ ଜବତ ହୋଇଛି । ଏହାସହ ଅନ୍ୟ କମ୍ପାନୀର ବିଭିନ୍ନ ଉତ୍ପାଦରେ ବ୍ୟବହୃତ ସରଞ୍ଜାମ ଗୁଡିକୁ ମଧ୍ୟ ପୁଲିସ ଜବତ ହୋଇଛି । ମୁଖ୍ୟ କଥା ହେଲା, କମ୍ପାନୀର ଅସଲି ଖୋଳ ଭିତରେ ସରଞ୍ଜାମ ଗୁଡିକ ପାର୍ସଲ ହୋଇଥିବାବେଳେ ସେଥିରେ କମ୍ପାନୀର ଅବିକଳ ଲୋଗୋ ମଧ୍ୟ ରହିଛି । ତେଣୁ ପୁଲିସ ଶଙ୍କରପୁର ଅଞ୍ଚଳର ଉକ୍ତ ଗୋଦାମର ମାଲିକ ଏବଂ ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖି ଜେରା କରୁଛି । ଗୋଦାମ ମାଲିକଙ୍କ ସୂଚନା ଆଧାରରେ ବାଦାମବାଡି ପୁଲିସ ବିକାଶଭବନ ଗଡାରେ ଥିବା ଅନ୍ୟ ଏକ ଗୋଦାମ ଏବଂ ସହରର ଏକାଧିକ ଦୋକାନରେ ଚଢଉ କରିଥିଲା । ସେଠାରୁ ବିପୁଳ ପରିମାଣର ସରଞ୍ଜାମ ଜବତ ହୋଇଥିବା ସୂଚନା ମିଳିଛି । ଏନେଇ ମାର୍ଶାଘାଇ ଥାନା ବ୍ୟତୀତ ବାଦାମବାଡି ଥାନା ପୁଲିସ ମଧ୍ୟ ଏକ ମାମଲା ରୁଜୁ କରିଥିବାବେଳେ ଆଜି କମିଶନରେଟ ପୁଲିସ ପକ୍ଷରୁ କୋର୍ଟ ଚାଲଣ କରାଯାଇଛି ।

By admin

Leave a Reply

Your email address will not be published. Required fields are marked *