ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ

ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ସଂଗୀତର ମୂର୍ଚ୍ଚନା ଆଜି ନିରବୀ ଯାଇଛି । ୭୬ବର୍ଷ ବୟସରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମିତ ସ୍ୱରୂପ ଏକାଧାରରେ ଜଣେ ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ଥିଲେ ।
୫୦ ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସ୍ୱରୂପ । ସେ ପ୍ରାୟ ୩୦ଟି ଫିଲ୍ମ ପାଇଁ ଗୀତ ଲେଖିଥିଲେ । ୬ଟି ଫିଲ୍ମରେ ସେ ଅଭିନୟ କରିଥିଲେ । ସେହିପରି ୬ଟି ଫିଲ୍ମରେ ଗୀତ ଗାଇ ଥିଲେ । ୧୯୬୨ ମସିହାରେ ରିଲିଜ ହୋଇଥିବା ‘ଜୟଦେବ’ ଚଳଚ୍ଚିତ୍ରରେ ସ୍ୱରୂପ ଶିଶୁ କଳାକାର ଭାବେ ଅଭିନୟ ମଧ୍ୟ କରିଥିଲେ । ୧୯୮୪ ମସିହାର ପ୍ରଶାନ୍ତ ନନ୍ଦଙ୍କ ଚଳଚ୍ଚିତ୍ର ‘ହୀରାନୀଳା’ରେ ସେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସହର ଜଳୁଛି, ଲାଲ୍ ପାନ୍ ବିବି, ଉଦଣ୍ଡୀ ସୀତା, ସିନ୍ଦୂର ନୁହେଁ ଖେଳଘର, ମନ ରହିଗଲା ତୁମ ଠାରେ, ପୁଅ ମୋର ଭୋଳା ଶଙ୍କର, ଆଇ ଲଭ୍ ୟୁ, ଶାଶୁ ଘର ଚାଲିଯିବି, ଜୀବନ ମୃତ୍ୟୁ ଓ କଥାନ୍ତର ଭଳି ଚଳଚ୍ଚିତ୍ରରେ ସ୍ୱରୂପ ନାୟକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ସ୍ୱରୂପ ନାୟକଙ୍କ ମୃତ୍ୟୁର କେବଳ ଓଡ଼ିଆ ଫିଲ୍ମ ଜଗତ ନୂହେଁ, ବିଭିନ୍ନ କ୍ଷେତ୍ରର ଲୋକେ ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ସିଡିଏସ୍ଥତି ବାସବଭବନରେ ବହୁ କଳାକାର, ମୁରବୀମାନେ ଯୋଗଦେଇ ଶେଷ ଦର୍ଶନ କରିଥିଲେ ।
ସ୍ୱରୂପଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, କଟକ ମେୟର ସୁବାସ ସିଂହ, ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଶୋକ ପ୍ରକାଶ କରି ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ତାଙ୍କର ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *