ବଢ଼ୁଛି କମିଶନରେଟ ପୁଲିସର କଳଙ୍କ

ଅସୁରକ୍ଷିତ ହୋଇ ପଡ଼ିଛି ଚୌଦ୍ୱାର: ପୁଲିସର ଅପାରଗତା ଯୋଗୁଁ ସ୍ପଷ୍ଟ ଦିବାଲୋକରେ ବଢ଼ୁଛି ଚୋରି


#ଚୌଦ୍ୱାର(ଏନ୍‌.ଏମ୍‌.): ଅପରାଧ ଜଗତକୁ ସମ୍ପୂର୍ଣ୍ଣ ଲୋପ କରିବା, ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା, ଛୋଟଛୋଟ ମାମଲାକୁ ସଙ୍ଗେସଙ୍ଗେ ସମାଧାନ କରିବା ଆଉ ଜନସାଧାରଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଇ ଜନସମର୍ଥନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପୁଲିସ ବିଭାଗ ଆଉ ପାଦେ ଆଗେଇ ଯାଇ କମିଶନରେଟ ପୁଲିସ ବିଭାଗ ଗଠନ କଲା। ବିଶେଷ କରି ସହରାଞ୍ଚଳରେ ଏହି ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇ ରାଜ୍ୟରେ ୨୦୦୮ ମସିହାରେ କଟକ-ଭୁବନେଶ୍ୱର କମିଶନରେଟ ପୁଲିସ କାର୍ଯ୍ୟ ଆରମ୍ଭ କରିଥିଲା। ଯାହା ଓଡ଼ିଶା ଅର୍ବାନ ପୁଲିସ ଆକ୍ଟ ୨୦୦୩ ଗେଜେଟ ଅନୁଯାୟୀ ଏହି ବିଭାଗ ଅଧିନରେ ୪୩ଟି ଥାନା ଅନ୍ତର୍ଭୁକ୍ତ କରାଗଲା। ତେବେ କମିଶନରେଟ ପୁଲିସ ଅଧିନରେ ଲୋକଙ୍କୁ ଯେତିକି ସୁବିଧା ଯୋଗାଇ ଦିଆଯାଉଛି ତାହା ଠାରୁ ଅଧିକ ପୁଲିସ ଅଧିକାରୀ ଓ କର୍ମଚାରୀଙ୍କ ସ୍ୱେଚ୍ଛାଚାରିତା ବୃଦ୍ଧି ପାଇଛି ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଛି। କଟକ କମିଶନରେଟ ପୁଲିସ ଅଧିନରେ ଥିବା ଚୌଦ୍ୱାର ଥାନାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି ବୋଲି ଅଞ୍ଚଳରେ ଆଲୋଚନା ହେଉଛି।
ତେବେ ଦିନକୁ ଦିନ ଚୌଦ୍ୱାର ଏବେ ଅସୁରକ୍ଷିତ ହୋଇ ପଡ଼ିଛି। ଚୌଦ୍ୱାର ଅଞ୍ଚଳରେ ଚୋରି ରାହାଜାନି, ଡକାୟତି ଆଦି ବଢ଼ିବାରେ ଲାଗିଛି। ଏପରିକି ସ୍ପଷ୍ଟ ଦିବାଲୋକରେ ଘରୁ କଳାକନା ବୁଲାଉଥିଲେ ମଧ୍ୟ ପୁଲିସ ସେମାନଙ୍କୁ ରୋକିବାରେ ବିଫଳ ହୋଇଛି। ସ୍ଥାନୀୟ ପୁଲିସର ଅପାରଗତା ଯୋଗୁଁ ଦିନକୁ ଦିନ ଏହି ଅଞ୍ଚଳରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳେ ଚୌଦ୍ୱାର ଥାନା ଅନ୍ତର୍ଗତ ବଜ୍ରକୋଟ ଗ୍ରାମର ପ୍ରତାପ ଦାସଙ୍କ ଘରୁ ଗଡ଼ରେଜରେ ଥିବା ୫୨ହଜାର ଟଙ୍କା ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି। ସୂଚନା ଯୋଗ୍ୟ ଯେ, ପ୍ରତିଦିନ ଭଳି ଆଜି ସକାଳେ ପ୍ରାୟ ୭ଟା ୩୦ ମିନିଟ ସମୟରେ ଶ୍ରୀ ଦାସ ଘରୁ ପାଖ ଚଣ୍ଡୀ ବଜାରକୁ ଚା ପିଇବାକୁ ଯାଇ ଘରକୁ ଫେରି ଦେଖିବା ବେଳକୁ ଘର ଗଡ଼ରେଜ ଖୋଲା ଅଛି। ମନରେ ସନ୍ଦେହ ହେବାରୁ ସେ ଗଡରେଜରେ ନିଜେ ରଖିଥିବା ୫୨ହଜାର ଟଙ୍କା ଉଭାନ ହୋଇ ଯାଇଥିବା ଜାଣିବାକୁ ପାଇଥିଲେ। ତେବେ ଏହି ଟଙ୍କାକୁ ଶ୍ରୀ ଦାସ ଜମି ବିକ୍ରି କରି ରଖିଥିବା କହିଛନ୍ତି। ଏହାପରେ ଚୌଦ୍ୱାର ଥାନାରେ ଶ୍ରୀ ଦାସ ଅଭିଯୋଗ କରିଥିବା କହିଥିଲେ। ପୁଲିସ ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, କିଛି ଲୋକ ଭିକ୍ଷା ମାଗିବା ପାଇଁ ଯାଇ ତାଙ୍କ ଘରୁ ଚୋରି କରି ଗାଁରେ ଥିବା ଏକ ଅଟୋ ଭଡ଼ାକରି କଟକ ଷ୍ଟେସନ ଅଭିମୁଖେ ଯାଇଥିଲେ। ତେବେ ଉକ୍ତ ଅଟୋବାଲାକୁ ପୁଲିସ ନେଇ କଟକ ଷ୍ଟେସନ ଯାଇ ସେଠାରେ ଜଣେ ପୁରୁଷ ଓ ୨ଜଣ ମହିଳାଙ୍କୁ ଧରିଥିବାବେଳେ ଅନ୍ୟଜଣେ ଫେରାର ହୋଇ ଯିବାରେ ସକ୍ଷମ ହୋଇଥିବା ଜଣାପଡ଼ିଛି। ମାତ୍ର ଏ ନେଇ ପୁଲିସ କୌଣସି ସ୍ପଷ୍ଟ ସୂଚନା ଦେଇ ନାହିଁ। ତେବେ ଚୌଦ୍ୱାର ଅଞ୍ଚଳରେ ଏଭଳି ବାରମ୍ବାର ଅପରାଧିକ ଘଟଣା ଘଟୁଥିବାବେଳେ ପୁଲିସର ଦକ୍ଷତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ରାତିରେ ପିସିଆର ଭ୍ୟାନ ଓ ଥାନାଗାଡ଼ିରେ କିଛି ଅଧିକାରୀ ଓ କର୍ମଚାରୀ ବିଭିନ୍ନ ଦୋକାନବଜାର ତଥା ରାଜପଥରେ ଯାଉଥିବା ଯାନବାହନରୁ ନାଲି ଆଖି ଦେଖାଇ ଚାନ୍ଦା ଆଦା କରିବା ଓ ଚୋରା ଚାଲଣରେ ସୁରକ୍ଷା ଦେବା କାମରେ ବ୍ୟସ୍ତ ଥିବାବେଳେ ଚୋରି ଡକାୟତି ବଢ଼ିବାରେ ଲାଗିଛି। ବିଶେଷ କରି ଏହି ଅଞ୍ଚଳରେ କିଛି ଅଜଣା ଲୋକ ଆସି ଅସ୍ଥାୟୀ ଭାବେ ବସବାସ କରୁଥିବାବେଳେ ଚୋରି ଆଦି ବିଭିନ୍ନ ଅପରାଧ ଘଟାଉଛନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ ଏମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ପୁନଶ୍ଚ ଗତ ୧ତାରିଖ ଦିନ ଦିନ ଦ୍ୱିପ୍ରହରରେ ଚାରବାଟିଆ ବଜାରୁ ଗୁରୁଡ଼ିଝାଟିଆ ଅଞ୍ଚଳର ବୈକୁଣ୍ଠ ରାଉତଙ୍କ ସ୍କୁଟି ଡିକି ଭାଙ୍ଗି ୩ ଲକ୍ଷ ଟଙ୍କା ଚୋରି ହୋଇଥିବାବେଳେ ଆଜି ଏଭଳି ଘଟଣାର ପୁନରାବୃତ୍ତି ଘଟିବା ଚୌଦ୍ୱାର ଥାନା ତଥା କମିଶନରେଟ ପୁଲିସ ଉପରେ ଲୋକଙ୍କ ଭରଷା ତୁଟୁଥିବା ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି।

By admin

Leave a Reply

Your email address will not be published. Required fields are marked *