ଅବକାରୀ ବିଭାଗକୁ ରାଷ୍ଟ୍ରପତିଙ୍କ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ

ଅବକାରୀ ବିଭାଗକୁ ରାଷ୍ଟ୍ରପତିଙ୍କ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ

News by I&PR Odisha

#ନୂଆଦିଲ୍ଲୀ(ଏଜେନ୍ସି): ନୂଆ ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଅବକାରୀ ବିଭାଗକୁ ଇ-ଅବକାରୀ ପାଇଁ ସମ୍ମାନଜନକ ଡିଜିଟାଲ୍ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ପ୍ରଦାନ କରିଛନ୍ତି । ଏହି ପୁରସ୍କାରକୁ ଓଡିଶା ସରକାରଙ୍କ ତରଫରୁ ଅବକାରୀ ବିଭାଗର ପୁର୍ବତନ ପ୍ରମୂଖ ଶାସନ ସଚିବ ସୁଶିଲ କୁମାର ଲୋହାନି, ଅବକାରୀ ଆୟୁକ୍ତ ଆଶୀଷ କୁମାର ସିଂହ, ଅତିରିକ୍ତ ଅବକାରୀ ଆୟୁକ୍ତ ରାମ ଚନ୍ଦ୍ର ପାଲଟା, ଅବକାରୀ ବିଭାଗର ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦ୍ଦେଶକ ନୀହାର ରଞ୍ଜନ ବିଶ୍ୱାଳ ଗ୍ରହଣ କରିଛନ୍ତି । ପ୍ରକାଶ ଥାଉକି ଯେ, ଓଡିଶା ସରକାରଙ୍କର ୫ଟି ସୁତ୍ର ଅନୁସାରେ ଅବକାରୀ ବିଭାଗ ୨୦୧୯-୨୦ରୁ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ସହାୟତାରେ ୩୦ରୁ ଅଧିକ ଅନଲାଇନ୍ ପରିମାପକର କାର୍ଯ୍ୟକାରୀ କରାଇ ସ୍ୱଚ୍ଛ, ଅବାଧ, ସ୍ୱଳ୍ପ ସମୟ, ନିରବିଛିନ୍ନ ଏବଂ ସମୟାନୁବର୍ତ୍ତୀ ସେବା ଦେଇ ଆସୁଅଛି । ଏହା ଅବକାରୀ ଅପରାଧର ସଠିକ୍ ନିରୀକ୍ଷଣ ଏବଂ ଏହାର କାର୍ଯ୍ୟକାରିତାକୁ ମଜବୁତ କରିବା, ଅବୈଧ ତଥା ନକଲି ମଦକୁ ରୋକିବା, ବିଭିନ୍ନସ୍ତରରେ ସମୟାନୁବର୍ତ୍ତୀ ସେବା ପ୍ରଦାନ କରିବା, ମଦର ଉତ୍ପାଦନ ଏବଂ ଉତ୍ପାଦନ ନିୟନ୍ତ୍ରଣ ସହିତ ଉପଯୁକ୍ତ ଯୋଗାଣ ଓ ପରିଚାଳନା ଏବଂ ସର୍ବୋପରି ବିଭାଗରେ ସାମୂହିକ ସେବାରେ ସହାୟତା ପ୍ରଦାନ କରି ଆସୁଅଛି । ସୂଚନା ଯୋଗ୍ୟ ଯେ, ଗତ ବର୍ଷ ଡିସେମ୍ବର ସୁଧା ୨୯ହଜାର ୦୩୮ଟି ମକୋଦ୍ଦମା ରୁଜୁ କରାଯାଇଥିବାବେଳେ ଚଳିତ ବର୍ଷ ୪୫ ହଜାର ୫୪୧ଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୫୬ପ୍ରତିଶତ ଅଧିକ । ଗତ ବର୍ଷ ଡିସେମ୍ବର ସୁଧା ଏନ୍‌.ଡି.ପି.ଏସ୍‌. ଆଇନ୍‌ରେ ୧୩୧୦ ଗୋଟି ମକୋଦ୍ଦମା ରୁଜୁ କରାଯାଇଥିବାବେଳେ ଚଳିତ ବର୍ଷ ୫୭୫ ଗୋଟି ମକୋଦ୍ଦମା ରୁଜୁ କରାଯାଇ ଅଛି, ଯାହା କି ୧୨୭ପ୍ରତିଶତ ଅଧିକ । ଚଳିତ ବର୍ଷ ଅବକାରୀ ରାଜସ୍ୱ ୬୧୯୭.୫୪ କୋଟି ସଂଗ୍ରହ ହୋଇଥିବା ବେଳେ ଗତ ବର୍ଷ ୫୦୨୩.୯୨ କୋଟି ହୋଇଥିଲା ଯାହା କି ୨୩.୩୬ପ୍ରତିଶତ ଅଧିକ । ଅବକାରୀ ବିଭାଗ ଓଡିଶା ରାଜ୍ୟ ସରକାରଙ୍କର ୫ଟି ସୁତ୍ର ଅନୁସାରେ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଇ ବିଭାଗରେ ବ୍ୟାପକ ପରିବର୍ତ୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରୀୟାଶୀଳ ଓ ଉତ୍ତରଦାୟୀ କରାଯାଉ ଥିବାରୁ ଏହି ପୁରସ୍କାର ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇ ପାରିଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *