ଅବକାରୀ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ର ଚଢାଉ: ୭୦ କେଜି ଗଞ୍ଜେଇ ଜବତ, ୨ ଗିରଫ


କଟକ(ଏନ୍‌.ଏମ୍‌.): ରାଜ୍ୟ ଅବକାରୀ ବିଭାଗର କଟକସ୍ଥିତ ଫ୍ଲାଇଙ୍ଗ୍ ସ୍କ୍ୱାଡ୍‌ଦ୍ୱାରା ୭୦ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ତେବେ ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ୨ଜଣ ବ୍ୟକ୍ତିଙ୍କୁ ମଧ୍ୟ ଅବକାରୀ ବିଭାଗ ଗିରଫ କରି କୋର୍ଟଚାଲଣ କରିଛି । ସୂଚନା ଅନୁଯାୟୀ ଅବକାରୀ ବିଭାଗ କର୍ମଚାରୀମାନେ ଆଜି ସକାଳେ ଗୋପାଳପୁର ଠାରେ ଜଗି ରହି ଖୋର୍ଦ୍ଧାରୁ ପଶ୍ଚିମବଙ୍ଗକୁ ଏକ କାର ଯୋଗେ ଚାଲାଣ କରାଯାଉଥିବା ୭୦ କେଜି ଓଜନର ଗଞ୍ଜେଇ ଜବତ କରିବା ସହିତ ଏହି କାରବାରରେ ସଂପୃକ୍ତ ୨ଜଣଙ୍କୁ ଗିରଫ କରିଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ପଶ୍ଚିମବଙ୍ଗ ନଦୀୟା ଜିଲ୍ଲା ରନାଘାଟ ଅଞ୍ଚଳର ପାପୁ ଦାସ(୩୩) ଓ ସୁମନ ଦାସ(୨୪) ବୋଲି ଜଣାପଡ଼ିଛି । ଏହି ଦୁଇ ଅଭୁଯୁକ୍ତ ତିନୋଟି ବସ୍ତାରେ ଥିବା ଏହି ପରିମାଣର ଗଞ୍ଜେଇ ଖୋର୍ଦ୍ଧାରୁ ସଂଗ୍ରହ କରି ଡବ୍ଲ୍ୟୁବି-୦୬-ସି-୦୮୨୩ ନମ୍ବର ବିଶିଷ୍ଟ ଏକ ସ୍କୋଡା କାରରେ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବାର ଗୁପ୍ତ ସୂଚନାକୁ ଭିତ୍ତି କରି ଆୟୁକ୍ତ ଆଶିଷ ସିଂହଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ୱାଡର କର୍ମଚାରୀମାନେ ଗୋପାଳପୁର ଛକରେ ସକାଳ ୬ଟାରେ ଗାଡିକୁ ଅଟକାଇଥିଲେ । ତଲାସୀ ପରେ ଗାଡିଟିରୁ ଏହି ପରିମାଣର ଗଞ୍ଜେଇ ମିଳିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଆଜିର ଏହି ଚଢାଉରେ ସ୍କ୍ୱାଡର ଅଧିକ୍ଷକ ଦେବାଶିଷ ପଟେଲଙ୍କ ନେତୃତ୍ୱରେ ଇନ୍ସପେକ୍ଟର ସରୋଜ କୁମାର ପରିଡା, ଉମାକାନ୍ତ ସ୍ୱାଇଁ, ଏସଆଇ ସଚିନ ବେହେରା, ନଟବର ମଲ୍ଲିକ, ବ୍ରଜକିଶୋର ବିନ୍ଧାଣୀ, ମୋତିଲାଲା ମହନ୍ତଙ୍କ ସହିତ କନେଷ୍ଟବଳ କର୍ଣ୍ଣ ଓରାମ, ରୋଜାଲିନ ପଟ୍ଟନାୟକ, ଶୋଭିତା ମଲ୍ଲିକ, ସସ୍ମିତା ସାହୁ ଓ ଗୈାରାଙ୍ଗ ନାୟକ ପ୍ରମୁଖ ସାମିଲ ଥିଲେ ।

Leave a Reply

Your email address will not be published. Required fields are marked *