ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ

ଅଞ୍ଚଳର ବିକାଶ ପାଇଁ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ

News by Smruti Ranjan Tripathy (Choudwar)

ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଆଗକୁ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟବ୍ୟାପୀ ଜନସାଧାରଣଙ୍କ ବହୁବିଦ୍ଧ ଉନ୍ନତି ନିମନ୍ତେ ରାଜ୍ୟସରକାର ଅଣ୍ଟା ଭିଡିଛନ୍ତି । ତେବେ ଦୀର୍ଘ ବର୍ଷ ଧରି ବିଭିନ୍ନ ସେବାରୁ ବଞ୍ଚିତ ଥିବା ଜନସାଧାରଣଙ୍କ ବହୁ ଉନ୍ନତିମୂଳକ କାର୍ଯ୍ୟ ସାଧନ ହେଉଥିବା ଯୋଗୁଁ ଲୋକେ ମଧ୍ୟ ସରକାରଙ୍କ ପ୍ରଶଂସା ଗାନ କରିବାରେ ଲାଗିଛନ୍ତି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲାର ଟାଙ୍ଗୀ-ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତରେ ଜନସାଧାରଣଙ୍କ ବିକାଶ ନିମନ୍ତେ ଚୌଦ୍ୱାର-କଟକ ବିଧାୟକଙ୍କ ମାରାଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପଞ୍ଚାୟତ ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୂଖ୍ୟଅତିଥି ଭାବେ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ବହୁ ଜନକଲ୍ୟାଣ ପ୍ରକଳ୍ପର ଉଦ୍‌ଘାଟନ, ଶିଳାନ୍ୟାସ ସହ ଜନସାଧାରଣଙ୍କୁ ଆବାସ ଯୋଜନାର ବାସଗୃହ ନିର୍ମାଣ ନେଇ କାର୍ଯ୍ୟାଦେଶ ସହ ସାମାଜିକ ସୁରକ୍ଷା ନିମନ୍ତେ ନୂତନ ଭତ୍ତା କାର୍ଡ଼ ବିତରଣ କରିଥିଲେ । ପ୍ରଥମେ ଏହି ପଞ୍ଚାୟତର ନୂଆପାଟଣା ଗ୍ରାମରେ କିଛି ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ଭତ୍ତା ପ୍ରଦାନ କରିଥିଲେ । ଅନୁରୂପ ଭାବେ ସେହି ଗ୍ରାମର ନୂଆପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ନୂତନ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଛନ୍ତି । ଏହାପରେ କୟଳପଡା ଓ ସିମିଳିହାଣ୍ଡ ଗ୍ରାମରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଭତ୍ତା ପ୍ରଦାନ କରିଥିଲେ । ଏଥିସହ ଦଧିବାବନ ସାହିରେ ୨ଲକ୍ଷ ୫୦ ହାଜର ଟଙ୍କାରେ ନବୀକରଣ କରାଯାଇଥିବା କୋଠ ଘରକୁ ଉଦ୍ଘାଟନ କରିଥିଲେ । ସମୁଦାୟ ୫୫ ଜଣଙ୍କୁ ଭତ୍ତା, ଓ ୪୦ ଜଣକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ, ସମିତି ସଭ୍ୟା ବନ୍ଦନା ସ୍ୱାଇଁ, ନାଏବ ସରପଞ୍ଚ ମାଧବାନନ୍ଦ ସେଠୀ, ସମାଜସେବୀ ସୁଧାକର ନାୟକ, ସରପଞ୍ଚଙ୍କ ପ୍ରତିନିଧି ପିତାମ୍ବର ନାୟକ, ସାହିର ୱାର୍ଡ ମେମ୍ବରଙ୍କ ସମେତ ବହୁ ଗ୍ରାମବାସୀ ଓ ଦଳୀୟ କର୍ମୀମାନ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *