ଅଗଷ୍ଟ ୩୧’ରେ ବକ୍ସିବଜାର ଛକରେ ହେବ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନ


କଟକ(ଏନ୍‌.ଏମ୍‌.): ସିଏମସି କାଉନସିଲ ବୈଠକରେ ବକ୍ସି ଜଗବନ୍ଧୁଙ୍କର ପୂର୍ଣ୍ଣ ଅବ୍ୟୟବ ମୂର୍ତ୍ତି ବକ୍ସିବଜାର ଛକରେ ସ୍ଥାପନ ହେବାପାଇଁ ଅଗଷ୍ଟ ମାସ ୩୧’ତାରିଖ ଚୁଡାନ୍ତ କରାଯାଇଛି ବୋଲି ମେୟର ସୁବାଷ ସିଂ କାଉନସିଲ ମଧ୍ୟମରେ କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଏହି କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ୍‌, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେବାକୁ ସହମତି ପ୍ରକାଶ କରିଛନ୍ତି। ସ୍ୱାଧୀନତାର ୭୮’ବର୍ଷ ପରେ ବକ୍ସିବଜାର ଅଞ୍ଚଳରେ ଯେଉଁଠାରେ ବକ୍ସି ତାଙ୍କ ଜୀବନର ବହୁ ବର୍ଷ ଅତିବାହିତ କରିବା ସହିତ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ସେହି ସ୍ଥାନରେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁଙ୍କର ପ୍ରତିମୂର୍ତ୍ତି ସ୍ଥାପନା ହେବା ନିଶ୍ଚିତ ଭାବେ ଏକ ଆନନ୍ଦର ବିଷୟ ହେଲେ ପରିତାପର ବିଷୟ ଏହା ଯେ ଆଜି ପର୍ଯ୍ୟନ୍ତ ଓଡିଶାରେ ବିଭିନ୍ନ ରାଜନୈତିକ ଦଳ ଶାସନ କରିଥିଲେ ମଧ୍ୟ କୌଣସି ରାଜନୈତିକ ଦଳ ଏ କାର୍ଯ୍ୟ ପାଇଁ ଆନ୍ତରିକତା ସହିତ ଉଦ୍ୟମ କରିନଥିଲେ। ବକ୍ସିବଜାର ବ୍ୟବସାୟୀ ସଂଘ ଓ ଏହାର ସଭାପତି ସଲିଲ୍ ଘୋଷ୍‌, ସମ୍ପାଦକ ଜଗନ୍ନାଥ ପ୍ରସାଦ ଭଗତଙ୍କର ଅକ୍ଳାନ୍ତ ପରିଶ୍ରମ ଫଳରେ କଟକ ମ୍ୟୁନିସିପାଲିଟି କର୍ପୋରେସନ ଏହି କାର୍ଯ୍ୟ ହାତକୁ ନେବାକୁ ରାଜି ହୋଇଥିଲା। ଟ୍ରାଫିକ ବିଭାଗ ଓ ଆର.ଆଣ୍ଡ୍ ବିର,ଏନ୍‌.ଓ.ସି ପ୍ରଦାନ କରିଥିଲେ। ଏଥିପାଇଁ ମଧ୍ୟ ୨୦୧୬ ମସିହା ଠାରୁ ବକ୍ସି ବଜ଼ାର ବ୍ୟବସାୟୀ ସଂଘ ସଂଗ୍ରାମ ଜାରି ରଖିଥିଲେ। ଦୀର୍ଘ ଆଠ ବର୍ଷ ସମୟ ଲାଗିଗଲା ଓ ଖୁବ ଶୀଘ୍ର ବକ୍ସି ବଜ଼ାର ଛକରେ ସ୍ଥାପିତ ହେବାକୁ ଯାଉଛନ୍ତି। ୨୦୧୬’ମସିହାରେ ବକ୍ସି ବଜ଼ାର ବ୍ୟବସାୟୀ ସଂଘ ଦାବି କରି ଆସୁଥିଲେ। ବକ୍ସି ବଜ଼ାର ବ୍ୟବସାୟୀ ସଂଘର ସଭାପତି ସଲିଲ ଘୋଷ ତତ୍କାଳୀନ ମ୍ୟୁନିସିପାଲିଟି କମିସନର୍ ଜ୍ଞାନ ଦାସଙ୍କୁ ମଧ୍ୟ ଭେଟି ଅନୁରୋଧ କରିଥିଲେ। ଏଭଳି କାର୍ଯ୍ୟରେ ମ୍ୟୁନିସିପାଲିଟି କୌଣସି ସାହାଯ୍ୟ କରିପାରିବ ନାହିଁ ବୋଲି କହିବା ପରେ ସେ ସମୟର ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହିତ ଚିଠି ମାଧ୍ୟମରେ ଏହି ପ୍ରସଙ୍ଗ ଉତ୍ଥାପନ କରାଯାଇ ଥିଲା। ପରବର୍ତ୍ତୀ ସମୟରେ ୨୦୧୮’ମସିହାରେ କଟକ ମ୍ୟୁନିସିପାଲିଟି ଏହାକୁ କାଉନସିଲ୍ ବୈଠକରେ ଉଠାଇଥିଲା ଓ ଟେଣ୍ଡର ଆହ୍ୱାନ କରା ଯାଇ ସ୍ଥପତି ଲକ୍ଷ୍ମୀଧର ରଣାଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରିଥିଲା ଓ ଫେବୃଆରୀ ମାସ ୯ ତାରିଖରେ ଶୁଭ ଦିଆ ଗଲା; କିନ୍ତୁ ଦୁର୍ଭାଗ୍ୟକୁ ସେହିବର୍ଷ କାଉନସିଲ୍ ଭାଙ୍ଗିଗଲା। ଏଥିମଧ୍ୟରେ ବିଭିନ୍ନ ସମସ୍ୟା ପାଇଁ ଦୀର୍ଘ ପାଞ୍ଚବର୍ଷ ବିତିଗଲା, ଏବେ ବକ୍ସିଙ୍କର ମୂର୍ତ୍ତି ସ୍ଥାପନ ନେଇ ଚୁଡାନ୍ତ ନିର୍ଣ୍ଣୟ କେବଳ ବକ୍ସିବଜାର ନୁହେଁ ସମସ୍ତ କଟକବାସୀଙ୍କୁ ଆନନ୍ଦ ପ୍ରଦାନ କରିଛି। ଏହି ଅଭିନନ୍ଦନୀୟ କାର୍ଯ୍ୟ ପାଇଁ ସମସ୍ତ ଶ୍ରେୟ ବକ୍ସିବଜାର ବ୍ୟବସାୟୀ ସଂଘ ଓ ଏହାର ସଭାପତି ସଲିଲ୍ ଘୋଷଙ୍କୁ ଯାଉଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଏଥି ସହିତ ବର୍ତମାନ ମେୟର ସୁଭାଷ ସିଂଙ୍କୁ ବକ୍ସି ବଜ଼ାର ବ୍ୟବସାୟୀ ସଂଘ ଧନ୍ୟବାଦ ଜ୍ଞାପନ କରିଛନ୍ତି। ବକ୍ସି ବଜ଼ାର ସଭାପତିଙ୍କ କହିବା ଅନୁଯାଇ ମେୟର ମହାଦୟ ତାଙ୍କ ଅପ୍ରାଣ ଚେଷ୍ଟା ହେତୁ ମୂର୍ତ୍ତି ସ୍ଥାପନା ଆଜି ଶୀଘ୍ର ହେବାକୁ ଯାଉଅଛି। ତେଣୁ ମେୟର ମହାଦୟଙ୍କୁ କୃତଗତା ଜଣାଉଛନ୍ତି।

Leave a Reply

Your email address will not be published. Required fields are marked *