ହ୍ୟାକରଙ୍କ ପିଏମ କିଷାନ ମୋହରା : ଟାର୍ଗେଟରେ ଡାକ୍ତର, ଓକିଲ ଆଉ ଗଣମାଧ୍ୟମ ପ୍ରତିନିଧି
କଟକ(ଏନ୍.ଏମ୍.): ସାଇବର ଲୁଟେରାଙ୍କ ନୂଆ ମୋହରା ପିଏମ କିଷାନ। ଟାର୍ଗେଟରେ ରହୁଛନ୍ତି ଡାକ୍ତର, ଓକିଲ ଓ ଗଣମାଧ୍ୟମ ପ୍ରତିନିଧି। ହ୍ୱାଟସ ଆପରେ ଆସୁଛି ଲିଙ୍କ୍ । କ୍ଲିକ୍ କଲେ କ୍ରେଡିଟ କାର୍ଡରୁ ଟଙ୍କା ହୋଇଯାଉଛି ଉଭାନ। ଅଭିଯୋଗ ହେଉଛି ଆକାଉଣ୍ଟରୁ ଉଭାନ ଟଙ୍କା ସିଧା ଚାଲିଯାଉଛି ଆମାଜନ ସାଇଟକୁ। ଯାହାକି ଏବେ ସମସ୍ତଙ୍କ ନିଦ ହଜାଇ ଦେଇଛି। ପ୍ରଶ୍ନ ଉଠୁଛି ଆମାଜନ ସହ ସାଇବର ଲୁଟେରାଙ୍କର ରହିଛି କି ସାଲିସ। ନାଁ ଆମାଜନ ନାଁରେ ସାଇବର ଲୁଟେରା ଖୋଲିଛନ୍ତି ନକଲି ସାଇଡ। ଯାହାକୁ ନେଇ ଚିନ୍ତାରେ ସାଇବର ସେଲ। ମିଳିଥିବା ସୂଚନା ଅନୁଯାୟୀ, ଗଣମାଧ୍ୟମର ବିଭିନ୍ନ ଗ୍ରୁପମାନଙ୍କୁ ବିଭିନ୍ନ ସଦସ୍ୟଙ୍କ ନମ୍ବରରୁ ପିଏମ କିଶାନ ଆପ ନାମକ ଏକ ଲିଙ୍କ ଆସୁଛି। ତେବେ ଏହି ଲିଙ୍କକୁ ଯାଞ୍ଚ କରିବା ବେଳେ ବିଭିନ୍ନ ତଥ୍ୟ ମାଗିବା ସହ ଓଟିପି ମଧ୍ୟ ଆସୁଛି। ତେବେ ସେତେବେଳକୁ ସେହି ନମ୍ବରରେ ଚାଲିଥିବା ହ୍ୱାଟସଆପ ଆଉ ନିଜ ହାତରେ ରହୁନାହିଁ। ଫଳରେ ସେହି ନମ୍ବର ସହ ଯୋଡି ହୋଇଥିବା ସମସ୍ତ ଗ୍ରୁପକୁ ଏହି ଲିଙ୍କ ଆପେ ଆପେ ଚାଲିଯାଉଛି। ଫଳରେ ଉକ୍ତ ନମ୍ବର ହ୍ୱାଟସଆପରୁ ସମସ୍ତ ଗ୍ରୁପକୁ ଏହି ମେସେଜ ଯାଉଥିବାବେଳେ ଏବେ ଜଣେ ସାମ୍ବାଦିକଙ୍କ କ୍ରେଡିଟ କାର୍ଡ଼ରୁ ପ୍ରାୟ ୨୫ହଜାର ଟଙ୍କା ଉଭାନ ହୋଇ ଯାଇଛି। ଏ ନେଇ ସାଇବର ଥାନାରେ ଅଭିଯୋଗ ମଧ୍ୟ ହୋଇଛି। ତେବେ ଏହା ବହୁ ଗ୍ରୁପରେ ଆପେ ଆପେ ଲିଙ୍କ ଚାଲିଯାଉଥିଲେ ମଧ୍ୟ ହ୍ୱାଟସଆପ ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତି ଜଣକ କିଛି ଜାଣିପାରୁନାହିଁ କି କିଛି କରିପାରୁନାହିଁ। ଫଳରେ ହ୍ୟାକରମାନେ ତାଙ୍କୁ ଡିଜିଟାଲ ଆରେଷ୍ଟ କରିବା ଭଳି ହ୍ୱାଟସଆପ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ତେବେ କଟକରେ ଏଭଳି ଏକ ଅଭାବନୀୟ ଘଟଣା ଘଟିବା ପରେ ସମସ୍ତେ ଏ ଦିଗରେ ସଚେତନ ହେବା ସହ ସାଇବର ଥାନା ପକ୍ଷରୁ ଏନେଇ ଉଚିତ ତଦନ୍ତ କରି ପ୍ରକୃତ ଅପରାଧୀକୁ ଦଣ୍ଡବିଧାନ କରିବା ପାଇଁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ଯାହା ଫଳରେ ବହୁ ନିର୍ଦ୍ଦୋଷ ରକ୍ଷା ପାଇପାରିବେ ବୋଲି କୁହାଯାଉଛି। କେବଳ ଏହା ଯେ, ଗଣମାଧ୍ୟମ ପ୍ରତିନିଧିଙ୍କ କ୍ଷେତ୍ରରେ ହେଉଛି ତାହାନୁହେଁ। କିଛି ଆଇନଜୀବୀ ଓ ଡାକ୍ତରଙ୍କ ନିକଟକୁ ମଧ୍ୟ ଏଭଳି ଲିଙ୍କ ଆସିଥିବା ଜଣାପଡ଼ିଛି। ଏହାଦ୍ୱାରା କେତେ ଟଙ୍କା ହଡ଼ପ ହୋଇଛି ତାହାର ମଧ୍ୟ ତଦନ୍ତ କରାଯିବା ଉଚିତ୍ ବୋଲି ଦାବି ହେଉଛି।