ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ

ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଶିକାରୀ ଗିରଫ

News by Maheswar behera (Athagarh)

ଆଠଗଡ(ଏନ୍‌.ଏମ୍‌.): ଆଠଗଡ ବନଖଣ୍ଡ ଅନ୍ତର୍ଗତ ବଡମ୍ବା ବନାଞ୍ଚଳରେ ଜୁନ ୨ରୁ ଅଦ୍ୟାବଧି ୪ଟି ହାତୀ କଙ୍କାଳ ମିଳିବା ଏବଂ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ବନବିଭାଗର ନିଦ ହଜାଇ ଦେଇଛି । ଏହିସବୁ ଘଟଣାରେ ଅଦ୍ୟାବଧି ଶିକାରୀ ଓ ବନବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରାଯାଇଛି । ତେବେ ନରସିଂହପୁର ଅଞ୍ଚଳର ଜଣେ ହାତୀ ଶିକାରୀକୁ ବନବିଭାଗ ପକ୍ଷରୁ କଟକ ସହରର ତୁଳସୀପୁର ଦେଉଳସାହି ଅଞ୍ଚଳରୁ ଧରା ଯାଇଥିବା ଜଣାପଡିଛି । ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଧବଙ୍କ ନିର୍ଦ୍ଦେଶକ୍ରମେ ଗତ ୨ଦିନ ହେବ ସହକାରୀ ବନ ସଂରକ୍ଷକ ଘନଶ୍ୟାମ ମୁଦୁଲିଙ୍କ ନେତୃତ୍ୱରେ ବନବିଭାଗର ଏକ ସ୍ୱତନ୍ତ୍ର ସ୍କାର୍ଡ ସଂପୃକ୍ତ କୁଖ୍ୟାତ ହାତୀ ଶିକାରୀକୁ ଧରିବା ପାଇଁ ଜାଲ ବିଛାଇଥିଲେ । ମୋବାଇଲ ଫୋନ ଟ୍ରାକିଂରୁ ସେ କଟକ ସହରରେ ଥିବା ଜାଣିବା ପରେ ଉକ୍ତ ସ୍ୱତନ୍ତ୍ର ସ୍କାର୍ଡ ଶନିବାରଠାରୁ ତାକୁ ଧରିବା ପାଇଁ ଉଦ୍ୟମ କରି ଶେଷରେ ରବିବାର ସକାଳେ ତାକୁ କାବୁ କରି ଆଠଗଡ ବନଖଣ୍ଡ କାର୍ଯ୍ୟାଳୟକୁ ଆଣିଥିବା ଜଣାପଡିଛି । ନରସିଂହପୁର ଥାନା ଅନ୍ତର୍ଗତ ଜେମାଦେଇପୁର ଗ୍ରାମର ଧର୍ମରାଜ ନାଏକ ନାମକ ସଂପୃକ୍ତ ଶିକାରୀ ପୂର୍ବରୁ ବହୁ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଶିକାର କରିଥିବାର ପ୍ରମାଣ ରହିଛି । ବଡମ୍ବା ବନାଞ୍ଚଳରେ ନିକଟରେ ପୋତାଯାଇଥିବା ଅବସ୍ଥାରେ ଉଦ୍ଧାର ହୋଇଥିବା ୪ଟି ହାତୀ କଙ୍କାଳ ମିଳିବା ଘଟଣାରେ ସଂପୃକ୍ତ ହାତୀ ଶିକାରୀ ଧର୍ମରାଜ ସଂପୃକ୍ତ ଥିବା ସନ୍ଦେହ କରାଯାଉଛି । ବନବିଭାଗ ପକ୍ଷରୁ ତାକୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି । ତା ଠାରୁ ସମସ୍ତ ତଥ୍ୟପ୍ରମାଣ ମିଳିବା ପରେ ଘଟଣା ସଂପର୍କରେ ସବିଶେଷ ତଥ୍ୟ ବନବିଭାଗ ପକ୍ଷରୁ ଦିଆଯିବ ବୋଲି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ପ୍ରକାଶ କରିଛନ୍ତି । ଏହି ଦୁର୍ଦ୍ଦାନ୍ତ ହାତୀ ଶିକାରୀକୁ ଧରିବା ଦ୍ୱାରା ବନବିଭାଗକୁ ଏକ ବଡ ସଫଳତା ମିଳିଛି ବୋଲି କୁହାଯାଉଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *