ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ: ଗୋଟିଏ ମାମଲାର ବିଚାରାଧୀନ କଏଦୀ ନୂଆ ମାମଲାରେ ଲୋଡି ପାରିବେ ଆଗୁଆ ଜାମିନ
#କଟକ(ଏନ୍.ଏମ୍.): ଆଜି ଓଡ଼ିଶା ହାଇକୋର୍ଟ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଗୋଟିଏ ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଜଣେ ବ୍ୟକ୍ତି ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଆବେଦନ କରି ପାରିବେ ବୋଲି ଆଜି ହାଇକୋର୍ଟ ରାୟ ଦେଇଛନ୍ତି । ଯଦି ତାଙ୍କୁ ସେହି ମାମଲାରେ ଆଗୁଆ ଜାମିନ ମିଳେ ତେବେ ପୂର୍ବ ମାମଲାରେ ମୁକ୍ତ ହେବା ପରେ ସଂପୃକ୍ତ ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହା କାର୍ଯ୍ୟକ୍ଷମ ହେବ । ପୂର୍ବ ମାମଲାରେ ହେପାଜତରେ ଥିବା ବେଳେ ଜେରା ପାଇଁ ଅଭିଯୁକ୍ତକୁ ରିମାଣ୍ଡରେ ନେବା ପାଇଁ ତଦନ୍ତକାରୀ ସଂସ୍ଥା ପଦକ୍ଷେପ ନେଇ ପାରିବ । ଯଦି ରିମାଣ୍ଡ ମଞ୍ଜୁର କରି ନିର୍ଦ୍ଦେଶ ପ୍ରଦାନ କରାଯାଏ ତେବେ ଅଭିଯୁକ୍ତ ଆଉ ଆଗୁଆ ଜାମିନ ପାଇଁ ଆବେଦନ କରିପାରିବେ ନାହିଁ । ଏଭଳି କ୍ଷେତ୍ରରେ ସେ ନିୟମିତ ଜାମିନ ଲୋଡ଼ି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି । ଜଷ୍ଟିସ୍ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏସ୍.କେ.ଷଡ଼ଙ୍ଗୀ ଓ ପ୍ରଥମ ପାତ୍ରଙ୍କ ପକ୍ଷରୁ ଦାୟର ପୃଥକ ଆଗୁଆ ଜାମିନ ଆବେଦନର ଏକତ୍ର ଶୁଣାଣି କରି ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି । ଏସ. କେ. ଷଡ଼ଙ୍ଗୀ ବିରୋଧରେ ଇଓଡବ୍ଲୁରେ ମାମଲା ଥିବା ବେଳେ ପ୍ରଥମ କାଲିମେଳା ଥାନା ମାମଲାରେ ଗିରଫ ହୋଇଥିଲେ । ଦୁଇ ଆବେଦନକାରୀ ଗିରଫ ହୋଇ ଜେଲ୍ରେ ଥିବା ବେଳେ ସେମାନଙ୍କ ବିରୋଧରେ ଅନ୍ୟ ଅପରାଧିକ ମାମଲା ରୁଜୁ ହୋଇଥିଲା । ଜେଲ୍ରେ ଥାଇ ନୂଆ ମାମଲାରେ ଆଗୁଆ ଜାମିନ ଲୋଡ଼ି ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଗୋଟିଏ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ଏକ ମାମଲାରେ ଆଗୁଆ ଜାମିନ ଲୋଡ଼ି ଦାୟର କରିଥିବା ଆବେଦନ ଆଇନ ଅନୁସାରେ ଗ୍ରହଣୀୟ ବା ନୁହେଁ ସେ ନେଇ ଶୁଣାଣି ସମୟରେ ପ୍ରଶ୍ନ ଉଠିଥିଲା । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ ଓ ଦେଶର ଅନ୍ୟ ହାଇକୋର୍ଟ ପ୍ରଦାନ କରିଥିବା ରାୟର ନଜିର ଉପସ୍ଥାପନ କରାଯାଇଥିଲା । ଏଥିସହିତ ସମ୍ବିଧାନ ପ୍ରଦତ୍ତ ବ୍ୟକ୍ତିଗତ ସ୍ୱାଧୀନତା ମୌଳିକ ଅଧିକାର ପ୍ରସଙ୍ଗରେ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଅନୁସୂଚିତ ଜାତି ଓ ଜନଜାତିଙ୍କ ସୁରକ୍ଷା ପାଇଁ ରହିଥିବା ଆଇନରେ ରୁଜୁ ମାମଲାରେ ଆଗୁଆ ଜାମିନ ପ୍ରଦାନ ଉପରେ କଟକଣା ରହିଛି । ଏଭଳି କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଆଗୁଆ ଜାମିନ ଆବେଦନ ଗ୍ରହଣୀୟ ନୁହେଁ । କିନ୍ତୁ ଗୋଟିଏ ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ତାଙ୍କ ବିରୋଧରେ ରୁଜୁ ଅନ୍ୟ ନୂଆ ମାମଲାରେ ସିଆରପିସିର ଧାରା ୪୩୮ରେ ଆଗୁଆ ଜାମିନ ଦାୟର କରିବାରେ କୌଣସି ଆଇନଗତ ପ୍ରତିବନ୍ଧକ ନାହିଁ ବୋଲି ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା । ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଓ ଦେବାଶିଷ ପଣ୍ଡା ମାମଲା ପରିଚାଳନା କରୁଥିଲେ ।