ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା; ୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

ହାଇକୋର୍ଟରେ ଓଟିଏମ୍ ପୁନରୁଦ୍ଧାର ମାମଲା
୫ ତାରିଖ ସୁଦ୍ଧା ହସ୍ତାନ୍ତର : ବିଳମ୍ବ ହେଲେ ମାସକୁ ୬ ଲକ୍ଷ ଟଙ୍କା

News by Smruti ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ରାଜ୍ୟର ବହୁ ଚର୍ଚ୍ଚିତ ଓଡିଶା ଟେକ୍ସଟାଇଲ ମିଲ୍ (ଓଟିଏମ୍‌)ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଆଜି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । ଆସନ୍ତା ଡିସେମ୍ବର ୫ ତାରିଖ ଅପରାହ୍ନ ୪ଟା ସୁଦ୍ଧା ରାଜ୍ୟ ସରକାର ଓଟିଏମ୍‌କୁ ନିଜ ଅକ୍ତିଆରକୁ ନେବେ । କମ୍ପାନୀର ସମସ୍ତ ସମ୍ପତ୍ତିକୁ ରାଜ୍ୟ ସରକାର ତାଙ୍କ ପ୍ରତିନିଧିଙ୍କ ଜରିଆେରେ ଅଫିସିଆଲ ଲିକ୍ୟୁଡେଟରଙ୍କଠାରୁ ଗ୍ରହଣ କରିବେ । ଏହି ସମୟ ମଧ୍ୟରେ ସରକାର ଯଦି ହ୍ୟାଣ୍ଡଓଭର କାର୍ଯ୍ୟ କରିନପାରନ୍ତି ତେବେ ମାସକୁ ୬ ଲକ୍ଷ ଟଙ୍କା ରାଜ୍ୟ ସରକାର ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଜମା କରିବେ । ଏ ସମ୍ପର୍କିତ ତଥ୍ୟ ପରବର୍ତ୍ତି ଶୁଣାଣି ଡିସେମ୍ବର ୬ ତାରିଖ ଦିନ ସତ୍ୟପାଠ ମାଧ୍ୟମରେ ଅଦାଲତଙ୍କୁ ଅବଗତ କରାଇବାକୁ ବିଚାରପତି ଅରିନ୍ଦମ ସିହ୍ନାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ ଯେ, ରାଜ୍ୟ ସରକାର ଓଟିଏମ୍‌କୁ ହାତକୁ ନେବେ ଓ ସେଠାରେ ଟେକ୍ସାଟାଇଲ ପାର୍କ ନିର୍ମାଣ ହେବ ବୋଲି ହାଇକୋର୍ଟଙ୍କୁ ପୂର୍ବ ଶୁଣାଣିରେ ଅବଗତ କରାଇଥିଲେ । ଏଥିପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ରାଜ୍ୟ ସରକାର ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଆବଶ୍ୟକ ଅର୍ଥ ପୈଠ କରିଥିଲେ । ଉକ୍ତ ଅର୍ଥକୁ ବ୍ୟାଙ୍କରେ ସ୍ଥାୟୀ ଜମା ରଖାଯାଇଛି । ପରବର୍ତ୍ତୀ ଅବସ୍ଥାରେ ଏହି ଅର୍ଥ ଓଟିଏମ୍‌ର ଅଂଶୀଦାର ଓ ପୂର୍ବତନ କର୍ମଚାରୀଙ୍କ ମଧ୍ୟରେ ବଣ୍ଟାଯିବ । ଅର୍ଥ ପାଇଁ ହକ୍‌ଦାର ବ୍ୟକ୍ତିମାନେ ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ପୃଥକ ଭାବେ ଆବେଦନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସରକାର ଅର୍ଥ ପୈଠ କରିବା ସତ୍ତ୍ୱେବି ଓଟିଏମ୍‌କୁ ହାତକୁ ନେଉନଥିବାରୁ ଶୁକ୍ରବାର ହାଇକୋର୍ଟ ବିରକ୍ତ ପ୍ରକାଶ କରିଥିଲେ । ହାତକୁ ନେବା କାର୍ଯ୍ୟ ବିଳମ୍ବିତ ହେଉଥିବା କାରଣରୁ ଅଫିସିଆଲ ଲିକ୍ୟୁଡେଟରଙ୍କ ଉପରେ ଅଯଥା ଚାପ ପଡ଼ୁଥିବାରୁ ହାଇକୋର୍ଟ ତୁରନ୍ତ କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆବେଦନକାରୀ ପୂର୍ବତନ କର୍ମଚାରୀଙ୍କ ପକ୍ଷରୁ ଆଇନଜୀବୀ ତ୍ରିଲୋଚନ ବାରିକ ମାମଲା ପରିଚାଳନା କରୁଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଓଟିଏମ୍‌ଠାରୁ କେତେ କର୍ମଚାରୀ ବକେୟା ପାଇବାକୁ ଅଛନ୍ତି, ଆଉ କେଉଁ ସଂସ୍ଥାଗୁଡ଼ିକ ଓଟିଏମ୍ ଠାରୁ ବକେୟା ପାଇବାକୁ ରହିଛି, ସରକାର କେତେ ଅର୍ଥ ପାଇବେ, ସେସବୁର ହିସାବ କରି ତାହାର ଏକ ତାଲିକା ପ୍ରସ୍ତୁତ କରିବାକୁ ହାଇକୋର୍ଟ ଅଫିିସିଆଲ ଲିକ୍ୱିଡେଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିପାଇଁ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ନିଯୁକ୍ତି ଲାଗି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା । ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ପକ୍ଷରୁ ହିସାବ କରାଯିବା ପରେ କେଉଁମାନେ କେତେ ଅର୍ଥ ପାଇବେ ତାହାର ଏକ ତାଲିକା ପ୍ରସ୍ତୁତ ହୋଇଥିଲା । ଏହି ତାଲିକା ଅନୁଯାୟୀ ଓଟିଏମ୍‌କୁ ୧୪୭ କୋଟି ୬୭ ଲକ୍ଷ ୬୩ ହଜାର ୯୭ ଟଙ୍କା ସୁଝିବାକୁ ପଡ଼ିବ । ଏଥିରେ ଯେଉଁ କର୍ମଚାରୀମାନଙ୍କ ବକେୟା ରହିଯାଇଛି ସେ ବାବଦରେ ୯୭ କୋଟି ଟଙ୍କା, ପ୍ରୋଭିଡେଣ୍ଟ ଫଣ୍ଡକୁ ୨୦ କୋଟି ୩୦ ଲକ୍ଷ ଟଙ୍କା, ଅନ୍ୟାନ୍ୟ ଷ୍ଟାକ୍‌ହୋଲଡରଙ୍କୁ ୨୯ କୋଟି ୮୩ ଲକ୍ଷ ୮୬ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଆକଳନ କରାଯାଇଥିଲା । ଅଫିସିଆଲ ଲିକ୍ୱିଡେଟରଙ୍କ ନିକଟରେ ପୂର୍ବରୁ ୩୫ କୋଟି ଟଙ୍କା ରହିଥିଲା । ଆଉ ୧୧୫ କୋଟି ଟଙ୍କାର ଆବଶ୍ୟକ ଥିଲାବେଳେ ରାଜ୍ୟ ସରକାର ଉକ୍ତ ଟଙ୍କା ଅଫିସିଆଲ ଲିକ୍ୟୁଡେଟରଙ୍କ ନିକଟରେ ଜମା କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *