ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା

News by I&PR Odisha

ଭୁବନେଶ୍ୱର(ଏନ୍‍.ଏମ୍‍.): ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକସେବା ଭବନସ୍ଥିତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ(ପ୍ରେସ୍ ଲାଉଞ୍ଜ)ଠାରେ ବରିଷ୍ଠ ତଥା ଅଧିସ୍ୱୀକୃତ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ମାନ୍ୟବର ମନ୍ତ୍ରୀଙ୍କୁ ଜଣେ ସରଳ, ଅମାୟିକ, ଦରଦୀ, ଅଭିଜ୍ଞ ତଥା ଲୋକପ୍ରିୟ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିବା ସହିତ ସେ ପୂର୍ବରୁ ଓଡିଶା ବିଧାନସଭାର ବାଚସ୍ପତି ଓ ବିଭିନ୍ନ ବିଭାଗରେ ମନ୍ତ୍ରୀ ରୂପେ ସୁଚାରୁରୂପେ ଦାୟିତ୍ୱ ନିର୍ବାହ କରିଥିବା ପ୍ରକାଶ କରିଥିଲେ । ଆଲୋଚନା ସମୟରେ ଅଧିସ୍ୱୀକୃତି ପାଇଁ ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ୱୀକୃତି ପ୍ରଦାନ ପାଇଁ ବିହିତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଭାଗୀୟ କାର୍ଯ୍ୟ ସମ୍ପର୍କିତ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ସ୍ଥିତ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶାଳୟରେ ଗୋଟିଏ ଦିନ ଅଭିଯୋଗ ଶୁଣାଣି ଦିବସ ଧାର୍ଯ୍ୟ କରିବାକୁ ସେମାନେ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ମନ୍ତ୍ରୀ ଶ୍ରୀ ଅମାତ ପୂର୍ବରୁ ସାମ୍ବାଦିକମାନଙ୍କ ସହିତ ସୁ-ସମ୍ପର୍କ ରଖି ଆସିଛନ୍ତି । ତେଣୁ ଆଗାମୀ ଦିନରେ ସାମ୍ବାଦିକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ମନ୍ତ୍ରୀ ସହୃଦୟତା ପ୍ରକାଶ କରିବେ ବୋଲି ସେମାନେ ଆଶାବ୍ୟକ୍ତ କରିଥିଲେ । ମନ୍ତ୍ରୀ ଶ୍ରୀ ଅମାତ କହିଥିଲେ ଯେ, ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହୋଇଥିବାରୁ ଗଣମାଧ୍ୟମର ପ୍ରତିନିଧିମାନଙ୍କର ସୁଚିନ୍ତିତ ମତାମତକୁ ସେ ସବୁବେଳେ ପ୍ରାଧାନ୍ୟ ଦେଇ ଆସିଛନ୍ତି । ଆଗାମୀ ଦିନରେ ସମସ୍ତଙ୍କ ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରି ସେମାନଙ୍କର ସମସ୍ୟାର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ସହ ଓଡିଶାର ସର୍ବାଙ୍ଗୀନ ଉନ୍ନତି ପାଇଁ ସେ ସମସ୍ତ ଗଣମାଧ୍ୟମର ସହଯୋଗ କାମନା କରିଥିଲେ । ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତ, ସୂଚନା ଓ ଲୋକ ସମ୍ପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ବରିଷ୍ଠ ସାମ୍ବାଦିକ ସନତ ମିଶ୍ର, ବିମଳ ଭଞ୍ଜଦେଓ, ବୈଷ୍ଣବ ଚରଣ ଜେନା, ବିଜୟ ପଣ୍ଡା, ଦେବକାନ୍ତ ମହାପାତ୍ର, ଗିରିଧାରୀଲାଲ ଷଡଙ୍ଗୀ, ସଞ୍ଜୟ ପ୍ରଧାନ, ଅଭିନାଶ ମିଶ୍ର, କିଶୋର ମଙ୍ଗରାଜ, ଭାଗବତ ତ୍ରିପାଠୀ, ରମେଶ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ପାର୍ଥ ସାରଥୀ ଜେନା, ପ୍ରକାଶ ମହାପାତ୍ର, ସୁକାନ୍ତ ମହାପାତ୍ର, ବଳରାମ ନନ୍ଦ, ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପଠାଣି ରାଉତ, ସୂଚନା ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *