ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା
-ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀ
– ବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ ଅଧ୍ୟକ୍ଷ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀଙ୍କ ଅର୍ଥ ହରିଲୁଟ ସମ୍ପର୍କିତ ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଲୋକଲୋଚନକୁ ଆସିଛି । ମହିଳା କିରାଣୀ ଜଣକ ୨୦୧୭ ମସିହାରୁ ୨୦୨୨ ମସିହା ଡିସେମ୍ବର ମାସ ମଧ୍ୟରେ ନକଲି ରସିଦ୍ ବ୍ୟବହାର କରି ୨୨ଲକ୍ଷ ୮୭ହଜାର ୩୭୫ଟଙ୍କା ହଡ଼ପ କରିଥିବା ଆକାଉଣ୍ଟସ ଯାଞ୍ଚ୍ କମିଟି କୋଣାର୍କ କଲେଜ୍ ଅଧ୍ୟକ୍ଷଙ୍କୁ ଗତ ୨୮ତାରିଖରେ ରିପୋର୍ଟ ପ୍ରଦାନ କରିଛି । କୋଣାର୍କ କଲେଜ୍ ଅଧ୍ୟକ୍ଷ ଅବତାର ମିଶ୍ର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ଗତ ୨୯ ତାରିଖରେ ପତ୍ର ଲେଖି ତାଙ୍କର ଏହି କାରନାମା ସମ୍ପର୍କରେ ଅବଗତ କରିବା ସହିତ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିବେଦନ କରିଛନ୍ତି । ତେବେ ଏତେ ସବୁ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିବା ପରେ ମଧ୍ୟ କୋଣାର୍କ କଲେଜ୍ ଅଧ୍ୟକ୍ଷ ଶ୍ରୀ ମିଶ୍ର ସମ୍ପୃକ୍ତା କିରାଣୀଙ୍କ ବିରୋଧରେ ଏତଲା ନଦେବା କୋଣାର୍କ ବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । କଲେଜ୍ ଅଧ୍ୟକ୍ଷ ମିଶ୍ର କାହା ଚାପରେ ପୁଲିସ ନିକଟରେ ଅଭିଯୋଗ ପତ୍ର ଦାଖଲ କରୁନାହାନ୍ତି, ଏନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆସନ୍ତା ୨ଦିନ ମଧ୍ୟରେ ସମ୍ପୃକ୍ତା କିରାଣୀଙ୍କ ବିରୋଧରେ କୋଣାର୍କ ଥାନାରେ ଏଫ୍‌ଆଇଆର୍ ଦିଆ ନଗଲେ କଲେଜରେ ତାଲା ପକାଇ ରାଜରାସ୍ତାକୁ ଓହ୍ଲାଇବାକୁ ପୁରାତନ ଛାତ୍ର ସଂଘ ସଭାପତି ହୃଦାନନ୍ଦ ସେଠୀ, ଭାଗିରଥୀ ସ୍ୱାଇଁ, ପୁରାତନ ଛାତ୍ର ତଥା ମାନବାଧିକାର କର୍ମୀ ଏନ୍‌.ଏ.ଶାହା ଅନସାରୀ ପ୍ରମୁଖ ଚେତାବନୀ ଦେଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *