ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ

ସହିଦନଗର ଓଡିଶା ବ୍ୟାଡମିଣ୍ଟନ ଏକାଡେମି ପରିଦର୍ଶନ କଲେ ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ପି. ଗୋପିଚାନ୍ଦ


#ଭୁବନେଶ୍ୱର(ଏନ୍‌.ଏମ୍‌.): ବିଶିଷ୍ଟ ବ୍ୟାଡମିଣ୍ଟନ ତାରକା ତଥା ଅର୍ଜୁନ, ଦ୍ରୋଣାଚାର୍ଯ୍ୟ ଏବଂ ପଦ୍ମଭୂଷଣ ପୁରସ୍କାରପ୍ରାପ୍ତ ପି. ଗୋପିଚାନ୍ଦ ଆଜି ପୂର୍ବାହ୍ନରେ ସହିଦନଗରସ୍ଥିତ ଓଡିଶା ବ୍ୟାଡମିଣ୍ଟନ ଏକାଡେମୀ ପରିଦର୍ଶନ କରିଛନ୍ତି । ଏହି ପରିଦର୍ଶନ ସମୟରେ ସେ ଏଠାକାର ପ୍ରଶିକ୍ଷାର୍ଥୀ, ବୈଷୟିକ କର୍ମଚାରୀ ଓ କୋଚମାନଙ୍କ ସହ ତାଲିମ ଓ ଅନ୍ୟାନ ବିଷୟରେ ଆଲୋଚନା କରିଥିଲେ । ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ଓଡିଶା ବ୍ୟାଡମିଣ୍ଟନ ଏକାଡେମିର ନିର୍ଦ୍ଦେଶକ କୈଳାଶ ଚନ୍ଦ୍ର ଦାସ ଉପସ୍ଥିତ ରହି ଏକାଡେମୀର ଭିତ୍ତିଭୂମି ତଥା ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଦିଆଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ ।
କ୍ରୀଡ଼ାର ବିକାଶ ଓ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟାପକ ଯୋଜନା ପ୍ରସ୍ତୁତ କରୁଥିବା ଏବଂ ଓଡ଼ିଶା ସରକାର ବ୍ୟାଡମିଣ୍ଟନ ତଥା ବିଭିନ୍ନ କ୍ରୀଡ଼ାକୁ ଏତେ ପରିମାଣର ପ୍ରୋତ୍ସାହନ ଦେଉଥିବା ଜାଣି ପି. ଗୋପିଚାନ୍ଦ ବେଶ ଖୁସି ପ୍ରକଟ କରିଥିଲେ । ଏଥି ସହ ମୁଖ୍ୟମନ୍ତ୍ରୀ କ୍ରୀଡାକୁ ଯେଉଁଭଳି ଭାବେ ପ୍ରୋତ୍ସାହନ ଦେଉଛନ୍ତି ତାହା ଅଭୂତପୂର୍ବ ବୋଲି ସେ କହିଥିଲେ । ରାଜ୍ୟ ତଥା ଦେଶରେ ବ୍ୟାଡମିଣ୍ଟନର ବହୁଳ ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ସହ ମିଶି ଯେଉଁ ସବୁ କାର୍ଯ୍ୟକ୍ରମ କରାଯିବ ସେ ନେଇ ବରିଷ୍ଠ ଅଧିକାରୀମାନଙ୍କ ସହ ସେ ଆଲୋଚନା କରିଥିଲେ । ଏଥି ସହିତ ଆଗକୁ ଯେଉଁ ବଡ ବଡ଼ ପ୍ରତିଯୋଗିତା ଆୟୋଜନ ହେବ ସେ ବିଷୟରେ ମଧ୍ୟ ଗୋପିଚାନ୍ଦ ଅଧିକାରୀ ଓ କୋଚମାନଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ସେ ଏଠାକାର ଜିମ୍ ଓ ହଷ୍ଟେଲ ବୁଲି ଦେଖିବା ସହ ପିଲାଙ୍କ ମନୋବଳ ବୃଦ୍ଧି ପାଇଁ ତାଙ୍କ ଅଭିଜ୍ଞତା ଓ ଅନୁଭୂତି ବାଣ୍ଟିଥିଲେ । ଗତକାଲି ଗୋପିଚାନ୍ଦ ଏଠାରେ ପହଞ୍ଚି ହକି ମ୍ୟାଚରେ ଅତିଥି ଭାବେ ଯୋଗ ଦେଇଥିଲେ । ଏହା ପୂର୍ବରୁ ସେ କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ଶାସନ ସଚିବ ଆର. ଭିନୀଲ କ୍ରିଷ୍ଣାଙ୍କ ସହ ଏକ ବୈଠକରେ ଯୋଗଦେବା ସହ କଳିଙ୍ଗ ଷ୍ଟାଡିୟମରେ ର୍ନିମାଣଧୀନ ଡାଲମିୟା-ଗୋପିଚାନ୍ଦ ହାଇ ପରଫରମାନ୍ସ ସେଣ୍ଟର ବୁଲି ଦେଖିଥିଲେ । ଏହି ସେଣ୍ଟର ରାଜ୍ୟରୁ ନିଶ୍ଚିତ ଭାବେ ବହୁ ଭଲ ଅନ୍ତର୍ଜାତୀୟ ପ୍ରତିଭା ସୃଷ୍ଟି କରିବାରେ ସମର୍ଥ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *