ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର
ପୁରୀ(ଏନ୍.ଏମ୍.): ଆଜି ଶୁକ୍ରବାର ଅପରାହ୍ଣ ୨ଟାରେ ପୁଣି ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇଛି। ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଉପସ୍ଥିତରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିଛି। ଖାଲି ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତରଣ ହେଉଛି। ତେଣୁ ଅପରାହ୍ଣ ୧ଟାରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ଶେଷ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ତେବେ ଭକ୍ତମାନଙ୍କ ପାଇଁ ମହାପ୍ରସାଦ ନେବାରେ କୌଣସି ଅଙ୍କୁଶ ନଥିଲା। ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରେ ପ୍ରବେଶ ଓ ଯାଞ୍ଚ ପାଇଁ ଗଠିତ ୧୨ଜଣିଆ କମିଟି ଯାଇଥିଲେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ.ଅରବିନ୍ଦ ପାଢ଼ୀ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ରତ୍ନଭଣ୍ଡାର ଯାଞ୍ଚ କମିଟିର ଅଧ୍ୟକ୍ଷ ଜଷ୍ଟିସ୍ ବିଶ୍ୱନାଥ ରଥ, ସଦସ୍ୟ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍ ରାଜୀବ ସାହୁ, ପରିଚାଳନା କମିଟି ସଦସ୍ୟ ଦୁର୍ଗାପ୍ରସାଦ ଦାସମହାପାତ୍ର, ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ, ଛତିଶାନିଯୋଗ ନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ମହାପାତ୍ର, ଜଗନ୍ନାଥ ଦାସମହାପାତ୍ର, ସୌମେନ୍ଦ୍ର ମୁଦାଲି, ଭଣ୍ଡାର ମେକାପ ଗଣେଶ ମେକାପ, ତଢ଼ଉକରଣ ସୁଧାଂଶୁ ଶେଖର ପଟ୍ଟନାୟକ, ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ପ୍ରମୁଖ ରତ୍ନଭଣ୍ଡାରକୁ ଯାଇଥିଲେ। ସୁରକ୍ଷା ଦୃଷ୍ଟିରୁ ରତ୍ନଭଣ୍ଡାର ପ୍ରବେଶ ପୂର୍ବରୁ ଓ ବାହାରିବା ପରେ ୧୨ଜଣଙ୍କୁ ଯାଞ୍ଚ କରିବା ଲାଗି ପୁରୀ ଏସ୍ପିଙ୍କୁ କୁହାଯାଇଛି। ଆଇନ ବିଭାଗ ଚିଠି ଅନୁଯାୟୀ, ଉଭୟ ଭିତର ଓ ବାହାର ରତ୍ନଭଣ୍ଡାରରେ ଥିବା ଖାଲି ଆଲମିରା, କାଠ ଓ ଲୁହା ସିନ୍ଦୁକଗୁଡ଼ିକୁ କାଢ଼ି ଶ୍ରୀମନ୍ଦିର ପରିସରରେ ଥିବା ନୀଳାଦ୍ରିବିହାର ମ୍ୟୁଜିୟମ୍ ନିକଟ ଗୃହରେ ସଂରକ୍ଷିତ ରଖାଯାଇଛି। ତେବେ ସ୍ଥାନାନ୍ତର ପରେ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇ ମରାମତି କରାଯିବ। ସ୍ଥାନାନ୍ତର ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ସେବାପୂଜା ଯଥାରୀତି ଚାଲିବ। ସୂଚନାଯୋଗ୍ୟ, ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରରେ ତିନିଟି କାଠ ଆଲମିରା, ଗୋଟିଏ ଷ୍ଟିଲ୍ ଆଲମିରା, ୨ଟି କାଠ ସିନ୍ଦୁକ ଓ ଗୋଟିଏ ଲୁହା ସିନ୍ଦୁକ ରହିଛି। ଏଥିରେ ଥିବା ସମସ୍ତ ଅଳଙ୍କାର ଖଟଶେଜଘର ଓ ଚାଙ୍ଗଡ଼ାଘର ନିକଟ ଷ୍ଟ୍ରଙ୍ଗରୁମରେ ରଖାଯାଇଥିବା ଜଣାପଡ଼ିଛି।