ରେଳଧାରଣାରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

#ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଥାନା ଅନ୍ତର୍ଗତ ଶଙ୍କରପୁର ଗଡ଼ା ରେଳଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ପଡ଼ିଥିବାର ଦେଖିବାକୁ ମିଳିଛି । ମୃତବ୍ୟକ୍ତିଜଣକ ପରିଚୟ ମିଳିଥିବା ବେଳେ ସେ କଟକ ମାନସିଂହପାଟଣା ନିବାସୀ ସୌମ୍ୟରଞ୍ଜନ ମହାପାତ୍ର ବୋଲି ଜଣାପଡ଼ିଛି । ମୃତଦେହ ପଡ଼ିଥିବା ସ୍ଥାନ ଠାରୁ କିଛି ଦୂରରେ ଏକ ବାଇକ୍ ଥୁଆ ହୋଇଥିବା ବେଳେ ସେଥିରେ ଆଡଭୋକେଟ୍ ଲୋଗୋ ରହିଛି । ଏହି ଖବର ପ୍ରସାରିତ ହେବା ପରେ ସ୍ଥାନୀୟ ଅଞ୍ଚଳର କିଛି ଆଇନ୍ଜୀବୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ସୌମ୍ୟରଞ୍ଜନଙ୍କର ବୋଲି ଚିହ୍ନଟ କରିଥିଲେ । ପେଷାରେ ସୌମ୍ୟରଞ୍ଜନ ଜଣେ ଓକିଲ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ସେ ଏଠାକୁ ଆସିଲେ ଏବଂ କିପରି ତାଙ୍କର ମୃତ୍ୟୁ ହେଲା ତାହାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ଏହି ଘଟଣା ସମ୍ପର୍କରେ ରେଲୱେ ବିଭାଗକୁ ଜଣାଇବା ପରେ ରେଲୱେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।