News by Padmalochan Mishra (Cuttack)

ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ରେଭେନ୍ସା, ଓଡିଶାର ଜ୍ଞାନ କେନ୍ଦ୍ର ଓ ମାତୃକଳ୍ପ ଶିକ୍ଷାନୁଷ୍ଠାନ ସ୍ୱୀକୃତି ମିଳିଥିଲେ ମଧ୍ୟ ଧାରାବାହିକ ଭାବେ ଅବହେଳା ଅବିଚାରର ଶିକାର ହୋଇ ଚାଲିଛି । ବିଶେଷ କରି ୨୦୦୬ ମସିହାରେ ମହାବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟକୁ ରୁପାନ୍ତରିତ ପରଠାରୁ ରେଭେନ୍ସା ସ୍ଥିତି ଆହୁରି ଦୟନୀୟ ହୋଇଛି । ରେଭେନ୍ସା ଯେଉଁ ସ୍ୱତନ୍ତ୍ର ଆଇନ ବଳରେ ବିଶ୍ୱବିଦ୍ୟାଳୟ ହୋଇଥିଲା ରାଜ୍ୟ ସରକାର ତାକୁ ପ୍ରତ୍ୟାହାର କରି ନେଇଛନ୍ତି ଯାହା ତା’ର ଅସ୍ତିତ୍ୱ ପ୍ରତି ପ୍ରଚଣ୍ଡ କୁଠାରଘାତ ବୋଲି ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ଅଭିଯୋଗ ହୋଇଛି । ସମ୍ପ୍ରତି ସମ୍ପୂର୍ଣ୍ଣ ଅନଭିଜ୍ଞ, ଦୁର୍ବଳ ବ୍ୟକ୍ତିତ୍ୱ ଓ ସଙ୍କୁଚିତ ମାନସିକତା ଥିବା ବ୍ୟକ୍ତି ବିଶେଷ କୁଳପତି ହେଉଛନ୍ତି । ବିଶ୍ୱବିଦ୍ୟାଳୟରେ ବୌଦ୍ଧିକ ବାତାବରଣର ମୌଳିକ ଅଭାବ ଗୁଡିକ ପ୍ରତି ଧ୍ୟାନ ନଦେଇ ଶୈକ୍ଷିକ ବାତାବରଣ କ୍ଷେତ୍ରରେ ବାଧକ ସାଜୁଛନ୍ତି । ଯାହା ଫଳରେ ଛାତ୍ର ବିରୋଧୀ କର୍ମଚାରୀ ବିରୋଧୀ ପଦକ୍ଷେପ ନେଇ ସମସ୍ତଙ୍କୁ ଦମନ କରିବା ମନବୃତ୍ତି ପୋଷଣ କରୁଛନ୍ତି । ନିକଟରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଆପତ୍ତି ଅଭିଯୋଗ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁର୍ଣ୍ଣ କରିବା ପାଇଁ ଏକ ନିର୍ଦ୍ଦେଶନାମା ଜାରି କରି ପ୍ରତିବାଦ ଧରଣା, ବିକ୍ଷୋଭ ଓ ଅଭିଯୋଗ କଲେ ତାହାକୁ ବିଶୃଙ୍ଖଳା ଭାବେ ଗ୍ରହଣ କରାଯିବ । ସେଥିପାଇଁ ଛାତ୍ରଛାତ୍ରୀମାନଙ୍କୁ ଅର୍ଥ ଦଣ୍ଡ ଓ ନିଲମ୍ବନ ଭଳି ପଦକ୍ଷେପ ନିଆଯିବା ଦୁର୍ଭାଗ୍ୟଜନକ । ପୁନଶ୍ଚ ଏ ନେଇ ଛାତ୍ରଛାତ୍ରୀଙ୍କ ପ୍ରବଳ ଆନ୍ଦୋଳନ ଫଳରେ କର୍ତ୍ତୃପକ୍ଷ ତରବରିଆ ଭାବରେ ଉକ୍ତ ନିର୍ଦ୍ଦେଶନାମାକୁ ପ୍ରତ୍ୟାହାର କରିଛନ୍ତି । ଅତୀତରେ ଏହି ଭଳି ପଦକ୍ଷେପକୁ ରାଜ୍ୟ ମାନବ ଅଧିକାର କମିଶନ ଭର୍ତ୍ସନା କରିଥିଲେ । କର୍ତ୍ତୃପକ୍ଷ ଏହି ଭଳି ଅଗଣତାନ୍ତ୍ରିକ ମନଭାବରୁ କ୍ଷାନ୍ତ ରହି ବିଶ୍ୱବିଦ୍ୟାଳୟର ମୌଳିକ ଅଭାବ ଅସୁବିଧା ପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସ୍ଥାନୀୟ ଗାନ୍ଧୀ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ରେଭେନ୍ସା ବିକାଶ ଅଭିଯାନ ପକ୍ଷରୁ ରେଭେନ୍ସାରେ ତୁରନ୍ତ ଛାତ୍ର ସଂସଦ ନିର୍ବାଚନ କରି ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଗଣତାନ୍ତ୍ରିକ ଅଧିକାର ଦେବା, ବିଶ୍ୱବିଦ୍ୟାଳୟ ଅଧ୍ୟାପକ ପଦବୀ ପୁରଣ କରିବା, ଭିତ୍ତିଭୂମି ଗବେଷଣା କ୍ଷେତ୍ର ବିକାଶ କରିବା ପ୍ରମୁଖ ଦାବି କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ରେଭେନ୍ସା ବିକାଶ ଅଭିଯାନର ସଭାପତି ଚିତ୍ତରଞ୍ଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଡକ୍ଟର ସତ୍ୟ ରାୟ, ସଂଗ୍ରାମୀ ଫୋରମ ଆବାହକ ପ୍ରଶାନ୍ତ ଦାସ, ପୂର୍ବତନ ଅଧକ୍ଷ ଅକ୍ଷୟ ଦାସ, ବିଶିଷ୍ଟ ଆଇନଜୀବୀ ସୁକାନ୍ତ ନାୟକ, ବିଜୟ ରାଉତରାୟ, ଗୀତା ଦାସ, ଇସରଫ୍ ଜାହାଁ, ଏନାମୁଲ୍ ହକ ପ୍ରମୁଖ ଉପସ୍ଥିତ ଥିଲେ ।

One thought on “ରେଭେନ୍ସାରେ ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ରେଭେନ୍ସା ବିକାଶ ଅଭିଯାନର ଦାବି”

Leave a Reply

Your email address will not be published. Required fields are marked *