ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କଲେ ହାଇକୋର୍ଟ
#କଟକ(ଏନ୍.ଏମ୍.): ଆଗାମୀ ପାର୍ବଣକୁ ନେଇ ହାଇକୋର୍ଟଙ୍କ ବଡ଼ ରାୟ। ରାସ୍ତାଉପରେ ତୋରଣ ନିର୍ମାଣ ପାଇଁ ହାଇକୋର୍ଟ ଲଗାଇଲେ ଅଙ୍କୁଶ। ରାସ୍ତା ଉପରେ ତୋରଣ ନିର୍ମାଣ ଯୋଗୁଁ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାବେଳେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷରେ ପାର୍ବଣ ସମୟରେ ମଧ୍ୟ କଟକ ସହରରେ ବିଭିନ୍ନ ସମସ୍ୟାର ସମାଧାନ ହୋଇନଥିବା ଯୋଗୁଁ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରକାଶ ଯେ, ଆସୁଛି ପାର୍ବଣ ଋତୁ। ଜମିବ ପୂଜା। ହେଲେ ଏହି ପାର୍ବଣ ଋତୁରେ ଲାଗିଛି ବଡ଼ ଝଟକା। କାରଣ ଦଶହରା ଉତ୍ସବକୁ ନେଇ ଆଜି ହାଇକୋର୍ଟ ଦେଇଛନ୍ତି ଏଭଳି କିଛି କଡ଼ା ନିର୍ଦ୍ଦେଶ। ରାସ୍ତା ଉପରେ ତୋରଣ ନିର୍ମାଣକୁ ବାରଣ କରିଛନ୍ତି କୋର୍ଟ। ସେହିଭଳି ରାସ୍ତା ଉପରୁ କେବୁଲ ଓ ତାର ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କଟକ ସହରର ରାସ୍ତାଘାଟ ଅବସ୍ଥାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ୫ ତାରିଖ ସୁଦ୍ଧା ରାସ୍ତା ମରାମତି ସାରିବାକୁ ପୂର୍ତ୍ତ ସଚିବ କୋର୍ଟଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପାର୍ବଣ ଋତୁରେ ଜମିଥାଏ କଟକ। ଛକ ଛକରେ ଆକର୍ଷଣୀୟ ମେଢ଼ ସାଙ୍ଗକୁ ଝିଲ୍ମିଲ୍ ଆଲୁଅରେ ଝଲସିଥାଏ କଟକର ରାସ୍ତାଘାଟ। ଲୋକାରଣ୍ୟ ହୋଇଥାଏ ଏହି ପୁରୁଣା ମହାନଗରୀ। ହେଲେ ବର୍ତ୍ତମାନ ପରିସ୍ଥିତିରେ କଟକର ରାସ୍ତକୁ ଦେଖିଲେ ଭାରି ଦୁଃଖ ଲାଗୁଛି। କାରଣ ରାସ୍ତା ପାଲଟିଛି ମରଣ ଯନ୍ତା। ରାସ୍ତା ମଝିରେ ବଡ଼ବଡ଼ ଖାଲସୃଷ୍ଟି ହୋଇଛି। ଏଥିସହ ରାସ୍ତା ପାର୍ଶ୍ୱରେ ଦିନ ଦିନ ଜମି ରହୁଛି ବର୍ଷା ପାଣି। ପାଣି ନିଷ୍କାସନ ହୋଇପାରୁ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।