ରାବଣ ପୋଡି ସ୍ଥଳ ପରିଦର୍ଶନ ଓ ସ୍ଥିତି ସମୀକ୍ଷା କଲେ ସିଏମସି ମେୟର ଓ କମିଶନର
#କଟକ(ଏନ୍.ଏମ୍.): କଟକର ଆଉ ଏକ ଗୌରବ ହେଉଛି ରାବଣପୋଡ଼ି ଉତ୍ସବ। ବିଜୟା ଦଶମୀ ତିଥିରେ ମାକ୍ଷ ଦଶଭୂଜାଙ୍କୁ ପୂଜାର୍ଚ୍ଚନା କରି ପ୍ରଭୁ ଶ୍ରୀ ରାମଚନ୍ଦ୍ର ତ୍ରେତୟା ଯୁଗରେ ରାବଣକୁ ମାରିଥିଲେ। ତେଣୁ ଦଶହରା ବେଳେ ରାବଣ ପୋଡ଼ି ଉତ୍ସବ ଦ୍ୱାରା ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ବିଜୟ ଭଳି ବାର୍ତ୍ତା ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଥାଏ। ତେବେ କଟକରେ ଦୀର୍ଘ ୩୫ ବର୍ଷ ଧରି ରାବଣ ପୋଡ଼ି ଉତ୍ସବ ପାଳିତ ହୋଇ ଆସୁଛି। ତେଣୁ ଏହି ଉତ୍ସବକୁ କିଭଳି ଶାନ୍ତି ଶୃଙ୍ଖଳା ତଥା ସୂଚାରୁ ଭାବେ ପାଳନ କରାଯିବ ସେ ନେଇ ବାରବାଟୀ ସଂସ୍କୃତି ପରିଷଦ ଓ ସିଏମସି କର୍ତ୍ତୃପକ୍ଷଙ୍କ ଏକ ସମୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଏମସି ମେୟର ସୁବାସ ସିଂହ, କମିଶନର ଅନାମ ପାତ୍ର, ବାରବାଟୀ ସଂସ୍କୃତି ପରିଷଦ ସଭାପତି ଆଶୀର୍ବାଦ ବେହେରା, ସମ୍ପାଦକ କିଶୋର ବେହେରାଙ୍କୁ ସାଥିରେ ଧରି ରାବଣ ପୋଡି ସ୍ଥଳ ପରିଦର୍ଶନ କରିବା ସହ ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତି ବର୍ଷ ୭୦ ଫୁଟର ରାବଣ ମୂର୍ତ୍ତି ନିର୍ମାଣ ହୋଉଥିବା ବେଳେ ଚଳିତ ବର୍ଷ ୯୦ଫୁଟର ମୂର୍ତ୍ତି ନିର୍ମାଣ ହେବା ସହିତ ପ୍ରାୟ ୪୦ ମିନିଟ ଧରି ପରିବେଶ ଅନୁକୂଳ ଥିବା ସବୁଜ ବାଣ ଫୁଟାଇବାର ବ୍ୟବସ୍ଥା ହୋଇଛି। ଏହି ଅବସରରେ ସିଏମସି ମେୟର ସୁବାସ ସିଂହଙ୍କ ସହିତ ସିଏମସି କମିଶନର ଅନାମ ପାତ୍ର, ବାରବାଟୀ ସଂସ୍କୃତି ପରିଷଦ ସଭାପତି ଆଶୀର୍ବାଦ ବେହେରା, ସମ୍ପାଦକ କିଶୋର ବେହେରା, ନିର୍ବାହୀ ଅଧିକାରୀ ସୁବାସ ସାହୁ, ବିଦ୍ୟୁତ ବିଭାଗର ନିର୍ବାହୀ ଅଧିକାରୀ ପ୍ରଭାସ ବିଶ୍ୱାଳ, ଆଦିତ୍ୟ ମିଶ୍ର, ଶାନ୍ତି କମିଟି କାର୍ଯ୍ୟକାରି ସଭାପତି ପ୍ରଦୀପ ସିହ୍ନା, ଶାନ୍ତିକମିଟି ସାଧାରଣ ସମ୍ପାଦକ ଭିକାରୀ ଦାସ, ସଂଗଠନ ସମ୍ପାଦକ ନରେଶ ସାହୁ, ଦ୍ୱିପାୟନ ପଟ୍ଟନାୟକ, ଦେବେନ୍ଦ୍ର କାହାଳି, ବିନୋଦ ପଣ୍ଡା, ସୟଦ ଶେଖାୱତ୍ ଅଲି, କେ. ନିଖିଲ କୁମାରଙ୍କ ସମେତ ସ୍ଥାନୀୟ ଯୁବ ସଂଗଠନ କର୍ମକର୍ତ୍ତା ଏବଂ ଅଞ୍ଚଳର ମୁରବିମାନେ ଯୋଗଦେଇଥିଲେ।