ରାଜ୍ୟରେ ଜୱାଦ ଗଭୀର ଅବପାତ ନେଇ ସୂଚନା, ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ତୁହାକୁ ତୁହା ବର୍ଷା

ରାଜ୍ୟରେ ଜୱାଦ ଗଭୀର ଅବପାତ ନେଇ ସୂଚନା
ବାତ୍ୟା ଦୁର୍ବଳ ହେଲା: ରାଜ୍ୟରେ ତୁହାକୁ ତୁହା ବର୍ଷା


ଭୁବନେଶ୍ୱର(ଏନ୍‌.ଏମ୍‌.): ବଙ୍ଗୋପସାଗର ଉତ୍ତରପଶ୍ଚିମ ଓ ପଶ୍ଚିମକେନ୍ଦ୍ରୀୟ ସ୍ଥଳରେ ଥିବା ଗଭୀର ଅବପାତ ଜୱାଦ୍ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୮ କିମି ବେଗରେ ଗତି କରୁଛି ଏବଂ ଏହା ପରବର୍ତ୍ତୀ ସମୟରେ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଛି । ଏହି ଅବପାତ ଆଜି ଅପରାହ୍ନ ୨.୩୦ ମିନିଟ୍‌ରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀର ନିକଟତର ହୋଇ ବଙ୍ଗୋପସାଗରର ଉତ୍ତରପଶ୍ଚିମରେ କେନ୍ଦ୍ରୀଭୂତ ହୋଇଛି । ଏହା ପୁରୀର ଦକ୍ଷିଣପୂର୍ବ ଦିଗରେ ୫୦ କିମି ଦୂରରେ, ପାରାଦ୍ୱୀପର ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୦୦ କିମି ଦୂରତା ଏବଂ ଗୋପାଳପୁରର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୩୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି । ପରବର୍ତ୍ତୀ ପର୍ଯ୍ୟାୟରେ ଏହି ଅବପାତ କ୍ରମଶଃ ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଦେଇ ପଶ୍ଚିମବଙ୍ଗ ଉପକୂଳ ଆଡ଼କୁ ଅଗ୍ରସର ହେଉଛି ଏବଂ ପରବର୍ତ୍ତୀ ୧୨ ଘଣ୍ଟା ମଧ୍ୟରେ ପୁନର୍ବାର ଏହା ଦୁର୍ବଳ ହୋଇ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ ବଳୟରେ ରୂପାନ୍ତରିତ ହେବାର ସମ୍ଭାବନା ଅଛି । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ କୋହଲା ପବନ ୪୫-୫୫ କିମି ଘଣ୍ଟା ପ୍ରତି ପ୍ରବାହିତ ହେବା ସହିତ କେତେକ ସ୍ଥାନରେ ୬୫ କିମି ଘଣ୍ଟା ପ୍ରତି ପବନ ବହିବାର ସମ୍ଭାବନା ରହିଛି । ପବନର ବେଗ କ୍ରମଶଃ କମିଯାଇ ପରବର୍ତ୍ତୀ ୧୨ ଘଣ୍ଟା ସମୟରେ ଏହା ଘଣ୍ଟା ପ୍ରତି ୩୦-୪୦ କିମି ବେଗରେ ବହିବାର ସମ୍ଭାବନା ରହିଛି । ମତ୍ସ୍ୟଜୀବୀମାନଙ୍କୁ ମଧ୍ୟ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପଶ୍ଚିମ କେନ୍ଦ୍ରୀୟ, ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଆନ୍ଧ୍ରପ୍ରଦେଶ-ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳକୁ ଯିବା ନିମନ୍ତେ ବାରଣ କରାଯାଇଛି ଓଡ଼ିଶାର ସମସ୍ତ ସାମୁଦ୍ରିକ ବନ୍ଦରଠାରେ ସ୍ଥାନୀୟ ସତର୍କତା ସିଗ୍‌ନାଲ୍‌-୩ ଜାରି କରାଯାଇଛି ।
ସାମୁଦ୍ରିକ ବାତ୍ୟା ଜୱାଦ୍‌ର ପ୍ରଭାବରେ ସମୁଦ୍ର ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ଗତ ୨୪ ଘଣ୍ଟାରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ହାରାହାରି ୪୭.୮ ମିମି, ଜଗତସିଂହପୁରରେ ୩୮.୩ ମିମି, କେନ୍ଦ୍ରାପଡ଼ାରେ ୩୫.୭ ମିମି, ଖୋର୍ଦ୍ଧା ଜିଲ୍ଲାରେ ୩୩ ମିମି, ପୁରୀ ଜିଲ୍ଲାରେ ୨୫.୫ ମିମି, ଭଦ୍ରକ ଜିଲ୍ଲାରେ ୨୧.୬ ମିମି, ନୟାଗଡ଼ ଜିଲ୍ଲାରେ ୨୧.୬ ମିମି, କଟକ ଜିଲ୍ଲାରେ ୨୦.୫ ମିମି, ଯାଜପୁରରେ ୧୮.୨ ମିିମି, ବାଲେଶ୍ୱରରେ ୧୬.୯ ମିମି, ବୌଦ୍ଧରେ ୧୫.୩ ମିମି, ଢେଙ୍କାନାଳରେ ୧୧ ମିମି ଏବଂ ଗଜପତି ଜିଲ୍ଲାରେ ୧୦.୫ ମିମି ବୃଷ୍ଟିପାତ ହୋଇଛି । ରାଜ୍ୟରେ ହାରାହାରି ୧୧.୮ ମିମି ବୃଷ୍ଟିପାତ ପରିଲକ୍ଷିତ ହୋଇଛି । ପୁନଶ୍ଚ ବାତ୍ୟା ପ୍ରଭାବିତ ୬ ଜିଲ୍ଲାରେ ୧୨୦ଟି ଆଶ୍ରୟସ୍ଥଳୀରେ ପାଖାପାଖି ୪୦୦୦ ଲୋକ ବର୍ତ୍ତମାନ ଆଶ୍ରୟ ନେଇଛନ୍ତି । ପ୍ରାୟ ୪୦୦ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ କରିବା ନିମନ୍ତେ ୨୬୬ ଓଡ୍ରାଫ୍‌, ଏନ୍‌ଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଛି । ରାଜ୍ୟ ସରକାରଙ୍କ ତରଫରୁ ପରିସ୍ଥିତି ଉପରେ ତୀକ୍ଷ୍ନନଜର ରଖାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ସମେତ କଟକ, ଭୁବନେଶ୍ୱର ସହରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଜିଲ୍ଲା ପ୍ରଶାସନ ଯେକୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *