ରଣେନ୍ଦ୍ର ପ୍ରତାପ ସ୍ୱାଇଁ ହେଲେ କାମଚଳା ବାଚସ୍ପତି
ଭୁବନେଶ୍ୱର(ଏନ୍.ଏମ୍.): ବରିଷ୍ଠ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କାମଚଳା ବାଚସ୍ପତି ଭାବେ ଦାୟିତ୍ୱ ନେଇଛନ୍ତି । ସପ୍ତଦଶ ବିଧାନସଭାର କାମଚଳା ବାଚସ୍ପତି ଭାବରେ ସେ ଶପଥ ନେଇଛନ୍ତି । ଆଜି ତାଙ୍କୁ ଶପଥ ପାଠ କରାଇଛନ୍ତି ରାଜ୍ୟପାଳ ରଘୁବର ଦାସ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ । କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୧୮ ଓ ୧୯ ତାରିଖରେ ବିଧାନସଭାରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ । ଏହାପରେ ୨୦ ତାରିଖରେ ବାଚସ୍ପତି ନିର୍ବାଚନକୁ ପରିଚାଳନା କରିବେ । ୧୯ ତାରିଖ ଦିନ ନୂଆ ବାଚସ୍ପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ ବୋଲି ଜଣାପଡ଼ିଛି । ବିଜେପି ନିଜର ବରିଷ୍ଠ ନେତ୍ରୀ ସୁରମା ପାଢ଼ୀଙ୍କୁ ବାଚସ୍ପତି ପଦରେ ଆସୀନ କରାଇପାରେ ବୋଲି ଚର୍ଚ୍ଚା ହେଉଛି । ବିଧାନସଭାରେ ବିଜେପିର ୭୮ ବିଧାୟକ ଓ ୩ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ଥିବାରୁ ଉଭୟ ବାଚସ୍ପତି ଓ ଉପବାଚସ୍ପତି ପଦ ବିଜେପି ପାଖରେ ରହିବ ବୋଲି ଜଣାପଡ଼ିଛି । ବିଧାନସଭା ଓ ସଂସଦରେ ସ୍ୱଳ୍ପ ସମୟ ପାଇଁ ଗୃହ କାର୍ଯ୍ୟ ପରିଚାଳନା ପାଇଁ କାମଚଳା ବାଚସ୍ପତି ନିଯୁକ୍ତି କରାଯାଇଥାଏ । ବରିଷ୍ଠ ବିଧାୟକଙ୍କୁ ପ୍ରୋଟେମ୍ ସ୍ପିକର ବା କାମଚଳା ବାଚସ୍ପତି ଭାବରେ ନିଯୁକ୍ତ ଦିଆଯାଏ ।