ମୂଳାଷ୍ଟମୀ ତିଥିରୁ ମା’ଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ : ବିଭିନ୍ନ ବେଶରେ ଶକ୍ତିଙ୍କୁ ଆରଧନା
#କଟକ(ଏନ୍.ଏମ୍.): ଜୟନ୍ତି ମଙ୍ଗଳାକାଳୀ ଭଦ୍ରାକାଳୀ କପାଳିନୀ ଦୁର୍ଗାକ୍ଷମା ଶିବାଧାତ୍ରୀ ସ୍ୱାହା ସ୍ୱଧା ନମସ୍ତୁତେ। ପବିତ୍ର ମୂଳାଷ୍ଟମୀ ତିଥିରେ ଆଜି ସହରରେ ଆରମ୍ଭ ହୋଇଛି ମା’ ଦୁର୍ଗତୀନାସିନୀ, ଶକ୍ତି ପ୍ରଦାୟିନୀଙ୍କ ଶୋଡ଼ଷ ଉପଚାର ପୂଜା। ଏହି ଅବସରରେ ମା ମହାମାୟା ଦୁର୍ଗାଙ୍କର ଧରାବତରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ସଂସାରରେ ମା ଭଗବତୀଙ୍କ ଉପସ୍ଥିତିରେ ପ୍ରତ୍ୟେକ ଅଶୁଭ ଶୁଭରେ ପରିଣତ ହେବା ସହ ଅସ୍ଥିରତାରୁ ସ୍ଥିରତା ପାଲଟିବ। ଏହି ବିଶ୍ୱାସ ନେଇ ଶାକ୍ତମାନେ ବଡ଼ ନିଷ୍ଠାର ସହ ଏହି ପୂଜାକୁ ପାଳନ କରିଥାନ୍ତି। ବିଭିନ୍ନ ଶକ୍ତିପୀଠ ମାନଙ୍କରେ ହୋମଜଜ୍ଞ ଠାରୁ ଆରମ୍ଭ କରି ଚଣ୍ଡିପାଠରେ ଗଗନ ପବନ ମୁଖରିତ ହୋଇଥିବା ଦେଖିବାକୁ ମିଳିଛି। ଆଜି ଠାରୁ ମା’ ଶକ୍ତିମୟୀଙ୍କ ୧୬ ପୂଜା ଆରମ୍ଭ ହୋଇଥାଏ। ଏହି ବେଶ ମୁଖ୍ୟତଃ ମୂଳାଷ୍ଟମୀ ଠାରୁ ଆରମ୍ଭ ହୋଇ ଦୁର୍ଗାଷ୍ଟମୀ ପର୍ଯ୍ୟନ୍ତ ଚାଲିଥାଏ। ଏହି ଅବସରରେ ମା’ଙ୍କୁ ପ୍ରତିଦିନ ସ୍ୱତନ୍ତ୍ର ବେଶରେ ପୂଜାର୍ଚ୍ଚନା କରାଯାଇଥାଏ। ଅନ୍ୟପକ୍ଷରେ କଟକ ଅଞ୍ଚଳକୁ ଏକ ଶକ୍ତିପୀଠ ଅଞ୍ଚଳବୋଲି କୁହାଯାଏ। ବିଶେଷ କରି ରାଜାରାଜୁଡ଼ା ଅମଳରୁ ଏଠାରେ ଶକ୍ତିପୂଜାର ବିଧି ରହିଛି। ଫଳରେ ସହରର ବିଭିନ୍ନ ସ୍ଥାନରେ ଶକ୍ତିପୀଠମାନଙ୍କ ସ୍ଥିତି ଏହି ଅଞ୍ଚଳର ଶାକ୍ତ ମହିମାକୁ ପ୍ରମାଣିତ କରୁଛି। ପବିତ୍ର ମୂଳାଷ୍ଟମୀ ଅବସରରେ ସହରର ମୁଖ୍ୟତଃ କଟକ ଚଣ୍ଡୀ, ଗଡ଼ଚଣ୍ଡୀ, ପୀଠାପୁର ମା’ ଧାକୁଲେଇ, ଦୋଳମୁଣ୍ଡାଇସ୍ଥିତ ମା’ ମଙ୍ଗଳା ଠାକୁରାଣୀ, ମାଛୁଆବଜାରସ୍ଥିତ ଜମ୍ବୁ ଦୁର୍ଗା, ଥୋରିଆସାହି ଗେହ୍ଲାଦେଇ, ମଙ୍ଗଳାବାଗ ସ୍ଥିତ ମା’ ବାସନ୍ତୀ ଦୁର୍ଗା ଓ ବାଘ ମଙ୍ଗଳା, ଝାଞ୍ଜିରୀମଙ୍ଗଳାସ୍ଥିତ ମା’ ମଙ୍ଗଳା, ତଳତେଲେଙ୍ଗାବଜାରସ୍ଥିତ ଶାରଳା ମନ୍ଦିର, ଉପରତେଲେଙ୍ଗା ବଜାର ମହେଶ୍ୱରୀ ମନ୍ଦିର, ତେଲେଙ୍ଗାବଜାର ସ୍ଥିତ ବିମଳା ମନ୍ଦିର, ଚାଉଳିଆଗଞ୍ଜ ଦୁର୍ଗାମନ୍ଦିର ପ୍ରମୁଖ ଶକ୍ତିପୀଠମାନଙ୍କରେ ଆଜି ମା’ଙ୍କ ଷୋଡଶ ଉପଚାର ପୂଜାର୍ଚ୍ଚନା ହୋଇଥିବା ଜଣାପଡ଼ିଛି। ତେବେ ପ୍ରଥମ ଦିନରେ ମା’କଟକ ଚଣ୍ଡିଙ୍କର ସହସ୍ର କୁମ୍ଭାଭିଷେକ, କଳସସ୍ଥାପନ କରାଯାଇ ସୁନାବେଶ କରାଯାଇଥିଲା। ସେହିପରି ଦୋଳମୁଣ୍ଡାଇସ୍ଥିତ ମା’ ବିମଳା ଠାକୁରାଣୀଙ୍କର କୁମ୍ଭାଭିଷେକ ସହ ନିଜବେଶ, ପିଠାପୁର ଧାକୁଲେଇଙ୍କର ମୂଳାଷ୍ଠମୀ ଘଟସ୍ଥାପନ ପୂର୍ବକ ମା’ ରାଜରାଜେଶ୍ୱରୀ ବେଶ, ମଙ୍ଗଳାବାଗ ବାସନ୍ତୀ ଦୁର୍ଗାଙ୍କର ଚଣ୍ଡିପାଠ ସହ ବଗଳାମୁଖୀ ବେଶ, ମା’ ଗଡ଼ଚଣ୍ଡିଙ୍କର ନିଜବେଶ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା ସେହିଭଳି ମା’ କଟକ ଚଣ୍ଡିଙ୍କର ମଧ୍ୟ ନିଜବେଶରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିଥିଲେ। ଏହି ତିଥିରୁ ଷୋଡ଼ଶ ଉପଚାର ପୂଜା କରିବା ପାଇଁ ପୌରାଣିକ ଓ ଶାସ୍ତ୍ରୀୟ ମତ ମଧ୍ୟ ରହିଛି। ଆଶ୍ୱିନ ମାସ ଅଷ୍ଟମୀ ଠାରୁ ମା’ ଶକ୍ତିରୂପିଣୀ ଦୁର୍ଗା ଜାଗ୍ରତ ହୋଇଥିବାବେଳେ ଚଣ୍ଡିଚାମୁଣ୍ଡାମାନେ ମଧ୍ୟ ସକ୍ରିୟ ହୋଇଥାନ୍ତି। ତେଣୁ ଏହି ପକ୍ଷକୁ ରକ୍ତ ପକ୍ଷ ବୋଲି କୁହାଯାଏ। ଏହି ତିଥିରେ ମା’ଶକ୍ତିଙ୍କୁ ପୂଜାର୍ଚ୍ଚନା କଲେ ମାତୃକରୁଣା ଲାଭ ହୋଇଥାଏ।