News by Dillip Kumar Muduli (BBSR)

ମୁଖ୍ୟମନ୍ତ୍ରୀଙ୍କ ଜାପାନଗସ୍ତକୁ ନେଇ ବର୍ଷିଲା ରାଜ୍ୟ ବିଜେପି

News by Dillip Kumar Muduli (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ଓ ତାଙ୍କର ଟିମ ବିଭିନ୍ନ କାର୍ଯ୍ୟର ବାହାନା ଦେଇ ଛୁଟି କଟାଇବା ପାଇଁ ଜାପାନ ଗସ୍ତ କରିବା କେବଳ ଏକ ପ୍ରହସନ ବୋଲି ରାଜ୍ୟବିଜେପି ନେତୃତ୍ୱ ଅଭିଯୋଗ ଆଣିଛନ୍ତି । ତେବେ ବୁଲିବାର ଅଧିକାର ମୁଖ୍ୟମନ୍ତ୍ରୀଙ୍କ ପାଖରେ ଅଛି କିନ୍ତୁ ରାଜ୍ୟ ରାଜକୋଷରେ ଥିବା ଲୋକମାନଙ୍କ କଷ୍ଟ ଅର୍ଜିତ ଟିକସ ଅର୍ଥକୁ ଖର୍ଚ୍ଚ କରି ଛୁଟି କଟାଇବାକୁ ଯିବା ଦୁର୍ଭାଗ୍ୟଜନକ ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି ଛୁଟି କଟାଇବା ପାଇଁ ମନା ନାହିଁ କିନ୍ତୁ ରାଜ୍ୟର ଯୁବକ ମାନଙ୍କୁ ମିଛ ପ୍ରତିଶ୍ରୁତି ଦିଅନ୍ତୁ ନାହିଁ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଦଳର ମୁଖପାତ୍ର ସତ୍ୟବ୍ରତ ପଣ୍ଡା କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଜାପାନରୁ କିଛି ନୂଆ ଶିଳ୍ପ ଆସୁଛି ନା ପୁରୁଣା ବହିରେ ନୂଆ ମଲାଟ ମଡ଼ାଇଛନ୍ତି ରାଜ୍ୟ ସରକାର । ଇଟାଲି ଏବଂ ୟୁଏଇ ଗସ୍ତ ପରେ ମୁଖ୍ୟମନ୍ତ୍ରୀ ଏବଂ ତୃତୀୟ ମହଲାର ବରିଷ୍ଠ ଅଧିକାରୀମାନେ ଜାପାନ ଗସ୍ତ କରିଛନ୍ତି । ୫ ଘଣ୍ଟାର କାର୍ଯ୍ୟକୁ ୭ ଦିନ ଗସ୍ତ କରିବାର ମାନେ ଛୁଟି କାଟିବା ନୁହେଁ ତ ଆଉ କ’ଣ ବୋଲି ବିଜେପି ପକ୍ଷରୁ କୁହାଯାଇଛି । ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତ କରିବା ଓ ବ୍ୟାପକ ନିବେଶ ଆସିବା ନେଇ ବିଜେଡି ସରକାର ଦ୍ୱାରା ଯେଉଁ ସବୁ ପ୍ରଚାର କରାଯାଉଛି, ସେ ସବୁର ସତ୍ୟାସତ୍ୟ କେତେ? ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କର ସ୍ପୋର୍ଟିଭ୍ ଗ୍ରୁପକୁ ସାଙ୍ଗରେ ନେଇ ଯିବାର ଅର୍ଥ କ’ଣ? ଓଡ଼ିଶା ସରକାର ଓ ଖଣି ମାଲିକଙ୍କର ମଧ୍ୟସ୍ଥି କରୁଥିବା ଉପକୂଳ ଜିଲ୍ଲାର ସାଂସଦ ତଥା ଯେଉଁ ଅଞ୍ଚଳରେ ଖଣିର ନାଁ ଗନ୍ଧ ନାହିଁ ସେ ବି ସରକାରୀ ପଇସାରେ ଜାପାନ ଯିବା ଗସ୍ତର ସ୍ୱାର୍ଥ କ’ଣ? ପୂର୍ବରୁ ମୁଖ୍ୟମନ୍ତ୍ରୀ ଗସ୍ତ କରିଥିବା ଇଟାଲି ଏବଂ ୟୁଏଇ ଗସ୍ତ ପରେ ଓଡ଼ିଶାକୁ କେତେ ନିବେଶକ ଆସିଛନ୍ତି? ଏସବୁ ପ୍ରସଙ୍ଗ ଉପରେ ରାଜ୍ୟ ସରକାର ସ୍ପଷ୍ଟୀକରଣ ରଖିବେ କି ବୋଲ ମୁଖପାତ୍ର ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି ।
ସବୁବେଳେ ଭାରତର ଏକ ସହଯୋଗୀ ରାଷ୍ଟ୍ର ଭାବେ ରହିଆସିଛି । ପୂର୍ବ ଭାରତକୁ ବିକାଶ କରିବା ଦିଗରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବୋଦୟ ମିଶନକୁ ସାକାର କରିବାରେ ଜାପାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ୨୦୧୯ପୂର୍ବରୁ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଭାରତ ସରକାରଙ୍କ ଦ୍ୱାରା ଷ୍ଟିଲ୍ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଘୋଷଣା କରାଯାଇଥିଲା । ଓଡ଼ିଶାରେ ଜାପାନ ପୁଞ୍ଜିନିବେଶକୁ ଆଣିବାରେ ସଫଳ ନେତା ହେଉଛନ୍ତି ବର୍ତ୍ତମାନର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଗୋଟିଏ ନୁହେଁ ବରଂ ଦୁଇଟି ବୃହତ ପ୍ରକଳ୍ପକୁ ଓଡ଼ିଶାକୁ ଆଣିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏବେ ଯେଉଁ ନିପନ୍ ଷ୍ଟିଲ ପାଇଁ ମୁଖ୍ୟମନ୍ତ୍ରୀ ବାହା ବାହା ନେଉଛନ୍ତି, ଅକ୍ଟୋବର ୨୫, ୨୦୧୯ରେ ଇସ୍ପାତ୍ ମନ୍ତ୍ରଣାଳୟର ଦାୟିତ୍ୱରେ ଥିବା ସମୟରେ ସେ ପ୍ରତିନିଧି ମଣ୍ଡଳୀ ସହ ୫ ଦିନିଆ ଜାପାନ ଗସ୍ତରେ ଯାଇ ନିପନ ଷ୍ଟିଲ ସମେତ ଜାପାନର ପ୍ରମୁଖ ଇସ୍ପାତ୍ କମ୍ପାନୀଙ୍କ ସହ ଓଡ଼ିଶାରେ ପୁଞ୍ଜିନିବେଶ କରିବା ସହ ଭାଗିଦାରୀ ହେବା ପାଇଁ ନିମନ୍ତ୍ରଣ କରିଥିଲେ । ଫେବୃୟାରୀ ୨୭, ୨୦୨୦ରେ ଜାପାନର ରାଷ୍ଟ୍ରଦୂତ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ରାଜ୍ୟ ସରକାରଙ୍କ ସହ ଏକ ମିଳିତ ବୈଠକ ହୋଇଥିଲା ଏବଂ ଏହା ପରେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଘୋଷଣା କରାଯାଇଥିଲା । ଜୁନ ୨୪, ୨୦୨୧ରେ କେନ୍ଦ୍ରମନ୍ତ୍ରୀ କେନ୍ଦ୍ରାପଡା ଯାଇଥିଲେ । ଶିଳ୍ପ କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲା ଏକ ପେଣ୍ଠସ୍ଥଳି ହେବା ନେଇ ସେ ପ୍ରକାଶ କରିଥିଲେ । ତେବେ ଓଡ଼ିଶାରେ ଆର୍ସେଲର ମିତଲ ଓ ନିପନ ଷ୍ଟିଲ କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡାରେ ୧.୨ ଲକ୍ଷ କୋଟି ବିଦେଶୀ ପୁଞ୍ଜିନିବେଶରେ ୨୪ ଏମଟିପିଏ ବିଶିଷ୍ଟ ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାବ୍ୟତିତ ଆର୍ସେଲର ମିତଲ ନିପନ ଷ୍ଟିଲ୍ ଜଗତସିଂହପୁରରେ ମଧ୍ୟ ୩୮ ହଜାର କୋଟି ପୁଞ୍ଜିନିବେଶରେ ୭ ଏମଟିପିଏ ବିଶିଷ୍ଟ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ଡିସେମ୍ବର ୧୭, ୨୦୨୧ରେ କେନ୍ଦ୍ରପଡାରେ ଏହି ପ୍ରକଳ୍ପକୁ ଅନୁମୋଦନ କରାଯାଇସାରିଛି । ନିପନ ଓ ଅନ୍ୟ କିଛି ଶିଳ୍ପ ସଂସ୍ଥାର ଓଡ଼ିଶାର ପୁଞ୍ଜିନିବେଶ ନେଇ ଘୋଷଣା ସହିତ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇ ସାରିଛି । ତେବେ ଓଡ଼ିଶା ସରକାର କାହିଁକି ପୁରୁଣା କଥାକୁ ନୂଆ କଥା କହି ଯୁବ ସମାଜକୁ ବିଭ୍ରାନ୍ତ କରୁଛି, ଯାହା ଦିନରେ ଲଣ୍ଠନ ଦେଖାଇବା ସଦୃଶ ବୋଲି ଶ୍ରୀ ପଣ୍ଡା ଅଭିଯୋଗ ଉଠାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ଓ ସହମୁଖ୍ୟ ସୁଜିତ୍ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *